କନକ ବ୍ୟୁରୋ : ବୃକ୍ଷର ଉପକାରିତା ତ ଆମେ ସମସ୍ତେ ଜାଣିଛେ । ତଥାପି ଆଜିକାଲି କେହି ଗଛର ଯତ୍ନ ନେଉନେ କିମ୍ବା ଗଛ ଲଗାଉନେ । ନିଜର ସ୍ୱାର୍ଥପାଇଁ ମଣିଷ ଜଙ୍ଗଲକୁ କାଟି ସଫା କରି ଦେଉଛି । ଆଉ ଯାହାର ପରିଣାମ ନିଜେ ଭୋଗୁଛି । କିନ୍ତୁ ଏପରିକି କିଛି ଲୋକ ଅଛନ୍ତି ଯେଉଁମାନେ ଗଛ ଲଗାଇବା ପାଇଁ ଭଲ ପାଆନ୍ତି । ତେବେ ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରଫେସର ଶ୍ୟାମ ସୁନ୍ଦର । ଯିଏକି ଆଜି ୨ଶହରୁ ଅଧିକ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି । ରାଜସ୍ଥାନର ଶ୍ୟାମସୁନ୍ଦର ବୃକ୍ଷରୋପଣ ପାଇଁ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ଏପରିକି ଜାତିସଂଘ ପକ୍ଷରୁ ତାଙ୍କୁ ‘ଲ୍ୟାଣ୍ଡ ଫର ଲାଇଫ’ ଆୱାର୍ଡ ଦିଆଯାଇଛି । ଏହି ଗଛ ଲଗାଇବାର ନିଶା ତାଙ୍କର ପିଲାଟି ଦିନରୁ ହିଁ ରହିଛି । ତେବେ ଗଛ ଲଗାଇବା ପଛରେ ଏକ କାହାଣୀ ମଧ୍ୟ ଲୁଚି ରହିଛି । ଆସନ୍ତୁ ଜାଣିବା କଣ ରହିଛି କାରଣ ।
ଶ୍ୟାମ ସୁନ୍ଦରଙ୍କ ପରିବାର ଏକ ବଡ଼ ପରିବାର । ତାଙ୍କ ପରିବାରରେ କେବଳ ୧୬ ଜଣ ଛୁଆ ଥିଲେ । ଏଣୁ ସେମାନେ ବାହାରେ ଏତେ ସାଙ୍ଗ ହେଉନଥିଲେ । ସ୍କୁଲରୁ ଫେରିବା ପରେ ବାପାଙ୍କ ସହ ଫାର୍ମକୁ ଯାଉଥିଲେ । ବାପା ସେଠାରେ ଅନେକ ଗଛ ଲଗାଇଥିବାବେଳେ ସେ ଏକ ନିମ୍ବ ଗଛର ମଞ୍ଜିକୁ ଆଣି ଲଗାଇଥିଲେ । କିଛିଦିନ ମଧ୍ୟରେ ଯେତେବେଳେ ଗଛଟି ବଡ଼ ହୋଇଥିଲା ଶ୍ୟାମସୁନ୍ଦରଙ୍କୁ ବେଶ ଖୁସି ଲାଗିଥିଲା । ଆଉ ସେ ଗଛକୁ ବନ୍ଧୁ ବୋଲି ଭାବି ନେଇଥିଲେ । ସ୍କୁଲରୁ ଫେରିବା ପରେ ଏବଂ ପୂର୍ବରୁ ସେହି ଗଛ ମୂଳରେ ଖେଳାବୁଲା ଏବଂ ଖାଇବା ମଧ୍ୟ କରୁଥିଲେ ।
ଦିନେ ଗଛରେ ପୋକ ଲାଗିଥିବା ଗଛ ନଷ୍ଟ ହେବା ଭଳି ମନେ କରିଥିଲେ ଶ୍ୟାମ ସୁନ୍ଦର । ସେ ତାଙ୍କ ଦାଦାଙ୍କୁ ଯାଇ କହିଥିଲେ କି, ମୋ ସାଙ୍ଗର ଦେହରେ ପୋକ ଲାଗି ଯାଇଛନ୍ତି । ସେହି ସମୟରେ ଦାଦା କୌଣସି କାମରେ ବ୍ୟସ୍ତଥିିଲେ ଏବଂ ସେ କହିଥିଲେ କି, କୀଟନାଶକ ଷ୍ଟୋରରେ ଅଛି ଏହାକୁ ନେଇ ପକାଇଦିଏ । ସେତେବେଳେ ଶ୍ୟାମସୁନ୍ଦରଙ୍କୁ ଜଣାନଥିଲା କି, ପାଣିରେ ମିଶାଯିବା ପରେ ଏହାକୁ ପକାଇବା କଥା । ସେ ସିଧା କୀଟନାଶକ ଔଷଧକୁ ନେଇ ଗଛ ଉପରେ ରଖି ଦେଇଥିଲେ । ତେବେ ସେ ସ୍କୁଲରୁ ଫେରିବା ପରେ ଦେଖିଥିଲେ କି, ଗଛଟି ପୂର୍ବ ଅପେକ୍ଷା ଖରାପ ହୋଇଯାଇଛି । ଏହାପରେ ବହୁ ପାଣି ଦେଇଥିଲେ ଏବଂ ଯତ୍ନ ନେଇଥିଲେ ସୁଦ୍ଧା ଗଛଟି ମରିଯାଇଥିଲା । ଗଛଟି ମରିଯିବା ପରେ ଶ୍ୟାମସୁନ୍ଦରଙ୍କୁ ବହୁତ ଦୁଃଖ ଲାଗିଥିଲା । ଏବଂ ତାଙ୍କ ଭୁଲ ପାଇଁ ଏପରି ହୋଇଥିବା ଭାବିଥିଲେ । ଏହାପରେ ସେ ଗଛ ଲଗାଇବା ପାଇଁ ନିଷ୍ପତି ନେଇଥିଲେ । କଲେଜରେ ଚାକିରୀ କରିଥିଲେ ସୁଦ୍ଧା ଗଛ ଲଗାଇବାର ନିଶା ଛାଡ଼ିନଥିଲା । ଛାତ୍ରଛାତ୍ରୀଙ୍କ ସାହାଯ୍ୟରେ ମଧ୍ୟ ସେ ଗଛ ଲଗାଉଥିଲେ । ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଗଛ ଲଗାଇବା ପାଇଁ କହୁଥିଲେ । ସେ ବିଭିନ୍ନ ଫଳର ଉପକାରିତା କହି ଲୋକଙ୍କୁ ଗଛ ଲଗାଇବାକୁ ପରାମର୍ଶ ଦେଉଥିଲେ । ଏପରିକି ଗଛ ଲଗାଇବା ପାଇଁ ଋଣ ମଧ୍ୟ କରିଥିଲେ । ଏହି ଋଣ ପରିଶୋଧ କରିବା ପାଇଁ ସ୍ତ୍ରୀଙ୍କ ଗହଣା ମଧ୍ୟ ବିକି ଦେଇଥିଲେ । ବିବାହ, ମୃତ୍ୟୁ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ମଧ୍ୟ ଶ୍ୟାମସୁନ୍ଦର ଗଛ ଉପହାର ଦେବା ସହ ବୃକ୍ଷ ରୋପଣ ପାଇଁ ଲୋକଙ୍କୁ କହିଥାନ୍ତି । ବର୍ତମାନ ସୁଦ୍ଧା ସେ ୧୮ ହଜାର ଗାଁରେ ୨ଶହ ଜଙ୍ଗଲରେ ଗଛ ଲଗାଇଛନ୍ତି । ତାଙ୍କର ଏଭଳି ପ୍ରୟାସକୁ ସାଧାରଣରେ ସାଧୁବାଦ ଜଣାଯାଉଛି ।