କନକ ବ୍ୟୁରୋ : ରାଜଧାନୀ ରାସ୍ତା ଉପରେ ପଡିରହିଛି କୋଭିଡ-କିଟ୍ । ରାଜ୍ୟ ବାହାରୁ ଆସିଥିବା ଟ୍ରକ ଟ୍ରକ ମାସ୍କ ଓ ପିପିଇ କିଟକୁ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର । ଫଳରେ ରାଜଧାନୀ ରାସ୍ତା ଉପରେ ଠିଆ ହୋଇଛି ଏସବୁ ସାମଗ୍ରୀ ବୋଝେଇ ୨୫ରୁ ୩୦ଟି ଟ୍ରକ । ସେପଟେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମାସ୍କ ଓ ପିପିଇ କିଟ୍ ଉପଲବ୍ଧ ଅଛି ।

Advertisment

ରାଜଧାନୀର ରାଜରାସ୍ତାରେ ଏମିତି ଠିଆ ହୋଇଛି କୋଭିଡ୍ କିଟ୍ ବୋଝେଇ ଟ୍ରକ । ଗୋଟିଏ କି ଦୁଇଟି ନୁହେଁ ୨୫ରୁ ୩୦ଟି ଟ୍ରକ ଠିଆ ହୋଇ ରହିଛି । ଆଉ ଟ୍ରକରେ ବୋଝେଇ ହୋଇ ରହିଛି ପିପିଇ ବା ପର୍ସନାଲ ପ୍ରୋଟେକସନ୍ ଇକୁଇପମେଂଟ କିଟ୍, ମାସ୍କ ଓ ସାନିଟାଇଜର । କିନ୍ତୁ ରାଜ୍ୟ ସରକାରଙ୍କ ଔଷଧ ନିଗମ ଏହାକୁ ଗ୍ରହଣ କରୁନାହିଁ । ପଂଜାବ, ହରିଆଣା, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକ ଭଳି ରାଜ୍ୟରୁ ୫ ଦିନ ହେଲା ଏସବୁ ଗାଡି ଆସି ଭୁବନେଶ୍ୱରରେ ଅଟକି ରହିଛି ।

ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ଓଡିଶାରେ ଯଥେଷ୍ଟ ପରିମାଣରେ ପିପିଇ କିଟ୍, ମାସ୍କ ଓ ସାନିଟାଇଜର ମହଜୁଦ ଅଛି । ସେମାନେ ଚାହିଁଲେ ଅନ୍ୟ ରାଜ୍ୟରେ ଏହି ସବୁ କୋଭିଡ୍ କିଟ୍ ଦେଇପାରିବେ ବୋଲି କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଏହି ସବୁ କୋଭିଡ୍ କିଟ୍ ପାଇଁ ରାଜ୍ୟ ସରକାର ବରାଦ କରିଥିଲେ । ଏବଂ ପରେ ବାତିଲ କରିଦେଇଥିଲେ । ତେବେ ବାତିଲ କରିବା ବେଳକୁ କୁଆଡେ ଏ ସବୁ ଗାଡି ବାହାରି ଆସିଥିଲା । ଜୁନ୍ ୧ ତାରିଖରେ ଏ ସଂକ୍ରାନ୍ତରେ ବୈଠକରେ ନିଷ୍ପତି ପରେ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।