କନକ ବ୍ୟୁରୋ : ଟ୍ରକ ମାଲିକ ସଂଘର ୧୨ ଘଣ୍ଟିଆ ସୁନ୍ଦରଗଡ଼ ସହର ବନ୍ଦ ଡାକରା । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦିଆଯାଇଛି ଏହି ବନ୍ଦ ଡାକରା । ସୁନ୍ଦରଗଡ଼ ସହରର ଦୋକାନ ବଜାର ବନ୍ଦ ରହିଥିବା ବେଳେ ସହରର ୩ଟି ପ୍ରବେଶ ପଥ ରାଣୀ ବଗିଚା ବାଇପାସ, କଲେଜ ବାଇପାସ, ଟୋଲଗେଟ ବାଇପାସକୁ ଟ୍ରକ ମାଲିକମାନେ ଅବରୋଧ କରିଛନ୍ତି । ଫଳରେ ଗାଡ଼ି ମଟର ଚଳାଚଳ ଏବଂ ଏମସିଏଲ କୋଇଲା ଖଣିରୁ କୋଇଲା ପରିବହନ ପ୍ରଭାବିତ ହୋଇଛି ।

Advertisment

ସରକାରଙ୍କ ନିଧାର୍ଯ୍ୟ ପରିବହନ ଭଡ଼ା ଓ ଖଣିରେ ଫାଷ୍ଟ କମ୍‌, ଫାଷ୍ଟ ଲୋଡ୍‌ ନିୟମ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଦାବିରେ ବନ୍ଦ ଡାକରା ଦେଇଛି ଟ୍ରକ ମାଲିକ ସଂଘ । ଗତକାଲି ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଵା ପରେ ବି କୌଣସି ନିଷ୍କର୍ଷ ନ ବାହାରିବାରୁ ଟ୍ରକ ମାଲିକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ସମସ୍ତ ଦୋକାନ ଵଜାର, ଗାଡ଼ିମଟର ଚଳାଚଳ ବନ୍ଦ ରହିଛି । ଅନ୍ୟପଟେ ବିଜୁ ଏକ୍ସପ୍ରେସ ୱେରେ ସଂଘର କର୍ମକର୍ତ୍ତା ଓ ଟ୍ରକ ପରିବହନ ସହ ଜଡ଼ିତ କର୍ମଚାରୀ ପହଞ୍ଚି ରାସ୍ତାରୋକ କରିଛନ୍ତି । ଫଳରେ ରାଉରକେଲା- ସମ୍ବଲପୁର ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଭାରିଯାନ, ବସ୍ ଓ ଅନ୍ୟ ଗାଡ଼ିମଟର ଅଟକି ରହିଛି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଟ୍ରକ ମାଲିକମାନେ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ଭେଟି ସରକାରୀ ଭଡ଼ା ସ୍ଥିର କରିବା ଓ ଫାଷ୍ଟ କମ୍‌, ଫାଷ୍ଟ୍‌ ଲୋଡ୍‌ ନିୟମରେ କୋଇଲା ଦେବା ସହ କୋଇଲା ବୋଝେଇ ସମୟରେ ପ୍ରତି ଟ୍ରକରୁ ବେଆଇନ ୨୨ ଶହ ଟଙ୍କା କଟାଯାଉଥିବା ଅଭିଯୋଗ କରି ତୁରନ୍ତ ଏହାକୁ ବନ୍ଦ କରିବାକୁ ଦାବି ଜଣାଇଥିଲେ । ଜିଲ୍ଲାପାଳ ଏ ସମ୍ପର୍କରେ ବିଚାର କରି ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସନ୍ଧ୍ୟାରେ ଜିଲ୍ଲାପାଳ କୌଣସି ନିଷ୍ପତ୍ତି ନେଇ ନ ଥିବାରୁ ଟ୍ରକମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।