ପୁଣି ହିଟ୍ ଆଣ୍ଡ ରନ୍ ମାମଲା । ପ୍ରଦର୍ଶନ ସ୍ଥଳରେ ମହିଳା କୃଷକଙ୍କ ଉପରେ ମାଡିଗଲା ଟ୍ରକ,୩ ମୃତ

97

କନକ ବ୍ୟୁରୋ : ହରିଆଣାର ଟିକରୀ ସୀମାରୁ ପୁଣି ଦୁଃଖଦ ଖବର ଆସିଛି । ପ୍ରଦର୍ଶନ କରୁଥିବା ମହିଳା କୃଷକମାନଙ୍କ ଉପରେ ଟ୍ରକ୍ ମାଡିଯିବାରୁ ୩ ଜଣ ମହିଳା କୃଷକଙ୍କର ମୃତ୍ୟୁ ହୋଇଛି । ଏହାସହ ୩ ଜଣ ମହିଳା କୃଷକ ଗୁରୁତର ହୋଇ ଏବେ ଚିକିତ୍ସିତ ହେଉଛନ୍ତି ।

ସୂଚନା ମୁତାବକ ଟିକରୀ ସୀମାରେ ମହିଳା କୃଷକମାନେ ପ୍ରଦର୍ଶନ କରୁଥିବା ବେଳେ ଏକ ଟ୍ରକ୍ ଦ୍ରୁତଗତିରେ ଆସି ୬ ଜଣଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣ ମହିଳା କୃଷକଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା କୃଷକମାନେ ପଞ୍ଜାବର ମାନସା ଜିଲ୍ଲାର ବୋଲି ଜଣାପଡିଛି । ଏଭଳି ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଂଚି ଟ୍ରକକୁ ଜବତ କରିବା ସହ ଘଟଣାର ଯାଂଚ କରୁଛି ।

ସେପଟେ ଏଭଳି ଦୁର୍ଘଟଣାରେ ପୁଣି ଆଗକୁ ଆସିଛନ୍ତି କୃଷକ ନେତାମାନେ । ସେମାନେ ମୃତ ମହିଳା କୃଷକଙ୍କ ଶବକୁ ପୋଷ୍ଟମର୍ଟମ୍ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି । ସେମାନେ ଦାବି କରିଛନ୍ତି କି ଏହା ସାଧାରଣ ଦୁର୍ଘଟଣା ନୁହେଁ ବରଂ ଯୋଜନାବଦ୍ଧ ଭାବେ କୃଷକମାନଙ୍କୁ ହତ୍ୟା କରାଯାଉଛି । ଏନେଇ ତୁରନ୍ତ ଟ୍ରକର ଡ୍ରାଇଭରକୁ ଗିରଫ୍ କରିବା ସହ ଏହି ଷଡଯନ୍ତ୍ର ପଛରେ ଯେଉଁମାନଙ୍କର ହାତ ରହିଛି ସେମାନଙ୍କୁ ଗିରଫ କରିବାକୁ ବି କୃଷକନେତାମାନେ ଦାବି କରିଛନ୍ତି ।

କହିରଖୁ କି ଏହା ପୂର୍ବରୁ ଉତ୍ତରପ୍ରଦେଶ ଲଖମୀପୁର ଠାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଓ ତାଙ୍କର କିଛି ସାଥୀ ଆନ୍ଦୋଳନରତ କୃଷକମାନଙ୍କ ଉପରେ କାର ମଡାଇ ଦେବାରୁ ୪ ଜଣ କୃଷକଙ୍କର ମୃତ୍ୟୁ ହୋଇଥିଲା ।