କେସିଆରଙ୍କ ବଡ଼ ଗୋଟିଚାଳନା, ଟିଆରଏସ ନାଁ ବଦଳି ହେଲା ଭାରତ ରାଷ୍ଟ୍ର ସମିତିା

87

କନକ ବ୍ୟୁରୋ: ହାଇଦ୍ରାବାଦରେ ରାଜନୈତିକ ହଲଚଲ ତୀବ୍ର ହୋଇଯାଇଥିଲା, କାରଣ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବା କେସିଆରଙ୍କ ଘୋଷଣା ଉପରେ ସାରା ଦେଶର ନଜର ରହିଥିଲା । ଶେଷରେ ବିଧିବଦ୍ଧ ଭାବେ କେସିଆର ନିଜର ଜାତୀୟ ଦଳ ଘୋଷଣା କରିଛନ୍ତି । ତେଲେଙ୍ଗାନା ରାଷ୍ଟ୍ରୀୟ ସିମିତି ବା ଟିଆରଏସର ନାଁ ବଦଳାଇ ଭାରତ ରାଷ୍ଟ୍ର ସମିତି କରିଛନ୍ତି କେସିଆର । ଏବେ ଜାତୀୟ ସ୍ତରରେ ନିଜର ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରିବ ଭାରତ ରାଷ୍ଟ୍ର ସମିତି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ମୁଖ୍ୟ ଏଚ୍ ଡି କୁମାରସ୍ୱାମୀ ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଥିଲେ ।

ଜାତୀୟ ସ୍ତରରେ ନିଜ ସ୍ଥିତି ଦୃଢ଼ କରିବାକୁ କିଛି ବର୍ଷ ହେଲା ଚେଷ୍ଟା କରିଆସୁଛନ୍ତି କେସିଆର । ଏପରିକି ଗୋଟିଏ ସମୟରେ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ସେ ଚେଷ୍ଟା କରୁଥିଲେ । ୨୦୨୪ ନିର୍ବାଚନ ଉପରେ ନଜର ରଖିଛନ୍ତି ଚନ୍ଦ୍ରଶେଖର ରାଓ । ଏହାସହ ତେଲେଙ୍ଗାନା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଆକ୍ରମଣାତ୍ମକ ମନୋଭାବ ଆପଣେଇଛି । ତେଣୁ ଏସବୁକୁ ଧ୍ୟାନ ଦେଇ କେସିଆର ନିଜର ଜାତୀୟ ଦଳ ଘୋଷଣା କରିସାରିଛନ୍ତି । ଅରବିନ୍ଦ କେଜରିୱାଲଙ୍କ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ପରେ ପଞ୍ଜାବରେ ସରକାର ଗଢ଼ିସାରିଛି । ସେହିପରି ମମତା ବାନାର୍ଜୀଙ୍କ ଟିଏମସି ମଧ୍ୟ ପଶ୍ଚିମବଙ୍ଗ ପରେ ତ୍ରିପୁରା ଓ ଗୋଆରେ ନିଜକୁ ଦୃଢ଼ କରିବାକୁ ଚେଷ୍ଟା କରୁଛି । ହେଲେ ତେଲେଙ୍ଗାନା ପରେ କେସିଆରଙ୍କ ନଜରରେ କେଉଁ ରାଜ୍ୟ ରହିଛି, ତାଉପରେ ସମସ୍ତଙ୍କ ନଜର ରହିବ ।