ତେଲେଙ୍ଗାନାରେ କେସିଆରଙ୍କ ଶକ୍ତି ପ୍ରଦର୍ଶନ! ରଙ୍ଗାରେଡ୍ଡି ଜିଲ୍ଲାରେ ଏକାଠି ହେଲେ ୨୫ ଲକ୍ଷ ଲୋକ, ଆଗୁଆ ନିର୍ବାଚନ ପ୍ରସ୍ତୁତି ନେଇ ଜୋରଧରିଲା ଚର୍ଚ୍ଚା

36

କନକ ବ୍ୟୁରୋ : ତେଲେଙ୍ଗାନାରେ ବିଶାଳ ଜନସଭା । ଲକ୍ଷ ଲକ୍ଷ ଲୋକଙ୍କ ଉପସ୍ଥିତିରେ ୪ବର୍ଷ ଶାସନର ହିସାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । କ୍ୟାବିନେଟ୍ ବୈଠକରେ ଜନତାଙ୍କୁ ଆକର୍ଷିତ କଲା ଭଳି ବଡ ବଡ ଘୋଷଣା କରିବା ପରେ ରଙ୍ଗାରେଡ୍ଡି ଜିଲ୍ଲାରେ ପ୍ରଗତୀ ସଭା କରିଛନ୍ତି ଟିଆରଏସ୍ ମୁଖ୍ୟ । କୁହାଯାଉଛି-ଆଗୁଆ ନିର୍ବାଚନ ପାଇଁ ଏହା କେସିଆରଙ୍କ ଏହା ପୂର୍ବ ପ୍ରସ୍ତୁତି ।

ଗୋଲାପି ରଙ୍ଗର ଟୋପି, ପତକା ଏବଂ ସ୍କାର୍ପରେ ରଙ୍ଗିନ୍ ହୋଇ ଉଠୁଥିଲା ପୂରା ସମାବେଶ । ଏହି ବିଶାଳ ଜନ ସମାବେଶ ଭିତରେ ସାରା ଦେଶକୁ ଏକ ବଡ ବାର୍ତା ଦେବାକୁ ଉଦ୍ୟମ କରୁଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ନିର୍ବାଚନ ପୂର୍ବରୁ ପ୍ରଗତୀ ନିବେଦନ ସଭା ଜରିଆରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଟିଆରଏସ୍ ମୁଖ୍ୟ । କୁହାଯାଉଛି-ଆଗୁଆ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି ତେଲେଙ୍ଗାନା ରାଷ୍ଟ୍ର ସମିତି । ଅବଶ୍ୟ ଆଜିର କ୍ୟାବିନେଟ୍ ବୈଠକରେ ଏନେଇ କୌଣସି ନିଷ୍ପତି ହୋଇଥିଲେ ସୁଦ୍ଧା ଖୁବଶୀଘ୍ର ପୁଣି ଥରେ କ୍ୟାବିନେଟ୍ ବସିବ । ଯେଉଁଥିରେ ଆଗୁଆ ନିର୍ବାଚନ ନେଇ ନିଷ୍ପତି ହୋଇପାରେ ।

ରଙ୍ଗା ରେଡ୍ଡି ଜିଲ୍ଲାରେ ଆୟୋଜିତ ହୋଇଥିବା ଏହି ବିଶାଳ ଜନସଭାକୁ ଭାରତ ଇତିହାସର ସବୁଠୁ ବଡ ଜନସଭା ବୋଲି କୁହାଯାଉଛି । କାରଣ ଏହି ରାଲିରେ ପ୍ରାୟ ୨୫ ଲକ୍ଷ ଲୋକ ସାମିଲ ହୋଇଥିବା ଦାବି କରିଛି ଟିଆରଏସ୍ । ତେବେ ଏହାକୁ ସରକାରୀ କଳର ଅପବ୍ୟବହାର ବୋଲି ଅଭିଯୋଗ କରିଛି କଂଗ୍ରେସ । ବଡ କଥା ହେଉଛି-ଧାର୍ଯ୍ୟ ସମୟ ଅର୍ଥାତ୍ ଏପ୍ରିଲ-ମେରେ ନିର୍ବାଚନ କରିବା ପରିବର୍ତେ ଏହାର ୪ ମାସ ପୂର୍ବରୁ ତେଲେଙ୍ଗାନାରେ ନିର୍ବାଚନ କରିବା ଟିଆରଏସ୍ ଚାହୁଁଥିବା କୁହାଯାଉଛି । ଆଉ ଏହାକୁ ଲକ୍ଷ୍ୟରେ ବଡ ବଡ ଘୋଷଣା ସବୁ କରିବା ସହ ବିଶାଳ ଜନସଭାର ଆୟୋଜନ କରିଛି ଦଳ ।

ଯଦି ତେଲେଙ୍ଗାନା ସରକାର ବିଧାନସଭାକୁ ଭଙ୍ଗ କରନ୍ତି, ତେବେ ଆଗକୁ ଡିସେମ୍ବର ମାସରେ ହେବାକୁ ଥିବା ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ସହ ଗୋଟିଏ ସମୟରେ ନିର୍ବାଚନ ହୋଇପାରେ । ଦେଶରେ ଏକକ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଲୋକସଭା ସହ ୧୨ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଏକାବେଳେ କରାଯାଇପାରେ ବୋଲି ନିକଟରେ ଆଇନ କମିଶନ ସୁପାରିଶ କରିଛନ୍ତି । ଆଉ ଏଭଳି ସ୍ଥିତିରେ ଆଗୁଆ ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜ ବାଟରେ ପ୍ରସ୍ତୁତ ଚଳାଇଛନ୍ତି ।