ଟିଭି ଦୁନିଆରେ ଟିଆରପି ଝଡ । ଟିଆରପି ଠକେଇ ନେଇ ମୁମ୍ବାଇ ପୋଲିସର ମହାଖୁଲାସା ପରେ ରିପବ୍ଲିକ ଟିଭି ଓ ଇଣ୍ଡିଆ ଟୁଡେ ଭିତରେ ଟଣାଓଟରା ।

765

କନକ ବ୍ୟୁରୋ: ଟିଭି ଦୁନିଆରେ ଟିଆରପି ଝଡ । ରିପବ୍ଲିକ ଟିଭି ନାଁରେ ଟିଆରପି ଚୋରି ଅଭିଯୋଗ । ନ୍ୟୁଜ ଟେଲିଭିଜନ ଦୁନିଆଁରେ ଟିଆରପି ସ୍କାମକୁ ନେଇ ଏବେ ଚାରିଆଡେ ଚର୍ଚା । ଆଉ ଏହି ଚର୍ଚ୍ଚାର କେନ୍ଦ୍ରରେ ଅଛନ୍ତି, ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ । ମୁମ୍ବାଇ ପୁଲିସ ଯେଉଁ ଖୁଲାସା କରିଛି, ସେଥିରେ ବଡ ଧରଣର ଟିଭି ରେଟିଂ ପଏଂଟରେ ହେରଫେରର କଥା ସାମ୍ନାକୁ ଆସିଛି । ମୁମ୍ବାଇ ପୁଲିସ କହିଛି, ବାର୍କ ମିଟର ଲାଗିଥିବା ଘରେ ଟଙ୍କା ଦେଇ ସବୁ ବେଳେ ରିପବ୍ଲିକ ଟିଭି ଅନ ରଖିବା ପାଇଁ କୁହାଯାଇଥିଲା ।

ଏକ ଟେଲିଭିଜନକୁ କେଉଁ ବର୍ଗର ଲୋକ, କେତେ ସମୟ ଦେଖନ୍ତି, ତାହାର ହିସାବ କରି ଟିଆରପି ବା ଟିଭି ରେଟିଂ ପଏଂଟ ନିର୍ଦ୍ଧାରଣ କରାଯାଏ । ଆମ ଦେଶରେ ବର୍ତମାନ ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ ବା ବାର୍କ ଏହି ରେଟିଂ ପଏଂଟ ନିର୍ଦ୍ଧାରଣ କରେ । ସାରା ଦେଶରେ ପ୍ରାୟ ୩୦ ହଜାର ଏହି ଭଳି ମିଟର ଲାଗିଛି । ଯଦି କୌଣସି ଟିଭି ସଂସ୍ଥା ଏହି ମିଟରକୁ ଠାବ କରିପାରିବେ, ତେବେ ଟିଆରପି ବଢାଇବା କିଛି କଷ୍ଟ କାମ ନୁହେଁ ।

ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ କହିବା କଥା ହେଉଛି, ଟିଆରପି ଅନିୟମିତତା ନେଇ ମୁମ୍ବାଇ ପୁଲିସ ନିକଟରେ ଯେଉଁ ଏଫଆଇଆର ହୋଇଛି, ସେଥିରେ ଇଣ୍ଡିଆ ଟୁଡେର ନାଁ ରହିଛି । ସେପଟେ ମୁମ୍ବାଇ ପୁଲିସର କହିବା କଥା ହେଉଛି, ଯିଏ ଏଫଆଇଆର କରିଛି, ସେ ଭୁଲରେ ଇଣ୍ଡିଆ ଟୁଡେ ଲେଖିଥିବା ସ୍ୱୀକାର କରିଛି ଏବଂ ରିପବ୍ଲିକ ଟିଭି ଏଭଳି ସ୍କାମ କରିଥିବା ପୁଲିସ ନିକଟରେ ମାନିଛି ।

ଟିଆରପି ସ୍କାମ ନେଇ ରିପବ୍ଲିକ ସମେତ ୩ଟି ଚ୍ୟାନେଲ ନାଁରେ ପ୍ରମାଣ ପାଇଛି ମୁମ୍ବାଇ ପୁଲିସ । ଅନ୍ୟ ଦୁଇଟି ମରାଠୀ ଚ୍ୟାନେଲ ହୋଇଥିବା ବେଳେ ସେମାନଙ୍କ ମାଲିକଙ୍କୁ ଗିରଫ କରାଯାଇଛି । ଆଗକୁ ମୁମ୍ବାଇ ପୁଲିସ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କୁ ଜେରା ପାଇଁ ଡାକିବ ବୋଲି କହିଛି ।