ଟିଆରପି ସ୍କାମ ଚର୍ଚ୍ଚା ପରେ ବାର୍କ ବନ୍ଦ କଲା ସବୁ ନ୍ୟୁଜ ଚ୍ୟାନେଲର ଟିଆରପି ।୩ ମାସ ପାଇଁ ବନ୍ଦ ହେଲା ରେଟିଂ ।

119

କନକ ବ୍ୟୁରୋ : ଟିଆରପି ସ୍କାମ ଚର୍ଚ୍ଚା ପରେ ବାର୍କ ବନ୍ଦ କରିଛି ସବୁ ନ୍ୟୁଜ ଚ୍ୟାନେଲର ଟିଆରପି । ଟେଲିଭିଜନ ରେଟିଂ ଏଜେନ୍ସି ‘ବାର୍କ’ ୩ ମାସ ପାଇଁ ଏହି ରେଟିଂ ପ୍ରକ୍ରିୟା ବନ୍ଦ କରିବା ନେଇ ସୂଚନା ଦେଇଛି । ବାର୍କ କହିଛି, ବର୍ତମାନର ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ସେପଟେ ଟିଆରପି ସ୍କାମ ଘଟଣାର ସିବିଆଇ ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଯାଇଥିଲା ରିପବ୍ଲିକ ଟିଭି । ଆଜି ଏହି ମାମଲାର ଶୁଣାଣି ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି ଅନ୍ୟ ସାଧାରଣ ଲୋକଙ୍କ ଭଳି ରିପବ୍ଲିକ ଟିଭି ବମ୍ବେ ହାଇକୋର୍ଟରେ ଆବେଦନ କରନ୍ତୁ ।

ସୁପ୍ରିମକୋର୍ଟରେ ମୁମ୍ୱାଇ ପୋଲିସ ଦ୍ୱାରା ସାମ୍ନାକୁ ଆସିଥିବା ଟିଆରପି ଘୋଟାଲା ମାମଲାର ଶୁଣାଣି ହୋଇଛି । ରିପବ୍ଲିକ୍ ଟିଭିକୁ ଲାଗିଛି ସୁପ୍ରିମକୋର୍ଟରୁ ଝଟକା । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରିପବ୍ଲିକ୍ ଟିଭିର ମୁମ୍ୱାଇ ପୋଲିସର ତଦନ୍ତ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି । ଏହା ସହିତ ରିପବ୍ଲିକ୍ ଟିଭିକୁ ବମ୍ବେ ହାଇକୋର୍ଟ ରେ ଆବେଦନ କରିବାକୁ କହିଛନ୍ତି । ଏବେ ଏହି ମାମଲାର ଆଗାମୀ ଶୁଣାଣି ହେବ ବମ୍ବେ ହାଇକୋର୍ଟରେ ।

ସୁପ୍ରିମକୋର୍ଟରେ ଶୁଣାଣି ଆଗରୁ ମୁମ୍ୱାଇ ପୋଲିସ ପକ୍ଷରୁ ଦାଖଲ କରାଯାଇଥିଲା ସତ୍ୟପାଠ । ଏଥିରେ ସ୍ପଷ୍ଟ ଭାବରେ ମୁମ୍ୱାଇ ପୋଲିସ ରିପବ୍ଲିକ୍ ଟିଭି ଦ୍ୱାରା ଦାଏର ହୋଇଥିବା ଆବେଦନକୁ ଖାରଜ କରିବାକୁ ନିବେଦନ କରାଯାଇଥିଲା । ବାକ୍ ସ୍ୱାଧୀନତା ନାଁରେ କେହି ତଦନ୍ତରେ ବାଧା ଦେଇପାରିବେ ନାହିଁ ବୋଲି ସତ୍ୟପାଠରେ ଦର୍ଶାଇଥିଲା ମୁମ୍ୱାଇ ପୋଲିସ । ମୁମ୍ୱାଇ ପୋଲିସ ସତ୍ୟପାଠରେ ଏହା ମଧ୍ୟ କହିଥିଲା କି ଅଭିଯୁକ୍ତ ସ୍ଥିର କରିପାରିବ ନାହିଁ ମାମଲାର ତଦନ୍ତ କିପରି ହେବ । ବାକ୍ ସ୍ୱାଧୀନତା ନାଁରେ ତଦନ୍ତ କରୁଥିବା ଏଜେନ୍ସିର କାମରେ ବି କେହି ଦେଇପାରିବେନି ବାଧା ।

ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ମୁମ୍ୱାଇ ପୋଲିସ ଏହା ମଧ୍ୟ ଉଲ୍ଲେଖ କରିଛି କି ଟିଆରପି ଘୋଟାଲାର ତଦନ୍ତରେ ଅନ୍ୟ ଟିଭି ଚ୍ୟାନେଲ୍ ସହଯୋଗ କରୁଛନ୍ତି , କିନ୍ତୁ ଏକମାତ୍ର ରିପବ୍ଲିକ୍ ଟିଭି ହିଁ ତଦନ୍ତରେ ସହଯୋଗ କରୁନାହିଁ । ଆଗରୁ ମାମଲାର ତଦନ୍ତ କରୁଥିବା ମୁମ୍ୱାଇ ପୋଲିସକୁ ତଦନ୍ତ ଆରମ୍ଭ ନକରିବାକୁ କହି ସିବିଆଇ ତଦନ୍ତ କରିବାକୁ ରିପବ୍ଲିକ୍ ଟିଭି ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଏବେ ଟିଭି ଚ୍ୟାନେଲର ଅଫିସ ୱର୍ଲିରେ ଥିବାରୁ ବମ୍ବେ ହାଇକୋର୍ଟରେ ଆବେଦନ କରିବାକୁ କହି ରିପବ୍ଲିକର ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।