ଆଖୁରୁ ଗୁଡ଼ ପ୍ରସ୍ତୁତ କରୁଥିବା ଚାଷୀଙ୍କ ଦୁଃଖ । ପରିଶ୍ରମ ମୁତାବକ ପାରିଶ୍ରମିକ ମିଳୁନଥିବା ଅଭିଯୋଗ, ସୁବିଧା ନଥିବାରୁ ଶସ୍ତାରେ ଦଲାଲଙ୍କୁ ବିକୁଛନ୍ତି ହାତ ତିଆରି ଗୁଡ ।

295

କନକ ବ୍ୟୁରୋ: ଚିନି ହେଉ କି ଗୁଡ଼, ସମସ୍ତଙ୍କ ଆଦର । ଆଉ ଏ ସବୁ ପ୍ରସ୍ତୁତ ହେଉଛି ଆଖୁ ରସରୁ । ଆଖୁକୁ ପେଡି ସେଥିରୁ ଗୁଡ ପ୍ରସ୍ତୁତ କରୁଛନ୍ତି ଆଖୁ ଚାଷୀ । ହେଲେ ପରିଶ୍ରମ ମୁତାବକ ପାରିଶ୍ରମିକ ମିଳୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ରାଜ୍ୟରେ କୌଣସି ବଜାରର ସୁବିଧା ନାହିଁ, ତେଣୁ ଦଲାଲଙ୍କ ହାତରେ ଗୁଡ଼ ବଜାର । ଫଳରେ ଗୁଡ଼ ଦର କମି ଯାଉଛି, ଏବଂ ବର୍ଷ ଯାକର ଅମଳ ଆଦାୟ ବେଳକୁ ପାରିଶ୍ରମିକ ମିଳୁନଥିବା କହିଛନ୍ତି ଜୟପୁରର ଆଖୁ ଚାଷୀ ।

ଆଖୁ ଫସଲ ଅମଳ କରିବା ପାଇଁ ଚାଷୀଙ୍କ ଏକ ବର୍ଷ ଅପେକ୍ଷା କରିବାକୁ ପଡେ । ଆଖୁ ଚାଷ ପାଇଁ ୧ ଏକର ଜମିରେ ପ୍ରାୟ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହୁଏ । ତଥାପି ଏହା ଏକ ଅର୍ଥକାରୀ ଫସଲ ହୋଇଥିବା କୋରାପୁଟ ଜିଲ୍ଲା ଜୟପୁର ଅଂଚଳର ଚାଷୀ ଆଖୁ ଚାଷ କରନ୍ତି । ଏବଂ ଆଖୁରୁ ଗୁଡ ପ୍ରସ୍ତୁତ କରି ବିକ୍ରୀ କରିଥାନ୍ତି । ହେଲେ ଏବେ ଗୁଡ କିଲୋ ପ୍ରତି ୨୩ ଟଙ୍କା ଥିବାରୁ ଚାଷୀଙ୍କୁ ସେମାନଙ୍କ ପାରିଶ୍ରମିକ ମିଳୁନଥିବା ଅଭିଯୋଗ ହୋଇଛି ।

ଘରୋଇ ଗୁଡର ଦର କମିବାର କାରଣ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ଗୁଡ଼ । ଚାଷୀଙ୍କ କହିବା ଅନୁସାରେ କେମିକାଲ ଯୁକ୍ତ ଗୁଡ କମ୍ ଦରରେ ମିଳୁଥିବାରୁ ସେମାନେ ପ୍ରସ୍ତୁତ କରୁଥିବା ଗୁଡ଼ କିଣିବାକୁ ଆସୁନାହାନ୍ତି ଗ୍ରାହକ । ତେଣୁ ସେମାନେ ବାଧ୍ୟ ହୋଇ ସସ୍ଥାରେ ମଧ୍ୟସ୍ଥିଙ୍କ ହାତକୁ ଟେକି ଦେଉଛନ୍ତି । ଫଳରେ ବ୍ୟବସାୟୀ ଲାଭ ପାଉଥିବା ବେଳେ କ୍ଷତି ସହୁଛନ୍ତି ଅସଲ ଚାଷୀ ।

ପଢ଼ନ୍ତୁ କେତେ ଆଖୁରୁ କେତେ ଗୁଡ ଆଦୟ ହୁଏ ଏବଂ କେମିତି ବିକ୍ରୀ ହୁଏ ।
୧. ୧ ଟନ୍ ଆଖୁରୁ ୧ କ୍ୟୁଇଂଟାଲ ୧୦ କେଜି ଗୁଡ଼ ଆଦାୟ ହୁଏ ।
୨. ତରଳ ଗୁଡ଼କୁ ଥଣ୍ଡା କରି ବସ୍ତାରେ ଭାଗ ଭାଗ କରି ୫୦ କିଲୋ ହିସାବରେ ଭର୍ତି କରାଯାଏ ।
୩. ସିଧା ଚାଷୀଙ୍କ ପାଖରୁ କମ୍ ଦରରେ କିଣି ନେଉଛନ୍ତି ବ୍ୟବସାୟୀ ।
୪. ଆଖୁ କାଟି ଗୁଡ ପ୍ରସ୍ତୁତ କରିବାକୁ ୨ରୁ ୩ ମାସ ସମୟ ଲାଗେ ।