‘ଫୋନି’କୁ ନେଇ ଜାରି ହେଲା ଆଡଭାଇଜରି । ଓଡିଶା ସମେତ ୭ଟି ରାଜ୍ୟକୁ ଆଡଭାଇଜରି ଜାରି କଲେ କେନ୍ଦ୍ର ସରକାର

1,263

କନକ ବ୍ୟୁରୋ: ବାତ୍ୟା ଫୋନିକୁ ନେଇ କେନ୍ଦ୍ର ସରକାର ଜାରି କରିଛନ୍ତି ଆଡଭାଇଜରି । ଓଡିଶା ସମେତ ୭ଟି ରାଜ୍ୟକୁ ସତର୍କ କରାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ଓଡିଶା, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, ଲକ୍ଷାଦୀପ ଓ ଆଣ୍ଡାମାନ ନିକୋବର ଏବଂ କେରଳକୁ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ଆଡଭାଇଜରି ଜାରି କରିଛନ୍ତି କେନ୍ଦ୍ର ସରକାର ।

ତେବେ ଭାରତ ମହାସାଗରରେ ସୃଷ୍ଟି ହୋଇ ଧୀରେ ଧୀରେ ଭାରତର ପୂର୍ବ ଉପକୂଳ ଆଡକୁ ଆଗଉ ଥିବା ଭୀଷଣ ସାମୁଦ୍ରିକ ମହାବାତ୍ୟା ‘ଫୋନି’ର ଗତିପଥ ଧୀରେ ଧୀରେ ଓଡ଼ିଶା ଆଡକୁ ମୁହାଁଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁପ୍ରକାରର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଜିଲ୍ଲା ପ୍ରଶାସନ, ଓଡ୍ରାଫ ଓଏନଡିଆରଏଫ ଟିମକୁ ସଜାଗ ରଖାଯାଇଛି । ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ କାର‌୍ୟ୍ୟାଳୟ ଓ ଗୃହମନ୍ତ୍ରାଳୟ ତୀକ୍ଷଣ ନଜର ରଖିଛି ।

‘ଫୋନି’ ବର୍ତ୍ତମାନ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୨୦ କିଲୋମିଟର ପୂର୍ବ ଦିଗରେ ତଥା ଚେନ୍ନାଇଠାରୁ ୮୪୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇରହିଛି । ଏହା ଆସନ୍ତା ୬ ଘଣ୍ଟା ମଧ୍ୟରେ ଏକ ଭୀଷଣ ସାମୁଦ୍ରିକ ଝଡ଼ ଓ ପରବର୍ତ୍ତି ୨୪ ଘଣ୍ଟା ମଧ୍ୟରେ ଏକ ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ । ‘ଫୋନି ‘ପ୍ରଭାବରେ ଦ୍ୱାରା ଆସନ୍ତା ୩୦ ଏପ୍ରିଲ ଓ ୧ ମଇରେ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପବନର ବେଗ ଏହିସବୁ ରାଜ୍ୟଗୁଡ଼ିକରେ ଘଣ୍ଟାପ୍ରତି ୧୪୫ରୁ ୧୫୫ କିଲମିଟର ଓ କେତେକ କ୍ଷେତ୍ରରେ ୧୭୦ କିଲୋମିଟର ଛୁଇଁବା ଆଶଙ୍କା କରାଯାଉଛି । ଓଡ଼ିଶାରେ ଆସନ୍ତା ୨-୩ ରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ।

ତେବେ ଆସନ୍ତା ୪ ତାରିଖ ପୂର୍ବରୁ ଏହି ବାତ୍ୟା ଲାଣ୍ଡଫଲ କରିବାର ସମ୍ଭାବନା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣପଦ ସେଠୀ କହିଛନ୍ତି । କିନ୍ତୁ ଓଡ଼ିଶାରେ ଲାଣ୍ଡଫଲ ହେଲେ ପରିସ୍ଥିତି ଅଧିକ ଭୟଙ୍କର ହେବା ଆଶଙ୍କା କରାଯାଉଛି ।