କନକ ବ୍ୟୁରୋ : ଉତ୍ତର-ପୂର୍ବର ୩ଟି ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ବିଧାନସଭା ନିର୍ବାଚନ ସରିଛି । ତ୍ରିପୁରାରେ ଗତ ୧୬ ତାରିଖରେ ଭୋଟ ପଡିଥିବା ବେଳେ ଗତକାଲି ମେଘାଳୟ ଓ ନାଗାଲାଣ୍ଡରେ ଭୋଟ ପଡିଛି । ଭୋଟ ଗଣତି ମାର୍ଚ୍ଚ ୨ ତାରିଖରେ ହେବ । ଏହାପୂର୍ବର୍ରୁ ୩ ରାଜ୍ୟର ଏକଜିଟ ପୋଲ ପ୍ରକାଶ ପାଇଛି । ତ୍ରିପୁରାରେ ଲଗାତାର ଦ୍ୱିତୀୟ ଥର ଲାଗି ବିଜେପି କ୍ଷମତାସୀନ ହେବ ବୋଲି ଏକ୍ସଜିଟ ପୋଲରେ ଅନୁମାନ କରାଯାଇଛି । ଏହି ୩ଟି ଯାକ ରାଜ୍ୟରେ ୬୦ଟି ଲେଖାଁଏ ବିଧାନସଭା ଆସନ ରହିଛି ।

Advertisment

ତ୍ରିପୁରା

ଇଣ୍ଡିଆ ଟୁଡେ-ଆକ୍ସିସ ମାୟ ଇଣ୍ଡିଆର ଏକଜିଟ ପୋଲ ଅନୁସାରେ, ତ୍ରିପୁରାରେ ବିଜେପି ଦ୍ୱିତୀୟ ଥର ପାଇଁ କ୍ଷମତାସୀନ ହେବାକୁ ଯାଉଛି । ମୋଟ ୬୦ ଆସନ ମଧ୍ୟରୁ ବିଜେପିକୁ ୩୬ରୁ ୪୫ ଆସନ ମିଳିବା ଅନୁମାନ କରାଯାଉଛି । ସେହିଭଳି ବାମଦଳ-କଂଗ୍ରେସ ମେଂଟକୁ ୬ରୁ ୧୧ ଆସନ ମିଳିବା ଅନୁମାନ କରାଯାଉଛି । ରାଜ୍ୟରେ ନୂଆ ଦଳ ଟିପ୍ରା ମୋଥା ପାର୍ଟି, ଟିଏମପିକୁ ୯ରୁ ୧୬ ଆସନ ମିଳିବା ଅନୁମାନ କରିଛି ଇଣ୍ଡିଆ ଟୁଡେ-ଆକ୍ସିସ ମାୟ ଇଣ୍ଡିଆ । ତ୍ରିପୁରାରେ ୨୦୧୮ରେ ବାମ ସରକାରର ଅନ୍ତ ଘଟାଇ ବିଜେପି କ୍ଷମତାସୀନ ହୋଇଥିଲା ।

ଟାଇମ୍ସ ନାଓର ଆକଳନ ଅନୁସାରେ, ତ୍ରିପୁରାରେ ବିଜେପି, ବାମ-କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ । ସଂସ୍ଥାର ଅନୁମାନ ଅନୁସାରେ, ବିଜେପିକୁ ୨୪ ଆସନ ମିିଳିପାରେ । ବାମଦଳ-କଂଗ୍ରେସ ମେଂଟକୁ ୨୧ଟି ଆସନ ମିଳିବା ସମ୍ଭାବନା ରହିଛି । ସେହିଭଳି ଟିଏମପିକୁ ୧୪ ଆସନ ମିଳିବା ସମ୍ଭାବନା ରହିଛି ।

ଜି ନ୍ୟୁଜ ଆକଳନ ଅନୁସାରେ, ବିଜେପିକୁ ୨୯ରୁ ୩୬, ବାମଦଳ-କଂଗ୍ରେସକୁ ୧୩ରୁ ୨୧ ଓ ଟିଏମପିକୁ ୧୧ରୁ ୧୬ ଆସନ ମିଳିପାରେ । ଅନ୍ୟାନ୍ୟଙ୍କୁ ୩ ଆସନ ମିଳିବା ସମ୍ଭାବନା ରହିଛି ।

ମେଘାଳୟ

ସେହିଭଳି ମେଘାଳୟର ମୋଟ ୬୦ ଆସନ ମଧ୍ୟରୁ ଇଣ୍ଡିଆ ଟୁଡେ-ଆକ୍ସିସ ମାୟ ଇଣ୍ଡିଆର ଏକଜିଟ ପୋଲ ଅନୁସାରେ, ନ୍ୟାସନାଲ ପିପୁଲସ ପାର୍ଟି, ଏନପିପିକୁ ୧୮ରୁ ୨୪ ଆସନ ମିଳିବା ଅନୁମାନ କରାଯାଉଛି । ସେହିଭଳି କଂଗ୍ରେସକୁ ୬ରୁ ୧୨ ଆସନ ମିଳିବା ଅନୁମାନ କରାଯାଉଛି । ବିଜେପିକୁ ୪-୮ ଓ ଅନ୍ୟ ଦଳକୁ ମଧ୍ୟ ୪-୮ ଆସନ ମିଳିବା ଅନୁମାନ କରିଛି ଇଣ୍ଡିଆ ଟୁଡେ-ଆକ୍ସିସ ମାୟ ଇଣ୍ଡିଆ ।

ଟାଇମନ୍ସ ନାଓର ଏକଜିଟ ପୋଲ ଅନୁସାରେ, ଏନପିପିକୁ ୨୨ ଆସନ ମିଳିପାରୋ କଂଗ୍ରେସକୁ ୩, ବିଜେପିକୁ ୫ ଓ ଅନ୍ୟାନ୍ୟ ଦଳକୁ ୨୯ ଆସନ ମିଳିବା ସମ୍ଭାବନା ରହିଛି । ରାଜ୍ୟରେ ସରକାର ଗଢିବା ପାଇଁ ୩୧ ଆସନ ଦରକାର ହେଉଛି ।

ଜୀ ନ୍ୟୁଜର ଏକଜିଟ ପୋଲ ଅନୁସାରେ. ଏନପିପିକୁ ୨୧ରୁ ୨୬, ବିଜେପିକୁ ୬ରୁ ୧୧, କଂଗ୍ରେସକୁ ୩ରୁ ୬ ଆସନ ମିଳିପାରେ । ସେହିଭଳି ତୃଣମୂଳ କଂଗ୍ରେସକୁ ୮ରୁ ୧୩ ଓ ଅନ୍ୟାନ୍ୟ ଦଳକୁ ୧୦ରୁ ୧୯ ଆସନ ମିଳିବା ସମ୍ଭାବନା ରହିଛି ।

ନାଗାଲାଣ୍ଡ

ସେହିଭଳି ନାଗାଲାଣ୍ଡରେ ଝୁଲା ବିଧାନସଭା ଗଠନ ହେବାର ଅନୁମାନ କରିଛନ୍ତି ବିଭିନ୍ନ ସଂସ୍ଥା । ଇଣ୍ଡିଆ ଟୁଡେ-ଆକ୍ସିସ ମାୟ ଇଣ୍ଡିଆ ଅନୁସାରେ, ଏନଡିଏକୁ ୩୮ରୁ ୪୮ ଆସନ ମିିଳିବା ସମ୍ଭାବନା ରହିଛି । ଏନପିଏଫ ୩ରୁ ୮, କଂଗ୍ରେସକୁ ୧ରୁ ୨ ଓ ଅନ୍ୟାନ୍ୟ ଦଳକୁ ୫ରୁ ୧୫ ଆସନ ମିଳିବା ସମ୍ଭାବନା ରହିଛି ।

ଟାଇମନ୍ସ ନାଓ ଏକଜିଟ ପୋଲ ଅନୁସାରେ, ଏନଡିଏକୁ ୪୪, ଏନପିଏଫ ୬ ଓ ଅନ୍ୟାନ୍ୟ ୯ଟି ଆସନରେ ଜିତିବା ସମ୍ଭାବନା ରହିଛି ।

ଜି ନ୍ୟୁଜର ଏକଜିଟ ପୋଲ କହୁଛି , ଏନଡିଏକୁ ୩୫ରୁ ୪୩ ଆସନ ମିଳିପାରେ । ଆଂଚଳିକ ଦଳ ଏନପିଏଫକୁ ୨ରୁ ୫ ଓ କଂଗ୍ରେସକୁ ୧ରୁ ୩ ଆସନ ମିଳିପାରେ । ଅନ୍ୟାନ୍ୟ ୬ରୁ ୧୧ ଆସନ ଜିତିପାରନ୍ତି ।