ତ୍ରିପୁରା ବିଧାନସଭାରେ ହଙ୍ଗାମା, ଟେବୁଲ ଉପରେ ଚଢି ବିରୋଧ ପ୍ରଦର୍ଶନ କଲେ ବିଧାୟକ

152

କନକ ବ୍ୟୁରୋ: ତ୍ରିପୁରା ବିଧାନସଭାରେ ଶୁକ୍ରବାର ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଅଧିବେଶନ ଆରମ୍ଭ ହେଉ ହେଉ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ବିଜେପି ଏବଂ ଟିପ୍ରା ମୋଥା ଦଳର ବିଧାୟକଙ୍କ ମଧ୍ୟରେ ଅନେକ ସମୟ ଧରି କଥା କଟାକାଟି ହୋଇଥିଲା । ଅନେକ ବିଧାୟକ ଟେବୁଲ ଉପରେ ଚଢି ହଙ୍ଗାମା କରୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଅନେକ ବିଧାୟକ ହାତାହାତି ହୋଇଥିଲେ । ଏହି ଘଟଣା ପରେ ୫ ବିଧାୟକଙ୍କୁ ନିଲମ୍ବନ କରାଯାଇଛି ।

ସୂଚନା ଅନୁସାରେ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା । ବିରୋଧୀ ଦଳ ନେତା ଅନିମେଶ ଦେବବର୍ମାଙ୍କ ଗୋଟିଏ ପ୍ରଶ୍ନକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ବିରୋଧୀ ଦଳର ନେତା ବିଧାନସଭାରେ ବିଜେପିର ନେତା ପର୍ଣ୍ଣ ଭିଡିଓ ଦେଖିବା ମାମଲା ଉଠାଇଥିଲେ । ଏହାପରେ ବାଚସ୍ପତି ଏହି ପ୍ରଶ୍ନକୁ ଏଡାଇଯାଇଥିଲେ । ବିରୋଧୀ ଦଳର ସଦସ୍ୟ ଏହାକୁ ନେଇ ଚିନ୍ତାପ୍ରକାଶ କରିଥିଲେ । ତେବେ ଦେଖୁ ଦେଖୁ ସ୍ଥିତି ଏମିତି ହୋଇଯାଇଥିଲା ଯେ ବିଧାୟକ ଟେବୁଲ ଉପରେ ଚଢି ବିରୋଧ ପ୍ରଦର୍ଶନ କରିଥିଲେ ।