କନକ ବ୍ୟୁରୋ : ତ୍ରିପୁରା ବିଧାନସଭାର ୬୦ଟି ଆସନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ନିର୍ବାଚନ ପ୍ରଚାର ଶେଷ ହୋଇଛି । ରାଜ୍ୟରେ ୬୦ଟି ବିଧାନସଭା ଆସନରେ ମୋଟ ୨୫୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେପି ପୁଣିଥରେ କ୍ଷମତାକୁ ଫେରିବାକୁ ଅଣ୍ଟା ଭିଡିଥିବା ବେଳେ ଏଥର ବିରୋଧୀ ବାମପନ୍ଥୀ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ମଇଦାନକୁ ଉହ୍ଲାଇଛି   । ସେପଟେ ତ୍ରିପୁରା ରାଜପରିବାରର ବଂଶଧର ପ୍ରଦ୍ୟେତ ବିକ୍ରମ ମାଣିକ୍ୟ ଦେବବର୍ମନଙ୍କ ନୂଆ ପାର୍ଟି ତିପରା ମୋଥା ପ୍ରଥମଥର ନିର୍ବାଚନରେ ପ୍ରାର୍ଥୀ ଦେଇଛି । ଏହି କାରଣରୁ ବିଜେପି ଆଗରେ ବାମଦଳ ଓ କଂଗ୍ରେସର ମେଣ୍ଟ ସହ ତିପରା ମୋଥା ପାର୍ଟି ମଧ୍ୟ ପ୍ରଚୀର ହୋଇ ଠିଆ ହୋଇଛି ।

Advertisment

ତ୍ରିପୁରା ବିଧାନସଭାର ମୋଟ ୬୦ ଆସନ ମଧ୍ୟରୁ ବିଜେପି ୫୫ଟି ରେ ପ୍ରାର୍ଥୀ ଦେଇଥିବା ବେଳେ ପୂର୍ବ ସହଯୋଗୀ ଆଇପିଏଫଟିକୁ ୫ଟି ଆସନ ଛାଡିଛି । ସେହିଭଳି କଂଗ୍ରେସ ଓ ବାମଦଳ ମଧ୍ୟରେ ହୋଇଥିବା ଆସନ ବୁଝାମଣା ମୁତାବକ ବାମଦଳ ୪୩ଟି କଂଗ୍ରେସ ୧୩, ସ୍ୱାଧୀନ ପ୍ରାର୍ଥୀ ୧ ଓ ଅନ୍ୟବାମଦଳମାନେ ୩ଟି ଆସନରେ ନିର୍ବାଚନ ଲଢୁଛନ୍ତି । ଅନ୍ୟପଟେ ତିପରା ମୋଥା ପାର୍ଟି ୪୨ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ମମତା ବାନାର୍ଜୀଙ୍କ ଟିଏମସି ୨୮ଟି ଆସନରେ ନିର୍ବାଚନ ଲଢୁଛି । ଏହାସହ ୫୮ ଜଣ ସ୍ୱାଧୀନ ପ୍ରାଥୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ତ୍ରିପୁରାରେ ଲଗାତର ଭାବେ ୨୫ ବର୍ଷ ଧରି ବାମଦଳର ସରକାର ରହିଥିଲା । ହେଲେ ୨୦୧୮ ମସିହାରେ ହୋଇଥିବା ନିର୍ବାଚନରେ ବିଜେପି ୧ ପ୍ରତିଶତ ଅଧିକ ଭୋଟ ପାଇଥିଲେ ବି ଆସନ ଗଣିତରେ ବହୁ ଆଗକୁ ଚାଲିଯାଇଥିଲା । ୨୦୧୮ ନିର୍ବାଚନରେ ବିଜେପିକୁ ୩୬ ଟି ଆସନ ମିଳିଥିବା ବେଳେ ମେଣ୍ଟ ଆଇପିଏଫଟି ୮ଟି ଆସନରେ ବିଜୟୀ ହୋଇଥିଲା ଅର୍ଥାତ ବିଜେପି ମେଣ୍ଟ ୪୪ ଟି ଆସନରେ ବିଜୟୀ ହୋଇଥିବା ବେଳେ ବାମଦଳ ମାତ୍ର ୧୬ଟି ଆସନରେ ସନ୍ତୋଷ୍ଟ ରହିଥିଲା ।

୨୦୧୮ ମସିହାରେ ବାମଦଳକୁ ୪୩.୩୫ ପ୍ରତିଶତ ଭୋଟ ମିଳିଥିଲା ଯାହାକୁ ବିଜେପି ପାଇଥିବା ଭୋଟ ପ୍ରତିଶତର ୧ ପ୍ରତିଶତରୁ କମ୍ । ସେପଟେ କଂଗ୍ରେସକୁ ଗୋଟିଏ ବି ଆସନ ମିଳିନଥିବା ବେଳେ ଦଳର ଭୋଟ ହାର ୧.୭ ପ୍ରତିଶତରେ ଅଟକି ଯାଇଥିଲା । ଯଦି ରାଜ୍ୟରେ ୨୦୧୮ର ମାହୋଲ ରକ୍ଷା କରିବାରେ ବାମଦଳ ଓ କଂଗ୍ରେସ ସମର୍ଥ ହୁଅନ୍ତି ତେବେ ଉଭୟଙ୍କ ଭୋଟ ପ୍ରତିଶତ ମିଶିଗଲେ ତାହା ବିଜେପିକୁ ପରାଜୟର ଦ୍ୱାରଦେଶରେ ଠିଆ କରିଦେବ । ହେଲେ ନୂଆକରି ଗଠନ ହୋଇଥିବା ତିପୁରା ମୋଥା ପାର୍ଟି ଉଭୟ ବାମମେଣ୍ଟ ଓ ବିଜେପି ଆଗରେ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି । କୁହାଯାଉଛି କି ଏଥର କିଏ ସରକାର ଗଠନ କରିବ ତାହା ତିପୁରା ମୋଥା ପାର୍ଟି ନିଷ୍ପତ୍ତି କରିବ ।