କନକ ବ୍ୟୁରୋ : ତ୍ରିପୁରା ବିଧାନସଭାର ୬୦ଟି ଆସନ ପାଇଁ ଆଜି ଭୋଟ ଗ୍ରହଣ ଜାରି ରହିଛି । ଦିନ ୧୧ଟା ସୁଦ୍ଧା ମିଳିଥିବା ରିପୋର୍ଟ ମୁତାବକ ୩୨ ପ୍ରତିଶତ ଭୋଟିଂ ହୋଇଛି । ଭୋଟର ପ୍ରତିଶତକୁ ନଜର କଲେ ଚଳିତ ନିର୍ବାଚନରେ ଲୋକମାନେ ଭୋଟିଂ କରିବାକୁ ଉତ୍ସାହିତ ଥିବା ନଜରକୁ ଆସିଛି । ଚଳିତ ଥର ତ୍ରିପୁରା ବିଧାନସଭା ନିର୍ବାଚନ ତ୍ରିକୋଣୀୟ ହେଉଛି । ଗୋଟିଏ ପଟେ ଶାସକ ବିଜେପି ପୁଣିଥରେ କ୍ଷମତାକୁ ଫେରିବାକୁ ଜୋରଦାର ପ୍ରୟାସ କରୁଥିବା ବେଳେ କଂଗ୍ରେସ ଓ ବାମମେଣ୍ଟ ବିଜେପିକୁ କଡା ଟକ୍କର ଦେଉଛି । ହେଲେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନକୁ ଉହ୍ଲାଇଥିବା ରାଜ୍ୟର ନୂଆ ରାଜନୈତିକ ଦଳ ଟିପରା ମୋଥା ମଧ୍ୟ ବହୁମତ ହାସଲ କରିବ ବୋଲି ଦାବି କରିଛି । ଟିପରା ମୋଥାର ଅଧ୍ୟକ୍ଷ ପ୍ରଦ୍ୟୋତ ମାଣିକାୟ ଦେବବର୍ମାଙ୍କ ବୟାନ ଏବେ ରାଜନୀତିକୁ ସରଗରମ କରିଛି । ସେ କହିଛନ୍ତି କି ନିର୍ବାଚନରେ ତାଙ୍କଦଳକୁ ବହୁମତ ନମିଳିଲେ ସେ ବିଜେପିରୁ ୨୫-୩୦ ଜଣ ବିଧାୟକ କିଣିବାକୁ ଯୋଜନା କରିଛନ୍ତି ।

Advertisment

ଦେବବର୍ମା କହିଛନ୍ତି କି କେବଳ ତାଙ୍କ ପାର୍ଟି କ୍ଷମତାସୀନ ବିଜେପି ବିରୋଧରେ ଲଢେଇ କରୁଛି । ହେଲେ ଯଦି ତାଙ୍କଦଳକୁ ବହୁମତ ନମିଳେ ତେବେ ସେ ବିଜେପିରୁ ବିଧାୟକ କିଣି ସରକାର ଗଠନ କରିବା କଥା ଚିନ୍ତା କରୁଛନ୍ତି । ସେ କହିଛନ୍ତି କି ଯଦି ଦଳକୁ ୩୦ରୁ କମ ଆସନ ମିଳେ ତେବେ ସେ ନିଜ ଘରର କିଛି ଅଂଶ କିଣି ବିଜେପିରୁ ବିଧାୟକ କିଣିବେ । ସେ କହିଛନ୍ତି କି, ମୋ ପାଖରେ ବହୁତ ଟଙ୍କା ରହିଛି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି କି ଭାବନ୍ତୁ ନାହିଁ କେବଳ ଅନ୍ୟଦଳର ବିଧାୟକ ବିକ୍ରି ହେଉଛନ୍ତି , ପାଖରେ ଟଙ୍କା ଥିଲେ ବିଜେପି ଦଳରୁ ମଧ୍ୟ ବିଧାୟକ କିଣାଯାଇପାରିବ ।