ତ୍ରିପୁରାରେ ୧,୮୦୦ ଜଣଙ୍କ ଠାରେ ଏନିମିଆ ଭୂତାଣୁ ଚିହ୍ନଟ । ଜୁଲାଇ ପହିଲାରୁ ଚାଲିଛି ପରୀକ୍ଷଣ

112

କନକ ବ୍ୟୁରୋ : କରୋନା ପରେ ଏବେ ତ୍ରିପୁରାରେ ଏନିମିଆ ଭୂତାଣୁ ସଂକ୍ରମଣ । ରାଜ୍ୟରେ ଜୁଲାଇ ପହିଲାରୁ ୯ ତାରିଖ ପର୍ଯ୍ୟନ୍ତ ୪,୪୨୯ ଜଣଙ୍କର ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୭୯୯ ଜଣଙ୍କ ଠାରେ ଏନିମିଆ ଭୂତାଣୁ ଚିହ୍ନଟ ହୋଇଛି । ଏନିମିଆ ସଂକ୍ରମଣ ମାମଲାରେ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୫୦ ଜଣ ଗମ୍ଭୀର ସ୍ଥିତିରେ ଥିବା ବେଳେ ୭୧୦ ଜଣ ମଧ୍ୟମ ଓ ୧୦୩୪ ଜଣଙ୍କ ଠାରେ ସ୍ୱଳ୍ପ ସଂକ୍ରମଣ ଦେଖା ଦେଇଛି । ନବୀନତମ ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ମୁତାବକ ରାଜ୍ୟରେ ଏନିମିଆ ସଂକ୍ରମଣ ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟ ବିଭାଗ କ୍ୟାମ୍ପେନ ମୋଡରେ ପରୀକ୍ଷଣ ଆରମ୍ଭ କରିଛି ।

ଏନିମିଆ ମୁକ୍ତ ତ୍ରିପୁରା ଅଭିଯାନର ମୁଖ୍ୟ ଅଧିକାରୀ ମୌସମୀ ସରକାର କହିଛନ୍ତି କି, ନବୀନତମ ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ-୪ ମୁତାବକ ତ୍ରିପୁରାରେ ପାଖା ପାଖି ୫୦ ପ୍ରତିଶତ ଏନିମିଆ ମାମଲା ଥିଲା ହେଲେ ଏବେର ରିପୋର୍ଟ ମୁତାବକ ଏହା ୬୭ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ଚିନ୍ତାର ବିଷୟ ହୋଇଥିବା ବେଳେ ଜୁଲାଇ ପହିଲାରୁ ପରୀକ୍ଷଣ ଜୋରଦାର କରାଯାଇଛି ।

ଏହାସହ ମୌସମୀ ସରକାର କହିଛନ୍ତି କି ଏନିମିଆ ପରୀକ୍ଷଣରେ ୨ ପ୍ରକାର ପଦ୍ଧତି ଅବଲମ୍ବନ କରାଯାଉଛି । ପ୍ରଥମଟି ସାହିଲ ପରୀକ୍ଷା ପଦ୍ଧତି ଓ ଦ୍ୱିତୀୟଟି ଡିଜିଟାଲ ଏଚବି ପଦ୍ଧତି । ମୋଟ ୪,୪୨୯ ଜଣଙ୍କର ପରୀକ୍ଷା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସାହିଲ ପରୀକ୍ଷା ପଦ୍ଧତିରେ ୨,୯୦୫ ଜଣଙ୍କର ପରୀକ୍ଷା କରାଯାଇଥିବା ବେଳେ ୨,୦୦୬ ଜଣଙ୍କର ଡିଜିଟାଲ ଏଚବି ପଦ୍ଧତିରେ ପରୀକ୍ଷା କରାଯାଇଛି । ଏହାସହ ପରୀକ୍ଷଣ ବଢାଇବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ହିମୋଗ୍ଲୋବିନୋମିଟର ପ୍ରସ୍ତୁତ କରାଯାଇଥିବା କଥା ସେ କହିଛନ୍ତି ।