କନକ ବ୍ୟୁରୋ : ଦେଶର ମୁସଲମାନ ମହିଳାଙ୍କ ଅଧିକାର ପାଇଁ ଐତିହାସିକ ଦିନ । ତିନି ତଲାକ ସଂପର୍କିତ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ଏହି ଅଧ୍ୟାଦେଶ ଅନୁସାରେ ତିନି ତଲାକ ଏକ ଅପରାଧ ଭାବେ ବିବେଚିତ ହେବ । ଅଧ୍ୟାଦେଶ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ଓ ଏହାକୁ କାଏମ ରଖିବା ପାଇଁ ତଲାକ୍-ଏ-ବିଦ୍ଦତ୍ ବା ମୁସଲମାନ ମହିଳାଙ୍କ ବିବାହ ସଂପର୍କିତ ଅଧିକାର ସୁରକ୍ଷା ଆଇନ- ୨୦୧୭କୁ ସଂସଦରେ ପାରିତ କରାଇବାକୁ ହେବ ।
ଗତବର୍ଷ ଶୀତ ଅଧିବେଶନରେ ଏହି ବିଲ ଲୋକସଭାରେ ପାରିତ ହୋଇଥିବା ବେଳେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କ ଆପତ୍ତି ଯୋଗୁଁ ରାଜ୍ୟସଭାରେ ଅଟକି ରହିଥିଲା । ତେଣୁ ଏଥିରେ କେତେକ ସଂଶୋଧନ କରାଯାଇଛି ।
- ଟ୍ରିପଲ ତଲାକ୍ ଜାମିନ ବିହୀନ ଗିରଫ ପରୱାନା ଶ୍ରେଣୀଭୁକ୍ତ ଅପରାଧ
- କୌଣସି ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କୁ ବେଲ୍ ମିଳିପାରିବ ନାହିଁ
- ଦୋଷୀ ସାବ୍ୟସ୍ତ ହେଲେ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ଜୋରିମାନା ହେବ
- କିନ୍ତୁ ଶୁଣାଣି ପୂର୍ବରୁ ପୀଡିତାଙ୍କ ପକ୍ଷ ଶୁଣିବା ପରେ ମାଜିଷ୍ଟ୍ରେଟ୍ ଚାହିଁଲେ ଅଭିଯୁକ୍ତଙ୍କୁ ଜାମିନ ଦେଇପାରିବେ
- ସେହିପରି ପୀଡିତାଙ୍କ ପରିବାର ଲୋକ, କିମ୍ବା ରକ୍ତ ସମ୍ପର୍କୀୟ ହିଁ କେବଳ ଏଫଆଇଆର ଦେଇପାରିବେ
- ପତି-ପତ୍ନୀଙ୍କ ମଧ୍ୟରେ ବୁଝାମଣା କରି ବିବାହକୁ କାଏମ ରଖିପାରିବେ ମାଜିଷ୍ଟ୍ରେଟ୍
- ତିନି ତଲାକ୍ ବିଲରେ ଆର୍ଥିକ ସହାୟତା ପାଇବା ପାଇଁ ହକଦାର ହେବେ ପୀଡିତା
ପୂର୍ବରୁ ତିନ ତଲାକକୁ ବେଆଇନ ଓ ଅସାମ୍ବିଧାନିକ କହିଥିଲେ ସୁପ୍ରିମକୋର୍ଟ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମୁସଲିମ ସନ୍ତୁଷ୍ଟିକରଣ ପାଇଁ ମୋଦି ସରକାର ଏହି ଅଧ୍ୟାଦେଶ ଆଣିଥିବା ଅଭିଯୋଗ କରିଛନ୍ତି ବିରୋଧୀ । ସେପଟେ ସୋନିଆ ଗାନ୍ଧି, ମମତା ବାନାର୍ଜୀ ଓ ମାୟାବତୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ।
ତିନି ତଲାକ ପ୍ରସଙ୍ଗରେ କଂଗ୍ରେସର ବିରୋଧକୁ ବାରମ୍ବାର ସମାଲୋଚନା କରିଆସିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପର୍ଯ୍ୟନ୍ତ କଂଗ୍ରେସ ଓ ଏହାର ନେତାଙ୍କୁ କଟୁ ସମାଲୋଚନା କରିଛନ୍ତି । ଏବେ ଅଧ୍ୟାଦେଶକୁ ବିରୋଧ କଲେ ମୁସଲମାନ ବିରୋଧୀ ବୋଲି ଦର୍ଶାଇବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି ।