ଚିନ୍ତା ବଢ଼ାଉଛି ପଡୋଶୀ ପଶ୍ଚିମବଙ୍ଗ । ବିଶେଷଜ୍ଞ କହିଲେ ଟ୍ରିପଲ ମ୍ୟୁଟାଂଟ ଯୋଗୁଁ ହେଉଛି ଦ୍ରୁତ ସଂକ୍ରମଣ ।

କୋଲକାତାରେ କରୋନା ପରୀକ୍ଷା କରୁଥିବା ପ୍ରତି ଦୁଇ ଜଣଙ୍କ ମଧ୍ୟରୁ ଜଣେ ପଜିଟିଭ୍

227

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନ ରାଲିରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖି ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା, ତାହା ଏବେ ସତ ହେଲା ଭଳି ଲାଗୁଛି । ନିଆଁ ଭଳି ମାଡୁଛି କରୋନା । ଏପ୍ରିଲ ପହିଲାରେ ଯେଉଁ ସ୍ଥିତି ଥିଲା, ୨୪ ଦିନ ଭିତରେ ପୂରା ସ୍ଥିତି ବଦଳି ଯାଇଛି । ଟେଷ୍ଟ-ପଜିଟିଭ୍ ହାର ଯେଉଁ ବେଗରେ ବଢ଼ୁଛି, ତାହା ସମସ୍ତଙ୍କ ନିଦ ହଜାଇ ଦେଇଛି ।

  • ଚିନ୍ତା ବଢ଼ାଉଛି ପଡ଼ୋଶୀ ପଶ୍ଚିମବଙ୍ଗ
  • କୋଲକାତାରେ ସଙ୍ଗୀନ ହେଉଛି ସ୍ଥିତି
  • ପ୍ରତି ଦୁଇଟି ଆରଟି-ପିସିଆର ଟେଷ୍ଟରେ ଜଣେ ପଜିଟିଭ
  • ଟ୍ରିପଲ୍ ମ୍ୟୁଂଟାଟ ଭୂତାଣୁ ଆଣୁଛି କି ବଡ଼ ବିପଦ?

ପଶ୍ଚିମବଙ୍ଗରେ ଏପ୍ରିଲ ୧ ତାରିଖରେ ଯେତିକି ଆରଟି-ପିସିଆର୍ ଟେଷ୍ଟ ହୋଇଥିଲା, ଏହାର ୪.୯ ପ୍ରତିଶତ ପଜିଟିଭ୍ ମାମଲା ଆସିଥିଲା । ଏପ୍ରିଲ ୭ ତାରିଖରେ ଏହା ୮.୧ ପ୍ରତିଶତକୁ ବୃଦ୍ଧି ପାଇଥିଲା । ୧୫ ତାରିଖରେ ୧୬ ପ୍ରତିଶତ ହୋଇଥିବା ବେଳେ ୨୪ ତାରିଖରେ ତାହା ଲମ୍ବା ଡିଆଁ ମାରି ପହଁଚି ଯାଇଛି ୨୫.୯ ପ୍ରତିଶତ । ଏହାର ଅର୍ଥ ହେଉଛି, କରୋନା ପରୀକ୍ଷା କରୁଥିବା ୪ ଜଣ ଲୋକଙ୍କ ମଧ୍ୟରେ ଜଣେ ପଜିଟିଭ୍ ବାହାରୁଛି ।

ପଶ୍ଚିମବଙ୍ଗ ‘ଟେଷ୍ଟ-ପଜିଟିଭ୍’ ହାର

  • ଏପ୍ରିଲ ୧ : ୪.୯ ପ୍ରତିଶତ
  • ଏପ୍ରିଲ ୭ : ୮.୧ ପ୍ରତିଶତ
  • ଏପ୍ରିଲ ୧୫ : ୧୬ ପ୍ରତିଶତ
  • ଏପ୍ରିଲ ୨୪ : ୨୫.୯ ପ୍ରତିଶତ

କୋଲକାତା ଓ ଏହାର ଉପକଣ୍ଠରେ ସଂକ୍ରମଣ ସାଂଘାତିକ ଭାବେ ବ୍ୟାପୁଛି । କୋଲକାତା ସହର ଓ ଏହାର ଆଖପାଖ ଅଂଚଳରେ ସ୍ଥିତି ସଂଗୀନ ହେବାରେ ଲାଗିଛି । ପ୍ରତି ୨ ଜଣ କରୋନା ପରୀକ୍ଷା କରିଥିବା ଆସୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଟେଷ୍ଟ-ପଜିଟିଭ୍ ହାର ରହିଛି ୪୫ ପ୍ରତିଶତରୁ ୫୫ ପ୍ରତିଶତ ।

କୁହାଯାଉଛି, ଦ୍ରୁତ ସଂକ୍ରମଣର କାରଣ ହେଉଛି ପଶ୍ଚିମବଙ୍ଗରେ ଗତବର୍ଷ ଅକ୍ଟୋବରରେ ଚିହ୍ନଟ ହୋଇଥିବା ଟ୍ରିପଲ୍ ମ୍ୟୁଟାଂଟ ଭୂତାଣୁ । ଏହି ଭୁତାଣୁ ଯୋଗୁଁ କମ ସମୟ ମଧ୍ୟରେ ଦ୍ରୁତ ଗତିରେ ସଂକ୍ରମଣ ବଢୁଛି । ପଶ୍ଚିମବଙ୍ଗର ମାଇକ୍ରୋ-ବାଇଓଲୋଜିଷ୍ଟ ଭାସ୍କର ଚୌଧୁରୀ କହିଛନ୍ତି – ‘ଟ୍ରିପଲ୍ ମ୍ୟୁଟାଂଟ ଭୂତାଣୁର ସଂକ୍ରମଣ କ୍ଷମତା ଅଧିକ ରହିଥିବାରୁ ଏହା ଖୁବ୍ କମ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି । ପରିବାର ଭିତରେ ଜଣେ ସଂକ୍ରମିତ ହେଲେ, ସମ୍ପୂର୍ଣ୍ଣ ପରିବାର ସଂକ୍ରମିତ ହେଉଛନ୍ତି ।’

ପଡୋଶୀ ପଶ୍ଚିମବଙ୍ଗରେ ସ୍ଥିତି ବିଗୁଡିଥିବା ବେଳେ ସତର୍କ ହୋଇଯାଇଛି ଓଡ଼ିଶା । ପ୍ରତିଦିନ ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଲୋକେ ଯିବା ଆସିବା କରିଥାନ୍ତି । ତେଣୁ ସୀମା ସିଲ କରିବା ସହ ଯାଂଚକୁ ମଧ୍ୟ କଡାକଡ଼ି କରାଯାଉଛି । ଓଡ଼ିଶା ଭିତରକୁ ଆସୁଥିବା ଲୋକଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି । ଡିଜିପି ଅଭୟ, ବାଲେଶ୍ୱର ଓ ଭଦ୍ରକ ଯାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଡବଲ୍ ମ୍ୟୁଟାଂଟ ଭୂତାଣୁ, ସମସ୍ତଙ୍କ ନିଦ ହଜାଇ ଦେଇଥିବା ବେଳେ ପଶ୍ଚିମବଙ୍ଗର ଟ୍ରିପିଲ ମ୍ୟୁଟାଂଟ ଏବେ ନୂଆ ଆତଙ୍କ ସୃଷ୍ଟି କରିଛି ।