ବଡ଼ଦାଣ୍ଡରେ କାଳିଆ ସୁନା । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରଥରେ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେଲେ ଶ୍ରୀଜିଉ । ବିନା ଭକ୍ତରେ ଚାଲିଲା ସୁନା ବେଶ ରିତିନୀତି । ରାଜରାଜେଶ୍ୱର ବେଶରେ ରଥ ଉପରୁ ଦର୍ଶନ ଦେଉଛନ୍ତି ତିନି ଠାକୁର ।

168

କନକ ବ୍ୟୁରୋ: ସୁନାବେଶ ବା ରାଜାଧିରାଜ ବେଶ । ବାହୁଡା ପରେ ତିନିଠାକୁର ସୁନାବେଶ ଧାରଣ କରିଛନ୍ତି । ମହଣ ମହଣ ସୁନା ଅଳଙ୍କାରରେ ଭୂଷିତ ହୋଇ ରଥ ଉପରେ ଝଟକୁଛନ୍ତି ଶ୍ରୀଜିଉ । ଭଣ୍ଡାର ଘରୁ ଦିଅଁଙ୍କ ସ୍ୱତନ୍ତ୍ର ସ୍ୱର୍ଣ୍ଣ ଆଭୂଷଣ ଅଣାଯାଇ ଲାଗି କରାଯାଇଛି । ମନ୍ଦିର ବାହାରେ ବର୍ଷକରେ ଥରେ ଏହି ବେଶରେ ଦର୍ଶନ ଦିଅନ୍ତି ଶ୍ରୀଜିଉ । ନଜର ପକାଇବା ତିନି ଠାକୁରଙ୍କ ଅଳଙ୍କାର ଉପରେ ।

ରଥାରୁଢ ଦିଅଁଙ୍କ ଏ ହେଉଛି ସବୁଠୁ ଚିତାକର୍ଷକ ରୂପ । ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ତିନିଠାକୁର । ପୂର୍ବରୁ ଶ୍ରୀଜିଉଙ୍କୁ ୧୩୮ ପ୍ରକାର ଅଳଙ୍କାରରେ ସଜାଇ ଦିଆଯାଉଥିଲା । ଯାହାର ଓଜନ ୨୦୦ କିଲୋଗ୍ରାମରୁ ଅଧିକ ଥିଲା । ଏବେ କିନ୍ତୁ ଅଳଙ୍କାର ସଂଖ୍ୟା ହ୍ରାସ ପାଇଛି । ନଜର ପକାଇବା କେଉଁ ଦିଅଙ୍କ ନିକଟରେ ଲାଗି ହୋଇଥାଏ କେଉଁ ଅଳଙ୍କାର ।

ଶ୍ରୀଜଗନ୍ନାଥ – ଜଗନ୍ନାଥଙ୍କ ଆଭୂଷଣ ମଧ୍ୟରେ ରହିଛି ଏକ ସୁଦୃଶ୍ୟ ସୁବର୍ଣ୍ଣ ହାର । କାଳିଆ ଠାକୁରଙ୍କୁ ଲାଗି ହେଉଥିବା ଶ୍ରୀହସ୍ତ ଓ ଶ୍ରୀପୟରର ଓଜନ ପ୍ରାୟ ୯ କିଲୋ ୨୭୬ ଗ୍ରାମ । ସେହିପରି ମୁକୁଟର ଓଜନ ପ୍ରାୟ ୬ କିଲୋ ୯୧୭ ଗ୍ରାମ । ଏହା ସହ ମୟୂର ଚନ୍ଦ୍ରିକା, ଚୂଳପଟି, ରାହୁରେଖା, ବିଭିନ୍ନ ପ୍ରକାର ମାଳି, ଶ୍ରୀଚିତା ଲାଗି ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ହାତରେ ସୁନା ନିର୍ମିତ ଶଙ୍ଖ ଓ ଚକ୍ର ଶୋଭା ପାଇଥାଏ ।

ଶ୍ରୀବଳଭଦ୍ର – ବଡଠାକୁରଙ୍କ ଆଭୂଷଣରେ ମଧ୍ୟ ଏକ ସୁଦୃଶ୍ୟ ସ୍ୱର୍ଣ୍ଣ ହାର ଲାଗି କରାଯାଏ । ଏହାସହ ଲାଗି ହେଉଥିବା ଶ୍ରୀହସ୍ତ ଓ ଶ୍ରୀପୟରର ଓଜନ ପ୍ରାୟ ୮କିଲୋ ୫୧ଗ୍ରାମ । ସେହିପରି ବଳଭଦ୍ରଙ୍କୁ ଲାଗି ହେଉଥିବା ମୁକୁଟର ଓଜନ ପ୍ରାୟ ୪ କିଲୋ ୯୨୧ ଗ୍ରାମ । ଏହାଛଡ଼ା ମୟୂର ଚନ୍ଦ୍ରିକା, ଚୂଳପଟି, ରାହୁରେଖା, ବିଭିନ୍ନ ପ୍ରକାରର ମାଳି, ଶ୍ରୀଚିତା ଆଦି ବଳଭଦ୍ରଙ୍କୁ ଲାଗି କରାଯାଏ । ଅସ୍ତ୍ର ଭାବେ ସୁନା ହଳ ଓ ଗଦା ଧାରଣ କରିଥାନ୍ତି ବଡ଼ଠାକୁର ।

ଦେବୀ ସୁଭଦ୍ରା – ସୁନା ହାର ସହ ୩ କିଲୋ ୧୦୭ ଗ୍ରାମ ଓଜନର ମୁକୁଟ ଧାରଣ କରନ୍ତି ଦେବୀ ସୁଭଦ୍ରା । ଏହା ସହ ମୟୂର ଚନ୍ଦ୍ରିକା, ଚୂଳପଟି, ରାହୁରେଖା, ବିଭିନ୍ନ ପ୍ରକାର ମାଳି, ଶ୍ରୀଚିତା ଆଦି ମଧ୍ୟ ଦେବୀଙ୍କୁ ଲାଗି ହୋଇଥାଏ ।