ପୁଣି ଇଡି ସମନକୁ ଆଡେଇ ଗଲେ ଟିଏମସି ପ୍ରାର୍ଥୀ ମହୁଆ ମୋଇତ୍ରା । କହିଲେ, ନିର୍ବାଚନ ବେଳେ ପ୍ରଚାର ଆଗ

69

କନକ ବ୍ୟୁରୋ : ବୈଦେଶିକ ମୁଦ୍ରା ପରିଚାଳନା ଆଇନ ବା ଫେମା ଉଲ୍ଲଂଘନ ମାମଲା । ଇଡି ସମନକୁ ଏଡାଇଲେ ଟିଏମସି ନେତ୍ରୀ ମହୁଆ ମୌତ୍ର । ଗୁରୁବାର ଦିଲ୍ଲୀରେ ହାଜର ହେବାର ଥିଲା । କିନ୍ତୁ ସେ ହାଜର ହୋଇନାହାନ୍ତି । କୃଷ୍ଣନଗରରେ ମହୁଆ କହିଛନ୍ତି, ସେ ଲୋକସଭା ନିର୍ବାଚନ ପାଇଁ ଟିଏମସିର ପ୍ରାର୍ଥୀ ହୋଇଛନ୍ତି । ସେ ଇଡି ସମନ ଅପେକ୍ଷା ତାଙ୍କ ପ୍ରଚାରକୁ ପ୍ରାଥମିକତା ଦେବେ    । ଲୋକସଭା ଆସନର ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କାଲିଗଞ୍ଜ ଗସ୍ତ ପାଇଁ ସେ ହାଜର ହୋଇ ପାରୁନଥିବା କହିଛନ୍ତି । ତେବେ ଏହି ମାମଲାରେ ମହୁଆଙ୍କ ସହଯୋଗୀ ସୁହାନ ମୁଖାର୍ଜୀଙ୍କ ବୟାନ ରେକର୍ଡ କରିଛି ।

ଗତ ଡିସେମ୍ବରରେ ଲୋକସଭାରୁ ବହିଷ୍କୃତ ହୋଇଥିଲେ ମହୁଆ । ମାର୍ଚ୍ଚ ୧୧ ଓ ଫେବ୍ରୁଆରି ୧୯ରେ ଇଡିରେ ହାଜର ହୋଇନଥିଲେ । ଇଡିର ଦୁଇଟି ସମନ ପାଳନ କରିବାରେ ବିଫଳ ହେବା ପରେ ତୃତୀୟ ଥର ସମନ ହୋଇଥିଲା । ଯାହାକୁ ସେ ଏଡାଇ ଦେଇଛନ୍ତି । ତଦନ୍ତର ଅଂଶ ସ୍ୱରୂପ ବିଦେଶୀ ପୁଞ୍ଜିନିବେଶ ସମ୍ବନ୍ଧୀୟ କିଛି ଦସ୍ତାବିଜ ପ୍ରଦାନ କରିବାକୁ ଇଡି ମହୁଆଙ୍କୁ ଅନୁରୋଧ କରିଛି । ଇଡିର କାର୍ଯ୍ୟାନୁଷ୍ଠାନ ମାର୍ଚ୍ଚ ୨୩ରେ ଜୋରଦାର ହୋଇଥିଲା । କାରଣ ଇଡି ଅଧିକାରୀମାନେ ମହୁଆଙ୍କ ସହ ଜଡିତ ପଶ୍ଚିମବଙ୍ଗର ତିନୋଟି ସ୍ଥାନରେ କ୍ରମାଗତ ଚଢ଼ାଉ କରିଥିଲେ । ଦକ୍ଷିଣ କୋଲକାତାରେ ଥିବା ମହୁଆଙ୍କ ବାପାଙ୍କ ବାସଭବନ, କୃଷ୍ଣନଗରରେ ଥିବା ତାଙ୍କ ଦଳୀୟ କାର୍ଯ୍ୟାଳୟ ଏବଂ ନଦିଆ ଜିଲ୍ଲାର କରିମପୁରରେ ଥିବା ମହୁଆଙ୍କ ବ୍ୟକ୍ତିଗତ ବାସଭବନରେ ଚଢ଼ାଉ କରାଯାଇଥିଲା ।