ସୁସ୍ମିତା ଦେବଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ଟିଏମସି

79

କନକ ବ୍ୟୁରୋ : ଗତମାସରେ କଂଗ୍ରେସ ଛାଡି ଟିଏମସିରେ ଯୋଗ ଦେଇଥିବା ସୁସ୍ମିତା ଦେବଙ୍କୁ ମମତା ବାନାର୍ଜୀ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଛନ୍ତି । ଏହି ନିଷ୍ପତ୍ତି ବାବଦରେ ସୂଚନା ଦେଇ ଟିଏମସି ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି । ଏଥିରେ କୁହାଯାଇଛି କି, ମହିଳାମାନଙ୍କ ସଶକ୍ତ କିରିବା ଓ ରାଜନୀତିରେ ସେମାନଙ୍କ ଭାଗିଦାରୀ ସୁନିଶ୍ଚିନ୍ତ କରିବାକୁ ମମତା ବାନାର୍ଜୀଙ୍କ ଆଶା ରହିଛି । ଏହାଦ୍ୱାରା ସମାଜକୁ ଅଧିକ ସହାୟତା ମିଳିପାରିବ ବୋଲି ଟିଏମସି ପକ୍ଷରୁ କରାଯାଇଥିବା ଟ୍ୱିଟରେ ଉଲ୍ଲେଖ ରହିଛି ।

ସୂଚନା ଥାଉକି ସୁସ୍ମିତା ଦେବ ଚଳିତବର୍ଷ ଅଗଷ୍ଟ ମାସରେ କଂଗ୍ରେସ ଛାଡିବା ପରେ ଟିଏମସିରେ ଯୋଗ ଦେଇଥିଲେ । ଏହି ଅବସରରେ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ ଉପସ୍ଥିତ ଥିଲେ   । ସେବେଠାରୁ ସୁସ୍ମିତା ଦେବ ତ୍ରିପୁରାରେ ଟିଏମସି ସଂଗଠନକୁ ମଜବୁତ କରିବାକୁ କାମରେ ଲାଗିଛନ୍ତି । କହିରଖୁ କି ଆସାମ ବିଧାନସଭା ନିର୍ବାଚନ ସମୟରେ ସୁସ୍ମିତା ଦେବ ଓ କଂଗ୍ରେସ ମଧ୍ୟରେ କିଛି ବିବାଦ ଦେଖାଦେଇଥିଲା । ଦଳର କିଛି ନିଷ୍ପତ୍ତିକୁ ନେଇ ଅସନ୍ତୁଷ ଥିଲେ ସୁସ୍ମିତା । ଆସାମ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର କିଛିମାସ ମଧ୍ୟରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।

ନିର୍ବାଚନ ଆୟୋଗ ସେପ୍ଟେମ୍ବର ୯ ତାରିଖରେ ପଶ୍ଚିମବଙ୍ଗ, ଆସାମ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଓ ତାମିଲନାଡୁରେ ଦୁଇଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଥିଲେ । ଏହି ସବୁ ଆସନ ପାଇଁ ଅକ୍ଟୋବର ୪ ତାରିଖରେ ଭୋଟ ଗ୍ରହଣ ହେବ । ରାଜ୍ୟସଭାର ୭ ଟି ଆସନ ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଭୋଟ ଗ୍ରହଣ ମଧ୍ୟରୁ ୫ ଟି ଆସନରେ ରାଜ୍ୟସଭା ସାଂସଦମାନେ ଇସ୍ତଫା ଦେଇଥିବା ବେଳେ କଂଗ୍ରେସର ରାଜୀବ ସାତବଙ୍କ ମୃତ୍ୟୁ ପରେ ଗୋଟିଏ ଆସନ ଓ ପୁଡୁଚେରୀରେ ଗୋକୁଳକୃଷ୍ଣନଙ୍କ କାର୍ଯ୍ୟାକାଳ ଶେଷ ହେବାରୁ ଗୋଟିଏ ଆସନ ଖାଲି ପଡିଛି ।

ନିର୍ବାଚନ ଆୟୋଗଙ୍କ ଅଧିସୂଚନା ମୁତାବକ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ରହିଛି ସେପ୍ଟେମ୍ବର ୨୨ ଓ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି ସେପ୍ଟେମ୍ବର ୨୭ । ଏହାସହ ଅକ୍ଟୋବର ୪ ତାରିଖରେ ମତଦାନ ହେବ ଓ ସେହିିଦିନ ଫଳାଫଳ ପ୍ରକାଶ ପାଇବ ।