ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ଆଉ ଏକ ଶକ୍ତ ଝଟକା । ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଦିନେଶ ତ୍ରିବେଦୀ

186

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦିନ ଯେତେ ପାଖେଇ ଆସୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ବିପଦ ସେତିକି ମାଡି ଆସୁଛି । ପଶ୍ଚିମବଙ୍ଗରେ ମମତାଙ୍କୁ ହଟାଇ କ୍ଷମତା ଦଖଲ କରିବା ପାଇଁ ବିଜେପି ପୁରା ଦମ୍ ଲଗାଇ ଦେଇଥିବା ବେଳେ ମମତାଙ୍କ ପାଇଁ କାଳ ସାଜିଛନ୍ତି ନିଜ ଦଳର ବିଧାୟକ ଓ ସାଂସଦ ମାନେ । ଏବେ ଜଣକ ପରେ ଜଣେ ତୃଣମୂଳ କଂଗ୍ରେସ ନେତା ଦଳ ଛାଡିବାରେ ଲାଗିଛନ୍ତି । ଏହି ତାଲିକା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ରାଜ୍ୟସଭାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଟିଏମସିର ବରିଷ୍ଠ ନେତା ଦିନେଶ ତ୍ରିବେଦୀ । ସେ ତାଙ୍କର ଇସ୍ତଫା ପତ୍ରକୁ ରାଜ୍ୟସଭା ସଭାପତିଙ୍କ ପ୍ରଦାନ କରିଛନ୍ତି । ଆଜି ରାଜ୍ୟସଭାର ଗୃହ କାର୍ଯ୍ୟ ଚାଲିଥିବା ବେଳେ ଶ୍ରୀ ତ୍ରିବେଦୀ ହଠାତ ତାଙ୍କ ଇସ୍ତଫା ନେଇ ଘୋଷଣା କରିଥିଲେ । ସେ କହିଥିଲେ କି ସେ ଦଳ ଭିତରେ ଅଣନିଶ୍ୱାସି ହୋଇପଡିଛନ୍ତି । ଯେଉଁଥିପାଇଁ ସେ ସାଂସଦ ପଦରୁ ଇସ୍ତଫା ଦେଉଛନ୍ତି ବୋଲି କହିଥିଲେ ।

ସୂଚନା ଥାଉକି ଜଣେ ହିନ୍ଦୀ ଭାଷୀ ଚେହେରା ଭାବେ ଟିଏମସି ଭିତରେ ଦିନେଶ ବେସ୍ ପରିଚିତ । ୨୦୨୦ ମସିହାରେ ଦଳ ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ କରିଥିଲା । ହେଲେ ରାଜ୍ୟସଭା ସାଂସଦ ହେବାର ମାତ୍ର ଗୋଟିଏ ବର୍ଷ ନ ପୁରୁଣୁ ସେ ଇସ୍ତଫା ଦେବା ସମସ୍ତକୁ ଚମକାଇ ଦେଇଛି । ଅନ୍ୟପଟେ ଶ୍ରୀ ତ୍ରିବେଦୀ ରାଜ୍ୟସଭାକୁ ଆସିବା ପୂର୍ବରୁ ୨୦୧୧ ମସିହାରେ ମମତା ସରକାରରେ ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ମାତ୍ର ୨୦୧୨ ମସିହାରେ ସେ ହଠାତ୍ ରେଳମନ୍ତ୍ରୀ ପଦରୁ ବି ଇସ୍ତଫା ଦେଇଥିଲେ । ସେତେବେଳେ ସେ କହିଥିଲେ କି ମମତାଙ୍କ ଚାପ ଯୋଗୁଁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।