ପଂଚଭୂତରେ ବିଲୀନ ହେଲେ ଓଲିଉଡର ମା’ : ରାତି ୨ଟାରେ ପୁରୀ ସ୍ୱର୍ଗଦ୍ୱାରରେ ଓଲିଉଡ ଅଭିନେତ୍ରୀ ଅନିତା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ , ପୁତୁରା ଅଂଶୁମାନ ଦେଲେ ମୁଖାଗ୍ନି

86

କନକ ବ୍ୟୁରୋ : ପଂଚଭୂତରେ ବିଲୀନ ହେଲେ ଓଲିଉଡର ମା’ । ପୁରୀ ସ୍ୱର୍ଗଦ୍ୱାରରେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନିତା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାତି ପ୍ରାୟ ୨ ଟା ବେଳେ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି । ମୁଖାଗ୍ନି ଦେଇଛନ୍ତି ପୁତୁରା ଅଂଶୁମାନ ଦାସ । ଶେଷକୃତ୍ୟ ବେଳେ ଅନିତାଙ୍କ ପୁତୁରା ତଥା ଓଲିଉଡ ଅଭିନେତା ଆକାଶ ଦାସନାୟକ ଉପସ୍ଥିତ ଥିଲେ । ଅନିତାଙ୍କ ମରଶରୀରକୁ ତାଙ୍କ ଗାଁ ଯାଜପୁର ଜିଲ୍ଲାର ଡୋଲିପୁରରୁ ପୁରୀ ନିଆଯିବା ପରେ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି ।

ଓଲିଉଡର ମାଆ ଭାବେ ପରିଚିତ ଅନିତା ଦାସଙ୍କ ଗତକାଲି ରାତିରେ ପରଲୋକ ହୋଇଥିଲା । ୬୧ ବର୍ଷ ବୟସରେ ହୃଦଘାତର ଶିକାର ହୋଇ ଆରପାରିକୁ ଚାଲି ଯାଇଛନ୍ତି ନିଆରା ଅଭିନେତ୍ରୀ ଅନିତା ଦାସ । ମାଆ ଭୂମିକାରେ ନିଖୁଣ ଅଭିନୟ କରି ଓଡିଆ ଚଳଚ୍ଚିତ୍ର ଜଗତରେ ସେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି । ଯେଉଁଥିପାଇଁ ଓଡିଶାର ଦର୍ଶକ ତାଙ୍କୁ ସବୁଦିନ ପାଇଁ ମନେ ରଖିଥିବେ ।