କନକ ବ୍ୟୁରୋ: ସେ ଆଜି ଆମ ଭିତରେ ନାହାନ୍ତି, ହେଲେ ତାଙ୍କ ସଙ୍ଗୀତ ତାଙ୍କୁ ଚୀରଦିନ ପାଇଁ ଜୀବନ୍ତ କରି ରଖିଛି, ଆଉ ରଖିଥିବ । ଆମେ କହୁଛୁ କୋକିଳ କଣ୍ଠୀ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ କଥା । ତାଙ୍କୁ କିଛି ପରିଚୟର ଆବଶ୍ୟକତା ନାହିଁ । କାରଣ ତାଙ୍କ କଣ୍ଠ ହିଁ ତାଙ୍କ ପରିଚୟ ଥିଲା । ଆଜି ବି ତାଙ୍କ ଗୀତ ପିଲାଠୁ ବୁଢା ଯାଏଁ ସମସ୍ତଙ୍କୁ ଦିୱାନା କରିଛି । ସତରେ ତାଙ୍କ କଣ୍ଠରେ ଏମିତି କିଛି ଯାଦୁ ଥିଲା ଯିଏ ବି ଶୁଣୁ ଥିଲା ସିଏ ଗୁଣଗୁଣୋଉଥିଲା ।

Advertisment

ଛୋଟରୁ ବଡ ସମସ୍ତଙ୍କର ପ୍ରିୟ ଭାରତ ରତ୍ନ ଲତା ମଙ୍ଗେସକର । ଆଜି ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ଦିନ । କାରଣ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଦେହାନ୍ତ ପରେ ଆଜି ଲତା ଦିଦିଙ୍କର ପ୍ରଥମ ଜନ୍ମ ବାର୍ଷିକୀ । ତେବେ ଆସନ୍ତୁ ଆଜିର ଦିନରେ ଜାଣିବା ତାଙ୍କ ଜୀବନର କିଛି ଖାସ କଥା ।

ଲତା ମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର ଆର୍ଟିଷ୍ଟ ଥିଲେ । ପିଲା ବେଳୁ ହିଁ ସହ୍ଗୀତ ପ୍ରତି ମନ ବଳାଇଥିଲେ ଲତା । ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ଦିଦି ।

୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେସକର ହିନ୍ଦୀ ଓ ମରାଠୀ ଭାଷାରେ ୮ଟି ସଙ୍ଗୀତରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର କିଟ୍ଟି ହାସଲରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ମଜବୁର, ବେଦର୍ଦ ଭଳି ୨ଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତେ ଛାଇ ଯାଅଥିଲେ ଲତାମଙ୍ଗେସକର ।

୧୯୬୩ ମସିହା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଦେଶାତ୍ମକ ଗୀତ ଏ ମେରେ ବତନ କେ ଲୋଗୋଁ ଅନେକ ଲୋକଙ୍କର ମନକୁ ଛୁଇଁଥିଲା । ସେତେବେଳେର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହାପରେ ପରେ ଲତା ମଙ୍ଗେସକର ଲଗଜା ଗଲେ, ପ୍ୟାର କା ନଗମା, ସିସା ହୋ ୟା ଦିଲ୍, ତେରେ ବିନା ଜିନ୍ଦେଗୀ ସେ କୋଇ ସିଖବା ନେହିଁ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ ।

ନିଜ କ୍ୟାରିୟର ଭିତରେ ଭାରତୀୟ ସିନେମାକୁ ଭାରତୀୟ ସିନେମାକୁ ଅନେକ କାଳଜୟୀ ସଙ୍ଗୀତ ଭେଟି ଦେଇଛନ୍ତି ଲତା ମଙ୍ଗେସକର । କେବଳ ହିନ୍ଦୀ ନୁହେଁ ଅନ୍ୟ ଆଞ୍ଚଳିକ ଗୀତରେ କଣ୍ଠଦାନ କରି ସେ ପ୍ରସିଦ୍ଧିଲାଭ କରିଛନ୍ତି । ସଙ୍ଗୀତରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

୧୯୫୮ ମସିହାରେ - ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ
୧୯୬୯ ମସିହାରେ -ପଦ୍ମ ଭୂଷଣ
୧୯୮୯ ମସିହାରେ - ଦାଦା ସାହେବ ଫାଲକେ ଆୱାର୍ଡ
୧୯୯୩ ମସିହାରେ – ଜୀବନ ବ୍ୟାପୀ ସାଧନା ପୁରସ୍କାର
୧୯୯୭ ମସିହାରେ – ମହାରାଷ୍ଟ୍ର ଭୂଷଣ ପୁରସ୍କାର
୧୯୯୯ ମସିହାରେ - ପଦ୍ମ ବିଭୂଷଣ
୨୦୦୧ ମସିହାରେ – ଭାରତ ରତ୍ନ
୨୦୦୯ ମସିହାରେ – ୩ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ

ଚଳିତ ବର୍ଷ ଫେବୃଆରୀ ୬ ତାରିଖରେ ସାରା ଦେଶବାସୀଙ୍କୁ କନ୍ଦାଇ ଆରପାରିକୁ ଚାଲିଗଲେ ଲତା ଦିଦି । ଲତାଙ୍କ ଦେହାନ୍ତରେ ସ୍ତବ୍ଧ ହୋଇଯାଇଥିଲା ପୂରା ଦେଶ । ସବୁ ଦିନ ପାଇଁ ବନ୍ଦ ହୋଇଯାଇଥିଲା ଭାରତର ସ୍ୱର । ହେଲେ ସଙ୍ଗୀତ ପ୍ରତି ଲତାଙ୍କ ଅବଦାନ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ଆଉ ଯେବେ ଯେବେ ସଙ୍ଗୀତ କଥା ଉଠିବ ଆଗକୁ ଚାଲିଆସିବ ଲତା ଦିଦିଙ୍କ ଚେହେରା ।