କନକ ବ୍ୟୁରୋ : ଯାଜପୁରର ଗର୍ବ ଆଉ ଗୌରବ ପଦ୍ମଶ୍ରୀ ଗୁରୁ ନନ୍ଦ କିଶୋର ପୃଷ୍ଟିଙ୍କ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ କୋଭିଡରେ ଦେହାନ୍ତ ହେବାପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟ ପାଇଁ ତାଙ୍କୁ ଯାଜପୁର ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ଶ୍ମଶାନକୁ ଅଣାଯାଇଥିଲା । ପ୍ରଥମେ ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ନନ୍ଦ ସାରଙ୍କ ସାନ ପୁଅ ନିରଞ୍ଜନ ପୃଷ୍ଟି ମୁଖାଗ୍ନି ଦେଇଥିଲେ । ତେବେ କୋଭିଡ ପ୍ରୋଟୋକଲ ଥିବାରୁ ଭୁବନେଶ୍ୱରରୁ ନନ୍ଦ ସାରଙ୍କୁ ଘରକୁ ନିଆ ନଯାଇ ମହା ଶ୍ମଶାନକୁ ଆଣା ଯାଇଥିଲା । ତାଙ୍କ ବିୟୋଗରେ ବିଧାୟକ ପ୍ରୀତିରଞ୍ଜନ ଘଡାଇ ଶୋକବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରାଯାଇଥିଲା ।
ଗତ ଜାନୁଆରି ମାସରେ କେନ୍ଦ୍ର ସରକାର ଏହି ମହାନ ଗୁରୁଙ୍କୁ ‘ପଦ୍ମଶ୍ରୀ’ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରି ତାଙ୍କ ନିରଳସ ସାଧନାକୁ ସ୍ବୀକୃତି ଜଣାଇଥିଲେ । ଗତ ନଭେମ୍ବର ୯ ତାରିଖରେ ସେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ସେଠାରୁ ଫେରିବା ପରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନ ତଥା ଜନ୍ମମାଟିରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାର କିଛିଦିନ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଗତ ୩୦ ତାରିଖରେ ତାଙ୍କୁ ପ୍ରଥମେ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ସେଠାରୁ କଳିଙ୍ଗନଗରସ୍ଥିତ ଟାଟା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବୟସାଧିକ୍ୟ ଓ ସ୍ୱାସ୍ଥ୍ୟଗତ ଜଟିଳତା ପାଇଁ ଉନ୍ନତ ଚିକିତ୍ସା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ‘ସମ୍’ ହସ୍ପିଟାଲକୁ ଶନିବାର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏରେ ତାଙ୍କର ପରଲୋକ ହୋଇଥିବା ନାତି ଖଗେଶ୍ବର ପୃଷ୍ଟି ସୂଚନା ଦେଇଛନ୍ତି । କୋଭିଡ୍ ପଜିଟିଭ୍ ଥିବାରୁ ଯାଜପୁର ବାରୁଣୀଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସାନପୁଅ ନିରଞ୍ଜନ ପୃଷ୍ଟି ମୁଖାଗ୍ନି ଦେଇଛନ୍ତି ।
- ନଭେମ୍ବର ୯ରେ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ
- ନଭେମ୍ବର ୧୧ରେ ଫେରିବା ପରେ ଓଡ଼ିଶା ଓ ଜନ୍ମମାଟିରେ ବିପୁଳ ସମ୍ବର୍ଦ୍ଧନା
- ନଭେମ୍ବର ୨୭ ତାରିଖରେ ସାମାନ୍ୟ ଅସୁସ୍ଥ ଓ କାଶରେ ପୀଡ଼ିତ। ସୁକିନ୍ଦା ଡାକ୍ତରଖାନାରେ ଚିକିତ୍ସା
- ନଭେମ୍ବର ୨୯ରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
- ନଭେମ୍ବର ୩୦ରେ କଳିଙ୍ଗନଗର ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି
- ଡିସେମ୍ବର ୪ ତାରିଖରେ ଭୁବନେଶ୍ବର ସ୍ଥାନାନ୍ତର
- ୭ ତାରିଖ ଅପରାହ୍ଣ ୧.୨୮ରେ ପରଲୋକ