ଆଦିବାସୀଙ୍କ ଅନନ୍ୟ ପର୍ବ । ବର୍ଷକର ଅମଳରେ ଚଷାପୁଅର ସାଥୀ ହୋଇଥିବା ଗୋ-ମାତାକୁ ପୂଜା କରନ୍ତି, ପାରମ୍ପାରିକ ନାଚଗୀତ ସାଙ୍ଗକୁ ନୈବେଦ୍ୟ ପ୍ରସ୍ତୁତ କରି ‘ଦିଆଲି’ ପର୍ବ ପାଳନ୍ତି ।

179

କନକ ବ୍ୟୁରୋ: ଆଦିବାସୀ ଲୋକ ମାନେ ପ୍ରକୃତିର ଉପାସକ । ପ୍ରକୃତି ତଥା ପ୍ରକୃତି ଜାତ ବସ୍ତୁ ଓ ବିଭିନ୍ନ ଜନ୍ତୁ ଙ୍କୁ ନେଇ ଅନେକ ପୂଜା ପାର୍ବଣ ରହିଛି । ପ୍ରକୃତି ତରଫରୁ ମଣିଷ ସମାଜ ପାଇଁ ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଦାନ ହେଉଛି ଗୋମାତା । ଫସଲ ଘରେ ପଶିଲା ପରେ ଚାଷୀ ଗୋମାତାଙ୍କୁ ବର୍ଷର ପ୍ରଥମ ଧାନ ଫସଲ ପ୍ରସାଦ ଆକାରରେ ପୂଜା କରେ, ତାହା ହେଉଛି ଦିଆଲି ପର୍ବ।

ପ୍ରକୃତି ଉପାସକ ଆଦିବାସୀ । ଭିନ୍ନ ଏମାନଙ୍କ ଜୀବନଚର୍ଯ୍ୟା , ଭିନ୍ନ ତାଙ୍କ ପରମ୍ପରା । ଗାଁ ଦାଣ୍ଡରେ ଚାଲିଛି ପୂଜାର୍ଚ୍ଚନା । ପାରମ୍ପରିକ ବାଦ୍ୟର ତାଳେ ତାଳେ କମ୍ପୁଛି ଗାଁ ଦାଣ୍ଡ । ବୁଲୁଛି ଗ୍ରାମଦେବୀଙ୍କ ପାଲିଙ୍କି ଶୋଭାଯାତ୍ରା । ଆଉ ଏ ସବୁ ଗୋ-ମାତାଙ୍କ ପାଇଁ । ତେବେ ବର୍ଷ ଜାକର ଫସଲ ଅମଳ କରି ଘରକୁ ଆଣିବା ପରେ ଚାଷ କାମରେ ସହଯୋଗ କରିଥିବା ଗୋରୁଙ୍କୁ ପୂଜା କରିଥାନ୍ତି ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଚାଷୀ । ଆଉ ଏହି ପୂଜାକୁ ଦିଆଲି ପର୍ବ ବୋଲି କୁହାଯାଏ ।

ଗୋ-ମାତାଙ୍କ ଉଦେଶ୍ୟରେ ସ୍ୱତନ୍ତ୍ର ପର୍ବ ‘ଦିଆଲି’ । ଚାଷୀ ଅମଳ କରିଥିବା ପ୍ରଥମ ଶଷ୍ୟରେ ଖେଚୁଡି ପ୍ରସ୍ତୁତ କରି ନୈବେଦ୍ୟ ଆକାରରେ ଲାଗି କରାଯାଏ । ଗୋ-ମାତାଙ୍କୁ ଖେଚୁଡି ଖୁଆଇବା ପରେ ସେହି ଖେଚୁଡିକୁ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି ଗ୍ରାମବାସୀ । ପୌଷ ମାସରେ ଭିନ୍ନ ଭିନ୍ନ ଦିନରେ ନବରଙ୍ଗପୁରର ଭିନ୍ନ ଭିନ୍ନ ସ୍ଥାନରେ ଦିଆଲି ପର୍ବ ପାଳନ କରାଯାଇଥାଏ ।

ବର୍ଷକରେ ଥରେ ଏହି ପୂଜା କରାଯାଉଥିବା ବେଳେ ଏଥିପାଇଁ ପୁରା ପ୍ରସ୍ତୁତି କରିଥାନ୍ତି ଚାଷୀ ପରିବାର । ଘରଦ୍ୱାର ଲିପି ଝୋଟି ଦେଇଥାନ୍ତି ମହିଳା । ଗାଇ-ଗୋରୁଙ୍କ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଗୌଡିଆଙ୍କୁ ଏହି ଦିନ ବର୍ଷର ପାରିଶ୍ରମିକ ମିଳିଥାଏ । ନବରଙ୍ଗପୁରରେ ହେଉଥିବା ଦିଆଲି ପର୍ବ ଦେଖିବା ପାଇଁ ପଡୋଶୀ ରାଜ୍ୟର ଲୋକଙ୍କ ସମାଗମ ହୋଇଥାଏ ।