ଆଦିବାସୀଙ୍କ ଅନନ୍ୟ ପରମ୍ପରା କରମା ପୂଜା ! ଚାଷରେ ରୋଗ ପୋକ ନଲାଗିବା ପାଇଁ ରୀତିନୀତିରେ ଆଦିବାସୀ ପାଳନ୍ତି ପ୍ରକୃତି ପର୍ବ ।

334

ଆଦିବାସୀ ଜଙ୍ଗଲରେ ରହେ ଆଉ ତାକୁ ପୂଜା କରେ ଏବଂ ସେଇଠୁ ଚଳେ । ସେଥିପାଇଁ ତ କୁହାଯାଏ ଆଦିବାସି ହିଁ ପ୍ରକୃତ ପ୍ରକୃତି ପ୍ରେମୀ । ଆଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି କରମା ପୂଜା । ଭିନ୍ନ ଏକ ପରମ୍ପରାରେ ପ୍ରକୃତିକୁ ପୂଜା କରିଥାନ୍ତି ଆଦିବାସୀ ।

ଆଦିବାସୀଙ୍କ ଏହି ପର୍ବରେ ବାଜା ଓ ମାଦଳ ଧ୍ୱନୀ କମ୍ପି ଉଠିଥାଏ ସାରା ଅଞ୍ଚଳ । ଆଉ ପାରମ୍ପରିକ ଗୀତର ତାଳେ ତାଳେ ନାଚିଥାନ୍ତି ଧାଙ୍ଗଡା ଧାଙ୍ଗଡି । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଧମକପୁର ଗାଁରେ ପାଳନ କରାଯାଇଛି କରମା ପୂଜା ପର୍ବ । ନୂଆଁଖାଇରେ ଇଷ୍ଟଦେବତାଙ୍କ ପାଖରେ ନୂଆଁଧାନ ଲାଗି କଲାପରେ ବି ଚାଷରେ ରୋଗପୋକ ଲାଗିବାର ଡର ଥାଏ । ଏଥିପାଇଁ ଆଦିବାସୀଙ୍କ ପରମ୍ପରା ଅନୁଯାୟୀ କରମା ରାଜାକୁ ପୂଜା କରି ନିୟମ ମାନିଲେ ଚାଷରେ ରୋଗ ପୋକ ଲାଗେ ନାହିଁ ବୋଲି ବିଶ୍ୱାସ ରହିଛି । ଆଶ୍ୱୀନ ମାସ ଶୁକ୍ଲ ପକ୍ଷରେ ଏହି କରମା ପୂଜା ପାଳନ କରାଯାଏ । ସକାଳୁ ଗାଁର ପୁଅ ଝିଅ ଉପବାସରେ ରହିଥାନ୍ତି । ଜଙ୍ଗଲରେ କରମା ଗଛକୁ ପୂଜା କଲା ପରେ କିଛି ଡାଳକୁ କାଟି ଆଣି ପୂଜାସ୍ଥଳୀରେ ରଖି ବିଧି ଅନୁସାରେ ପୂଜା ପାଠ କରନ୍ତି । ଆଉ ପାରମ୍ପରିକ ପୋଷାକ ପରିଧାନ କରି ପୂଜାର୍ଚ୍ଚନା କରିବା ସହ ପାରମ୍ପରିକ କରମା ନୃତ୍ୟ କରନ୍ତି ।

ତେବେ ଦୁଇ ଦିନ ଧରି ପୂଜାପାଠ ଓ ନାଚଗୀତ କରିବା ପରେ ଗଛର ଡାଳକୁ ନେଇ ପୂରା ଗାଁରେ ଶୋଭାଯାତ୍ରା କରିବା ପରେ ଏହାକୁ ବିର୍ସଜନ କରନ୍ତି । ଏହି ପରମ୍ପରାରେ ପାଳନ ହୁଏ ଆଦିବାସୀଙ୍କ କରମା ପୂଜା । କେବଳ ଓଡିଶା ନୁହେଁ ଛତିଶଗଡ, ଝାଡଖଣ୍ଡ ସହ ଦେଶ ଯେଉଁ କୋଣ ଅନୁକୋଣ ରେ ଆଦିବାସୀ ରହିଥାନ୍ତି ସେହିଠାରେ ଏହି ପର୍ବ ପାଳନ କରାଯାଇଥାଏ ।