ବର୍ଷା ଦିନରେ ବଡା ଛତୁ ଚାଷକରି ଲାଭବାନ ହେଉଛନ୍ତି ଆଦିବାସୀ, ନବରଙ୍ଗପୁର ବଡା ଛତୁର ରହିଛି ସ୍ୱତନ୍ତ୍ର ସ୍ୱାଦ

254

କନକ ବ୍ୟୁରୋ : ପ୍ରଚଣ୍ଡ ରୌଦ୍ରତାପକୁ ବିଦାୟ ଦେଇ ମୌସୁମି ଧରିତ୍ରୀରେ ପ୍ରବେଶ କରିବା ପରେ, ଏହି ସମୟରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ, ପ୍ରଚୁର ପରିମାଣରେ ବଡା ଛତୁ ମିଳିଥାଏ । ଯାହାକୁ ବିକ୍ରିୟ କରି ଆଦିବାସୀ ଲୋକେ ବେଶ ଭଲ ରୋଜଗାର କରନ୍ତି ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥନରୁ ମିଳୁଥିବା ବଡ଼ା ଛତୁ ସଂଗ୍ରହ କରି କିଛି ରୋଜଗାର କରନ୍ତି ଆଦିବାସୀ । ବଡା ଛତୁ ରାଜ୍ୟର ଅନେକ ସ୍ଥାନରେ ମିଳୁଥିଲେ ମଧ୍ୟ ନବରଙ୍ଗପୁର ବଡ଼ା ଛତୁର ସ୍ୱାଦ ଟିକେ ନିଆରା । ବର୍ଷାର ଆଗମନରେ ଶାଳ ଜଙ୍ଗଲର ହାଲୁକା ମାଟିରୁ ମିଳିଥାଏ ଏହି ଛତୁ । ଆଉ ଏହାକୁ ସଂଗ୍ରହ କରିବା ପାଇଁ ଆଦିବାସୀ ମହିଳା ମାନେ ରାତି ପାହିଲେ ଜଙ୍ଗଲ ମୁହାଁ ହୋଇଥାଆନ୍ତି । କେଉଁଠି କେତେ ପରିମାଣରେ ଛତୁ ମିଳିବ ତାହା ପୁରୁଷାନୁକ୍ରମେ ଆଦିବାସୀ ସଂପ୍ରଦାୟର ଲୋକେ ଜାଣିଥାନ୍ତି । ଫସଫସିଆ ମାଟି ତଳେ ବଡା ଛତୁ ହୋଇଥାଏ । ମାଟିକୁ ଛୁରୀ କିମ୍ବା ଗୋଜିଆ ବାଉଁଶ କାଠିରେ ଆଡ଼େଇ ଦେଲେ ତା ତଳେ ରହିଥିବା ଛୋଟ ଛୋଟ ମାଟି ଗୁଳା ଆକାରର ବଡା ଛତୁ ମିଳିଥାଏ ।

ଜଙ୍ଗଲ ମାଟିରୁ ଏହି ବଡ଼ା ଛତୁ ସଂଗ୍ରହ କରି ପାଣିରେ ଧୋଇବା ପରେ ବ୍ୟବସାୟୀଙ୍କୁ ବିକ୍ରି କରନ୍ତି ସ୍ଥାନୀୟ ଆଦିବାସୀ ମହିଳା । ଏମାନଙ୍କ ଠାରୁ ଛତୁ ସଂଗ୍ରହ କରି ବଜାରରେ ଗ୍ରାହକଙ୍କୁ ବିକ୍ରି କରନ୍ତି ବ୍ୟବସାୟୀ । ବଜାରରେ ବଡ଼ା ଛତୁର ଚାହିଦା ଅଧିକ ରହିଥିବାରୁ ପ୍ରଥମେ ପ୍ରଥମେ କିଲୋ ପ୍ରତି ୨ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା । ଏହା ପରେ ୮୦୦ରୁ ୧୨୦୦ ଟଙ୍କାରେ ବିକ୍ରି କରାଯାଉଛି । ଦିନ ସାରା ପରିଶ୍ରମ କରି ମାତ୍ର ୨୫୦ ଗ୍ରାମରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ଏହି ଛତୁ ମିଳିଥାଏ । ବଜାରକୁ ଆସିବା ମାତ୍ରା ଲୋକେ ଏହାକୁ ବେଶ ଆଗ୍ରହର ସହ କିଣିନେଇଥାଆନ୍ତି ।

ବିଶେଷକରି ଆଷାଢ ମାସରେ ବର୍ଷକୁ ଥରେ ଏହି ଛତୁ ମିଳୁଥିବାରୁ ଏହାକୁ ଖାଇବାକୁ ଲୋକଙ୍କ ମନରେ ଉତ୍ସାହ ରହିଥାଏ । କମ୍ ଯାଗରେ ଅଳ୍ପ ପରିମାଣର ଏହି ଛତୁ ମିଳୁଥିବାରୁ ଏହାକୁ କିଣିବା ପାଇଁ ଲୋକେ ପ୍ରତିଯୋଗିତା ଲଗାଇଥାଆନ୍ତି । ଯେହେତୁ ଏହି ଛତୁକୁ କେହି ଚାଷ କରିନଥାନ୍ତି । ପ୍ରକୃତିରୁ ମିଳିଥାଏ ତେଣୁ ଏହା ବେଶ ସ୍ୱାସ୍ଥ୍ୟକର ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା ।