କନକ ବ୍ୟୁରୋ: ସୋସିଆଲ ମଡିଆରୁ ମିଳିଲା ସାହାଯ୍ୟ । ପଢା ପାଇଁ ୩ ଘଣ୍ଟାରେ ମିଳିଲା ୩୭ ଲକ୍ଷ ଟଙ୍କା । ସ୍ୱପ୍ନ ସତ କଲା ସୋସିଆଲ ମିଡିଆ । ଉଚ୍ଚଶିକ୍ଷା ପାଇଁ ସୋସିଆଲ ମିଡିଆରୁ ବଢିଲା ସହାୟତାର ହାତ । କୁହାଯାଏ ଦୃଢଇଚ୍ଛା ଶକ୍ତି ଆଗରେ ହାରମାନେ ସବୁ ପ୍ରତିବନ୍ଧକ । ଆଗକୁ ଯିବା ପାଇଁ ଯଦି ଆପଣ ସଙ୍କଳ୍ପ କରିଛନ୍ତି ତେବେ ଅଦୃଶ୍ୟ ଶକ୍ତି ଯେମିତି ବି ହେଉ କେଉଁ ବାଟେ ଆପଣଙ୍କ ସ୍ୱପ୍ନକୁ ସାକାର କରି କି ହିଁ ରହିବ । ଆଉ ଏହା ସତ ପ୍ରମାଣିତ ହୋଇଛି କୋରାପୁଟ ଭଳି ଏକ ଆଦିବାସୀ ଅଞ୍ଚଳର ଯୁବକଙ୍କ କ୍ଷେତ୍ରରେ । ଯେଉଁଠି ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠ ପଢିବାକୁ ସୋସିଆଲ ମିଡିଆରୁ ମିଳିଛି ସହାୟତା । ମାତ୍ର ୩ ଘଣ୍ଟା ଭିତରେ ଯୋଗାଡ ହୋଇଛି ୩୭ ଲକ୍ଷ ଟଙ୍କା ।
ତେବେ କୋରାପିଟ ଜିଲ୍ଲା ନାରାୟଣପାଟଣା ବ୍ଲକର ସୁମିତ ତୁରୁକ । ଦିଲ୍ଲୀ ଜେଏନୟୁରେ ପଢୁଥିବା ବେଳେ ଏବେ ତାଙ୍କୁ ଅକ୍ସଫୋର୍ଡ ୟୁନିଭର୍ସିଟିରେ ମର୍ଡନ ସାଉଥ୍ ଏସିଆନ ଷ୍ଟଡିଜ୍ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ଲାଭ କରିବାକୁ ନିକଟ ଅତୀତରେ ସୁଯୋଗଟିଏ ମିଳିଛି । ହେଲେ ଅକ୍ସଫୋର୍ଡରେ ନାମଲେଖା ପାଇଁ ୪୭ ଲକ୍ଷ ଟଙ୍କାର ଆଗଶ୍ୟକତା ପଡୁଛି । ଏତେ ଟଙ୍କା କେଉଁଠୁ ଯୋଗାଡ କରିବେ, ନିଜ ସ୍ୱାପ୍ନ ପାଇଁ ସୁମିତଙ୍କ ଆଖିରେ ନିଦ ନଥିବାରୁ ସାହାଯ୍ୟ ପାଇଁ ନେତାମନ୍ତ୍ରୀଙ୍କ ସହ ବଡ ବଡ ଲୋକଙ୍କୁ ନେହୁରା ହୋଇଥିଲେ ।
ହେଲେ ସବୁଆଡୁ ନିରାଶ ହେବା ପରେ ପାଠପଢା ପାଇଁ ଫଣ୍ଡ ଯୋଗାଡ କରିବାକୁ ସେ ଟ୍ୱିଟରରେ #SumitToOxford ନାମରେ ଏକ ଅଭିଯାନ ଚଳାଇଥିଲେ । କାଳେ କେଉଁ ସହୃଦୟ ବ୍ୟକ୍ତି ତାଙ୍କୁ ତାଙ୍କ ସ୍ୱପ୍ନ ପୂରଣ ପାଇଁ ସହାୟତା କରିବ । ହେଲେ ଆଶ୍ଚର୍ଯ୍ୟର କଥା ଟ୍ୱିଟରରେ ଏହି ଅଭିଯାନ ଏତେ ମାତ୍ରାରେ ଟ୍ରେଣ୍ଡିଂ ହେଲା ଯେ ମାତ୍ର ୩ ଘଣ୍ଟାରେ ୩୭ ଲକ୍ଷରୁ ଅଧିକ ଟଙ୍କା ସୁମିତ ଯୋଗାଡ କରି ପାରିଛନ୍ତି । ନାମଲେଖା ପାଇଁ ବାକି ୧୦ ଲକ୍ଷ ଖୁବଶୀଘ୍ର ସେ ଯୋଗାଡ କରି ନିଜ ସ୍ୱପ୍ନ ପଥରେ ଆଗେଇଯିବେ । ତେବେ ଯେଉଁମାନେ ସୁମିତଙ୍କୁ ଉଚ୍ଚଶିକ୍ଷା ପାଇଁ ସାହାଯ୍ୟ କରିଛନ୍ତି ସେମାନଙ୍କୁ ସେ ହୃଦୟରୁ ଧନ୍ୟବାଦ ଦେଇଛନ୍ତି ।
ତେବେ ପାଠପଢା ସହ ଜାତିବାଦ ବିରୋଧୀ ରାପ୍ କରି ବେଶ ଚର୍ଚ୍ଚିତ ସୁମିତ । ଓଡିଆ, ହିନ୍ଦୀ, ଇଂରାଜୀରେ ରାପ କରନ୍ତି ସେ । ଜାତିଗତ ଭେଦଭାବ ଉପରେ ସେ ସର୍ବଦା ସ୍ୱର ଉଠାଇ ଆସିଛନ୍ତି । ଏମିତି କି ବିଦେଶର ୧୦୦ଟି କଲେଜ ଓ ୟୁନିଭର୍ସିଟିର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହାସହ ପ୍ୟାରିସରେ ଫ୍ରେଞ୍ଚ ରେଡିଓ ଲାଇଭର ଉପସ୍ଥାପକ ଏବଂ ଫ୍ରାନ୍ସର ବିଭିନ୍ନ ରଙ୍ଗମଞ୍ଚରେ ଜାତିବାଦ ବିରୋଧୀ ପ୍ରସଙ୍ଗରେ ନାଟକ କରିଛନ୍ତି ସୁମିତ । ତେବେ ଯେତେ ବାଧାବିଘ୍ନ ଆସୁନା କାହିଁକି ସ୍ୱପ୍ନ ଯଦି ଶକ୍ତ ତେହେ ହାରି ନଯାଇ ଲଢିବା ଦରକାର । ତେଣିକି ବାଟ ଆପେ ଆପେ ଖୋଲିଯିବ ବୋଲି ସୁମିତ କୁହନ୍ତି ।