ମାଛ ଚାଷ କରି ଚର୍ଚ୍ଚାରେ ଗୁଣୁପୁର ଭାଲେରୀକୁଡ଼ିଆ ଗାଁର ମହିଳା । ପୋଖରୀ ଲିଜ୍ ନେଇ ଏସଏଚଜି ମହିଳା ମାନେ କରୁଛନ୍ତି ମାଛ ଚାଷ

108

କନକ ବ୍ୟୁରୋ : ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ଲୋକଙ୍କ ଜୀବନ ଜୀବିକା କହିଲେ, ଧାନ, କପା ଓ ପରିବା ଚାଷ । କିନ୍ତୁ ସମୟ ସହ ତାଳ ଦେଇ ଏଠାକାର ମହିଳାଙ୍କ ଜୀବନ ଜୀବିକାରେ ଆସିଛି ପରିବର୍ତ୍ତନ । ଦିନେ ଦିନମଜୁରୁଆ ଭାବେ କାମ କରୁଥିବା ମହିଳା ଏବେ କରୁଛନ୍ତି ମାଛ ଚାଷ । ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ପଂଚାୟତର ଏକ ପୋଖରୀକୁ ଲିଜ୍ ନେଇ ମାଛ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଗୁଣୁପୁର ଭାଲେରୀକୁଡିଆ ଗାଁର ୧୦ ମହିଳା ।

ମହିଳା ମାନେ ୨ଲକ୍ଷ ୫୦ ହଜାର ଟଙ୍କା ଲୋନ୍ ନେଇ ଉନ୍ନତମାନର ମାଛ ଚାଷ କରିଛନ୍ତି । ମିଶନ ଶକ୍ତି ସହାୟତାରେ ଫିସେରୀ ଡିପାର୍ଟମେଂଟ ପକ୍ଷରୁ ତାଲିମ ମଧ୍ୟ ନେଇଛନ୍ତି । ପୋଖରୀରୁ ଉତ୍ପାଦିତ ହେଉଥିବା ମାଛକୁ ସ୍ଥାନୀୟ ବଜାର ସହ ଆଖପାଖ ବ୍ୟବସାୟୀଙ୍କୁ ବିକ୍ରି କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।

ମହିଳା ମାନଙ୍କର ଏଭଳି ପ୍ରୟାସ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ ।