କନକ ବ୍ୟୁରୋ: ଜନଶୁଣାଣିରେ ଗାଁ ସମସ୍ୟା କଥା କହି ସରକାରୀ ବାବୁଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ଆଦିବାସୀ ମହିଳା । ବାବୁ ଆମ ଗାଁକୁ ରାସ୍ତା ନାହିଁ, ରାସ୍ତା କେବେ ଦେବୁ, ଆମେ ଆଦିବାସୀ ଲୋକ ବାବୁ । ଭୋଟ ଦେଉଛୁ, ହେଲେ ଆମ କଥା କେହି ଶୁଣୁନାହାନ୍ତି । ରାସ୍ତା ଓ ଗାଁର ବିଭିନ୍ନ ସମସ୍ୟା କଥା ସରକାରୀ ଅଧିକାରୀଙ୍କ ଉପରେ କ୍ଷୋଭର ଆଦିବାସୀ ମହିଳା ବର୍ଷିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଜନଶୁଣାଣିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

Advertisment

ଜନଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ । ମହିଳାଙ୍କ ଅଭିଯୋଗ ଶୁଣିବା ପରେ ଉପଜିଲ୍ଲାପାଳ ସମାଧାନର ପ୍ରତିଶ୍ରୁତି ଦେଇ ଆସନ୍ତାକାଲି ପ୍ରଶାସନିକ ଅଧିକାରୀ ଗାଁକୁ ଯିବେ ବୋଲି କହିଥିଲେ । ହେଲେ ମହିଳା ଜବାବ ଦେଇ କହିଥିଲେ କେହି ଆସିବେ ନାହିଁ, ଏଭଳି କଥା କେତେ ଦିନ ହେଲା ସେ ଶୁଣିଆସୁଛନ୍ତି । କିନ୍ତୁ ସମାଧାନ କାହିଁକି ହେଉନାହିଁ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ । ମହାକାଳପଡା ବ୍ଲକ ପେଟଛେଲା ପଂଚାୟତ ଶବରପଲ୍ଲୀ ଗାଁର ୬୫ ବର୍ଷ ବୟସ୍କ ମହିଳା ଦୁଃଖୀ ଭକ୍ତା । ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଗାଁରେ ସେ ଜନ୍ମହେବା ଦିନଠୁ ରାସ୍ତା ଖଣ୍ଡେ ନାହିଁ । ନିର୍ବାଚନ ବେଳେ ଭୋଟ ମାଗିବାକୁ ନେତା ଆସୁଛନ୍ତି, ବିଭିନ୍ନ ସମୟରେ ସରକାରୀ ବାବୁ ଆସି ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ସ୍ୱାଧିନତାର ୭୭ ବର୍ଷ ପରେ ଗାଁକୁ ପକ୍କା ରାସ୍ତା ଖଣ୍ଡେ ହୋଇପାରୁ ନାହିଁ । ଯାହାକୁ ନେଇ ଜନଶୁଣାଣିର ଜିଲ୍ଲାର ଉଚ୍ଚ ଅଧିକାରୀଙ୍କୁ ଆଦିବାସୀ ମହିଳା କଡା କଥା ଶୁଣାଇବା ଚର୍ଚ୍ଚାର ବିଷୟ ପାଲଟିଛି ।