କନକ ବ୍ୟୁରୋ : ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ନବରଙ୍ଗପୁର ଉମରକୋଟ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀର ଆଦିବାସୀ ମହିଳା । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ବନବିଭାଗ, ଉଦ୍ୟାନ ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନର ଉଦ୍ୟମ ଫଳରେ ତିନୋଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସୃଷ୍ଟି କରିିଛନ୍ତି ଭିନ୍ନ ଏକ ପରିଚୟ । ନିକଟସ୍ଥ ବଜାରରୁ ଛତୁ ଚାଷ ପାଇଁ ଆବଶ୍ୟକୀୟ ଉପକରଣ ଆଣି ନିଜସ୍ୱ ପରିଶ୍ରମରେ ଉପାର୍ଜନକ୍ଷମ ହୋଇପାରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ।

ମହିଳାଙ୍କୁ ଛତୁ ଚାଷ ଦେଇଛି ନୂଆ ପରିଚୟ । ଆଦିବାସୀ ଅଧ୍ୟୁଷିତ ଅଂଚଳର ମହିଳାଙ୍କ ରୋଜଗାର ପାଇଁ ନୂତନ ଆଶା ଦେଖାଇଛି ଛତୁ ଚାଷ । ନବରଙ୍ଗପୁର ଉମରକୋଟ ବ୍ଲକ ବେହେଡ଼ା ନିକଟସ୍ଥ ସିରାଗୁଡ଼ା ଗାଁର ତିନୋଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏବେ ନିଜେ ରୋଜଗାର କରିପାରୁଛନ୍ତି । ଘରେ ଖାଲି ନ ବସି ଛତୁ ଚାଷ କରି ଦୁଇ ପଇସା ରୋଜଗାର କରୁଛନ୍ତି । ମହିଳାମାନେ ଉପଯୁକ୍ତ ତାଲିମ ପାଇବା ପରେ ଛତୁ ଚାଷରୁ ଦୈନିକ ୫ କେଜି ଲେଖାଏଁ ଛତୁ ଉତ୍ପାଦନ କରୁଛନ୍ତି । କିଲୋ ପିଛା ସେହି ଛତୁକୁ ୨୦୦ ଟଙ୍କାରେ ବିଭିନ୍ନ ଦୋକାନ ଓ ବଜାରରେ ବିକ୍ରି କରୁଛନ୍ତି ଏବଂ ଦୈନିକ ଏକ ହଜାର ଟଙ୍କା ରୋଜଗାର କରୁଛନ୍ତି ।

ବନବିଭାଗର ‘ଆମ ଜଙ୍ଗଲ ଯୋଜନା’ ମାଧ୍ୟମରେ ଉଦ୍ୟାନ ବିଭାଗ ତରଫରୁ ସ୍ୱେଚ୍ଛାସେବୀ ସଂଗଠନର ସହାୟତାରେ ଏହି ତିନୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଛତୁ ଚାଷ ପାଇଁ ୧୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ଏହା ସହ ଛତୁ ଚାଷ କରିବା ପାଇଁ ଉପଯୁକ୍ତ ତାଲିମ ମଧ୍ୟ ଦିଆଯାଇଥିଲା । ପରେ ଋଣ ଆଣିଥିବା ୧୦ ହଜାର ଟଙ୍କାରେ ଛତୁ ଚାଷ ଆରମ୍ଭ କରିଥିଲେ ଏହି ମହିଳାମାନେ । ଏବେ ସେମାନେ ଲାଭାଂଶ ବ୍ୟତୀତ ଅନ୍ୟ ଋଣ ସୁଝିବା ସହ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରାପ୍ୟ ପ୍ରଦାନ କରିପାରୁଛନ୍ତି । ଦିନେ ଛତୁ ଚାଷ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା ଏହି ଆଦିବାସୀ ମହିଳା ଏବେ ରୋଜଗାର କରିବାର ଏବେ ନୂତନ ପନ୍ଥା ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଅନ୍ୟମାନଙ୍କ ଛତୁ ଦର ଠାରୁ ମହିଳାଙ୍କ ଛତୁ ଦର କମ୍ ଥିବାରୁ ମହିଳାଙ୍କ ଛତୁ କିଣିବାକୁ ଗ୍ରାହକଙ୍କ ଭିଡ଼ ଜମୁଛି । ଛତୁ ଚାଷ ଆଦିବାସୀ ମହିଳାଙ୍କ ଜୀବନ ଧାରଣ ମାନରେ ପରିବର୍ତନ ଆଣିଛି । ଏହି ଆଦିବାସୀ ମହିଳାମାନେ ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।