ଦାବି ଜଣାଇବା ପାଇଁ ସଭା ମଝିରେ ବସିପଡ଼ିଲେ ଆଦିବାସୀ ମହିଳା । ଅଡ଼ୁଆରେ ପଡ଼ିଲେ ସାଂସଦ, ବିଧାୟକ

281

କନକ ବ୍ୟୁରୋ : ଦାବି ଜଣାଇବା ପାଇଁ ସଭା ମଝିରେ ବସିପଡ଼ିଲେ ଆଦିବାସୀ ମହିଳା । ଚାକିରୀ ଫେରାଇଦେବାକୁ ଦାବି କରି ଏଭଳି ନିଆରା ଢ଼ଙ୍ଗରେ ପ୍ରତିବାଦ କରୁଛନ୍ତି ପିରୋ କିସାନ । ମହିଳାଙ୍କ ଏଭଳି ପ୍ରତିବାଦ ଦେଖି ଅଡୁଆରେ ପଡିଯାଇଥିଲେ ସାଂସଦ, ବିଧାୟକ ଏବଂ ଜିଲ୍ଲପାଳ ।
ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିକାଶ ଭବନରେ ଚାଲିଥିଲା ସଭା । ମଚଂରେ ବସିଥାନ୍ତି ସୁନ୍ଦରଗଡ ଲୋକସଭା ସାଂସଦ ଜୁଏଲ ଓରାମ , ବିଧାୟିକା କୁସୁମ ଟେଟେ, ଜିଲ୍ଲପାଳ ନିଖିଲ ପବନ କଲ୍ୟାଣ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ । ସଭା ଚାଲିଥାଏ, ଜିଲ୍ଲାପାଳ ଧାନ କିଣା ପ୍ରକ୍ରିୟା ଉପରେ ଆଲୋଚନା କରୁଥିଲେ । ଠିକ୍ ସେତିକି ବେଳେ ସଭାଗୃହ ମଧ୍ୟକୁ ପଶିଆସିଥିଲେ ମହିଳା । ଆଉ ସିଧା ଚାଦର ବିଛାଇ ସଭା ମଝିରେ ବସିପଡିଥିଲେ । ହଠାତ ଅପ୍ରତ୍ୟାଶିତ ଭାବରେ ଘଟିଯାଇଥିବା ଘଟଣାରେ କେହି କିଛି ବୁଝିପାରିନଥିଲେ । ଆଉ ଅଡୁଆରେ ପଡିଯାଇଥିଲେ ସମସ୍ତେ । ପିରୋ କିଶାନ ହେଉଛନ୍ତି ସୁନ୍ଦରଗଡ ସଦର ବ୍ଲକ ମଝାପଡାର । ୧୦ ବର୍ଷ କାଳ ବିନା ପଇସାରେ ମଝାପଡା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଅନ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କୁ ଭରସା ଦିଆଯାଇଥିଲା ବିଦ୍ୟାଳୟ ବ୍ଲକଗ୍ରାଣ୍ଡ ପାଇଲେ ତାଙ୍କୁ ନିଯୁକ୍ତି ଦିଆଯିବ । ହେଲେ ବିଦ୍ୟାଳୟ ବ୍ଲକ ଗ୍ରାଣ୍ଡ ପାଇଲା କିନ୍ତୁ ପିରୋଙ୍କୁ ନିଯୁକ୍ତି ଦିଆ ଯାଇନଥିଲା । ଯାହାକୁ ବିରୋଧ କରି ପ୍ରତିବାଦ କରୁଛନ୍ତି ପିରୋ କିସାନ । ଏହା ପୂର୍ବ ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଶୋଇପଡିଥିଲା ପିରୋ କିଶାନ ।