ଖାସ୍ ଅନଲାଇନରେ ପାଠ ପଢିବା ପାଇଁ । ୨ ମାସ ଧରି ଜଙ୍ଗଲରୁ ମହୁଲ ଗୋଟାଇ କିଣିଲେ ମୋବାଇଲ, ଏବେ ସକାଳୁ ୟୁ-ଟ୍ୟୁବରେ ପାଠ ପଢୁଛନ୍ତି ମାଲକାନଗିରିର ଆଦିବାସୀ ଝିଅ ।

171

କନକ ବ୍ୟୁରୋ : ପାଠ ପଢିବାର ନିଶା ଯୋଗୁଁ ଜଣେ ଛୋଟ ଝିଅ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି ।  ଅନଲାଇନରେ ପାଠ ପଢିବା ପାଇଁ ସାମ୍ନାକୁ ଆସିଛି ଆଉ ଏକ ସଂଘର୍ଷର କାହାଣୀ । କରୋନା କାଳରେ ଶ୍ରେଣୀଗୃହ ପାଠପଢା ସମ୍ଭବ ହେଉନଥିବାରୁ ରାଜ୍ୟ ସରକାର ୟୁ-ଟ୍ୟୁବରେ ବିକଳ୍ପ ଶିକ୍ଷାଦାନ ଆରମ୍ଭ କରିଛନ୍ତି । ହେଲେ ଏହି ପାଠପଢା ପାଇଁ ସ୍ମାର୍ଟଫୋନ ବା ଆଣ୍ଡ୍ରଏଡ ଫୋନଟିଏ ନିହାତି ଜରୁରୀ  । କିନ୍ତୁ ଗରିବ ଆଦିବାସୀ ପିଲା ପାଇଁ ଏଭଳି ଦାମିକିଆ ଫୋନଟିଏ ଯୋଗାଡ କରିବା ସହଜ କଥା ନୁହେଁ । ସେଥିପାଇଁ ତ ପ୍ରାୟ ୨ ମାସ ଧରି ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରିବା ପରେ ଗୋଟିଏ ସ୍ମାର୍ଟଫୋନ କଣିବାକୁ ସମର୍ଥ ହୋଇଛି ମାଲକାନଗିରିର ଆଦିବାସୀ ଛାତ୍ରୀ ସୀମା ମାଡକାମୀ ।

ସତୀଗୁଡା ଆବାସିକ ବିଦ୍ୟାଳୟରେ ପାଠ ପଢୁଛି ସୀମା । ଗତବର୍ଷ ଅନଲାଇନରେ ଆଦୌ ପାଠ ପଢିପାରି ନଥିଲା । ଏଥର କିନ୍ତୁ ଗୋଟିଏ ବି କ୍ଲାସ ମିସ କରିବାକୁ ଚାହୁଁନଥିଲା । ଆଉ ସେଥିପାଇଁ ଖରା, ବର୍ଷାରେ ଜଙ୍ଗଲରେ ବୁଲିବୁଲି ସଂଗ୍ରହ କରିଥିଲା ମହୁଲ ଫୁଲ । ଏଠାକାର ଆଦିବାସୀମାନେ ମୁଖ୍ୟତଃ ଏହି ମହୁଲ ଫୁଲ ସଂଗ୍ରହ କରି ନିଜର ଗୁଜୁରାଣ ମେଂଟାନ୍ତି । ହେଲେ ଦଶମ ଶ୍ରେଣୀର ଛୋଟିଆ ଝିଅଟିଏ ନିଜର ଶିକ୍ଷା ଆବଶ୍ୟକତାକୁ ପୂରଣ କରିବା ପାଇଁ ମହୁଲ ସଂଗ୍ରହ କରିବାକୁ ନିଜର ନିଶା କରିଦେଇଥିଲା । ତାକୁ ଶୁଖେଇ ସିଖପାଲି ସାପ୍ତାହିକ ହାଟରେ ବିକ୍ରି କରିବା ପରେ ୧୦ ହଜାର ଟଙ୍କା ରୋଜଗାର କଲା । ଆଉ ନିଜ ଅନଲାଇନ ପାଠପଢା ପାଇଁ ୮ ହଜାର ଟଙ୍କାରେ କିଣିଲା ଏକ ସ୍ମାର୍ଟଫୋନ୍ । ଆଉ କିଛି ପଇସାରେ ସିମକାର୍ଡ କିଣି ଏବେ ଅନଲାଇନରେ ପାଠ ପଢିବାକୁ ସମର୍ଥ ହୋଇଛି । ତେବେ ଘରେ ବିଜୁଳି ନଥିବାରୁ ପ୍ରତିଦିନ ତାଣ୍ଡିପାଲି ଗାଁରେ ଥିବା ଦାଦାଙ୍କ ଘରକୁ ଯାଇ ମୋବାଇଲ ଚାର୍ଜ କରିବା ପରେ ସକାଳୁ ୟୁ-ଟ୍ୟୁବରେ ପାଠ ପଢୁଛନ୍ତି ସୀମା  ।