ଏମିତି ଚାଲିଛି ସରକାରୀ ହଷ୍ଟେଲ ! ପୋକ ଲଗା ଭାତ ସାଙ୍ଗକୁ ଦିଆଯାଉଛି ପାଣିଆ ଡାଲି, ପ୍ରତିବାଦରେ ଉପାସରେ ଅଛନ୍ତି ୩୦୦ ଛାତ୍ର ।

20

କନକ ବ୍ୟୁରୋ : ଉପାସରେ ଅଛନ୍ତି ୩୦୦ ଜଣ ଆଦିବାସୀ ଛାତ୍ର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ନିମ୍ନମାନର ଖାଦ୍ୟକୁ ବିରୋଧ କରି ଗତକାଲି ରାତିରୁ ଛାତ୍ରମାନେ ଉପାସରେ ଅଛନ୍ତି । ତେବେ ଏହି ଘଟଣା ହେଉଛି ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାରରେ ଥିବା ଏକ ସରକାରୀ ଆଦିବାସୀ ହଷ୍ଟେଲର । ଏହି ହଷ୍ଟେଲ ୪୦୦ ଆଦିବାସୀ ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଏବେ ଏଥିରେ ୨୭୦ ଜଣ ଛାତ୍ର ରହୁଛନ୍ତି ।

ସୂଚନା ଅନୁଯାୟୀ, ପାଖାପାଖି ୧ ବର୍ଷ ଧରି ଏହି ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଛାତ୍ରମାନେ ଅଭିଯୋଗ କରି ଆସୁଥିଲେ । ଏପରିକି ଡିଷ୍ଟ୍ରିକ୍ଟ କଲେକଟର୍ ଏବଂ ଉପରିସ୍ଥ ଅଧିକାରୀମାନଙ୍କୁ ମଧ୍ୟ ଏନେଇ ସେମାନେ ଅବଗତ କରାଇଥିଲେ । କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏହାପରେ ଛାତ୍ରମାନେ ଡିଷ୍ଟ୍ରିକ୍ଟ ୱେଲଫେୟାର ଅଫିସର ମନୋଜ ନାୟକଙ୍କୁ ମଧ୍ୟ ଲିଖିତ ଭାବେ ଅଭିଯୋଗ କରିଥିଲେ । କିନ୍ତୁ ଦୁଃଖର ବିଷୟ, ସେ ଛାତ୍ରମାନଙ୍କୁ ଅଭିଯୋଗ ଉପରେ ଗୁରୁତ୍ୱ ଦେବାତ ଦୂରର କଥା ଓଲଟି ସେମାନଙ୍କ ଉପରେ ଦୋଷାରୋପ କରିଥିଲେ ।

ଅଧିକାରୀଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ତଳେ ଛାତ୍ରବାସରୁ କିଛି ଛାତ୍ରଙ୍କୁ ବହିଷ୍କାର କରାଯାଇଥିଲା । ଆଉ ସେହି କାରଣରୁ ସେମାନେ ହଷ୍ଟେଲରେ ଥିବା ଛାତ୍ରମାନଙ୍କୁ ପ୍ରବର୍ତ୍ତାଇ ଏପରି ଆନ୍ଦୋଳନ କରୁଛନ୍ତି । ହଷ୍ଟେଲରେ ଭଲ ଖାଇବା ଦିଆଯାଉଛି । ଏବଂ ଛାତ୍ରମାନଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ଅଧିକାରୀ ଜଣଙ୍କ କହିଥିଲେ । ସେପଟେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଧାରଣାରେ ବସିଛନ୍ତି ହଷ୍ଟେଲରେ ରହୁଥିବା ଛାତ୍ରମାନେ । ପୋକ ଲାଗିଥିବା ଭାତ ଏବଂ ପାଣିଆ ଡାଲି ଖାଇବାକୁ ଦିଆଯାଉଥିବା ନେଇ ସେମାନେ ଅଭିଯୋଗ କରିବା ସହ ଗତକାଲି ରାତିରୁ ଛାତ୍ରମାନେ ଉପାସରେ ଅଛନ୍ତି । ସୂଚନା ଅନୁଯାୟୀ, ଏହି ଛାତ୍ରବାସରେ ଭୁବନେଶ୍ୱରର ଅନେକ ସରକାରୀ କଲେଜ ଏବଂ ସରକାରୀ ଇଞ୍ଜିନିୟରିଂ କଲେଜରେ ଛାତ୍ରମାନେ ରହୁଛନ୍ତି ।