ରାଜରାସ୍ତାରେ ଆଦିବାସୀଙ୍କ ରଣହୁଙ୍କାର: ଜୀବନ ଦେବୁ ପଛେ ଓସିଏଲକୁ ଦେବୁନି ଜମି

92

କନକ ବ୍ୟୁରୋ: ସୁନ୍ଦରଗଡ଼ରେ ଗର୍ଜିଲେ ଆଦିବାସୀ । କହିଲେ ଜୀବନ ଦେବୁ ପଛେ ଜମି ଦେବୁ ନାହିଁ । ରାଜଗାଙ୍ଗପୁର ସ୍ଥିତ ଡ଼ାଲମିଆ ଭାରତ ସିମେଂଟ ଓ ଓସିଏଲ କମ୍ପାନୀର ଲାଂଜିବେର୍ଣ୍ଣା ଚୁନ ପଥର ଖଣି ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି ହଜାର ହଜାର ସ୍ଥାନୀୟ ଆଦିବାସୀ ଏକାଠି ହୋଇଛନ୍ତି । ହଜାର ହଜାର ଆଦିବାସୀ ଏକାଠି ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ରାଜଗାଙ୍ଗପୁର ବିଧାୟକ ସିଏସ ରାଜେନ ଏକ୍କା ଏବଂ ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଆଦିବାସୀ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଓସିଏଲ ଚୁନ ପଥର ଖଣି ପାଇଁ ରାଜଗାଙ୍ଗପୁର ବ୍ଲକର କୁକୁଡ଼ା, ଅଲଣ୍ଡା, କେଶ୍ରାମାଲ ଏବଂ ଝଗରପୁର ପଂଚାୟତର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଆରମ୍ଭରୁ ଏହାକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ ।

ଗତ ଅଗଷ୍ଟ ୨୩ ଏବଂ ୨୫ ତାରିଖ ଜନ ଶୁଣାଣିକୁ ପ୍ରବଳ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ତଥାପି ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଜେନ ତେନ ପ୍ରକାରେଣ କରିବା ଉଦ୍ଦେଶ୍ୟରେ ଗୋଟିଏ ଗୋଟିଏ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି । ଏହାକୁ ବିରୋଧ କରି ଆଜି ଏଭଳି ବିରୋଧ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଆଦିବାସୀ । ପ୍ରଶାସନ ବେଆଇନ ଭାବେ ଜମି ଅଧିଗ୍ରହଣ କରିବା ପାଇଁ ଚେଷ୍ଟା କରୁଥିବା ବେଳେ କୌଣସି ଅବସ୍ଥାରେ ଜମି ଦେବୁ ନାହିଁ ବୋଲି କହିଛନ୍ତି ଆନ୍ଦୋଳନକାରୀ ।