ଆଦିବାସୀଙ୍କ ଅଜବ ପରମ୍ପରା । ରକ୍ତ ରଂଜିତ ହେଲା ମାଲକାନଗିରିର ମାଉଳି ମାଆଙ୍କ ପୀଠ, ଶରୀରକୁ ଆକ୍ଷାତ ଦେଇ ଦିଶାରୀଙ୍କ ପୂଜାର୍ଚ୍ଚନା ।

197

କନକ ବ୍ୟୁରୋ : ଆଦିବାସୀଙ୍କ ଅଜବ ପରମ୍ପରା । ଶରୀରକୁ ଆକ୍ଷାତ ଦେଇ ପୂଜାର୍ଚ୍ଚନା । ଆଦିବାସୀ ପରମ୍ପରା ଆଗରେ ହାର ମାନିଛି କୋର୍ଟଙ୍କ କଟକଣା । ଦୋଳ ପୂର୍ଣ୍ଣିମା ଅବସରରେ ଆୟୋଜିତ ହୋଇଛି ପୋଢ ବଳି । ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦିଆଯାଇଛି ପଶୁବଳି । ମାଲକାନଗିରି ଜିଲ୍ଲାରୁ ଅସିଛି ଆସ୍ଥା ବନାମ ଅନ୍ଧବିଶ୍ୱାସର ଏଭଳି ଏକ୍ସକ୍ଲୁସିଭ ଚିତ୍ର ।

ଆଦିବାସୀଙ୍କ ଅଜବ ପରମ୍ପରା । ଆସ୍ଥା ବନାମ ଅନ୍ଧବିଶ୍ୱାସ । ମାଲକାନଗିରି ଜିଲ୍ଲା ମାରିୱାଡା ସ୍ଥିତ ମାଉଳି ମାଆଙ୍କ ପୀଠରେ ଚାଲିଛି ଏଭଳି ପୂଜାର୍ଚ୍ଚନା । ପାହାଡ ଉପରେ ଏକାଠି ହୋଇଛନ୍ତି ମାରିୱାଡା ପଂଚାୟତ ସମେତ ପାଖଆଖର ପ୍ରାୟ ୫୦ରୁ ଅଧିକ ଗାଁର ଶହଶହ ଆଦିବାସୀ । ମାନସିକଧାରୀଙ୍କ ହାତରେ ରହିଛି ଗୋଟିଏ ଲେଖାଏ କୁକୁଡା, ଛେଳି ବୋଦା ଓ ପୋଢ । ଆଦିବାସୀଙ୍କ ବିଶ୍ୱାସ ଆଧାରରେ ମାଆ ମାଉଳିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏମାନଙ୍କୁ ଏଠାରେ ବଳି ଦିଆଯାଏ । ବଳିକୁ ରୋକିବା ପାଇଁ ଯେତେ ଆଇନଗତ କଟକଣା ଥିଲେ ବି ଆଦିବାସୀଙ୍କ ପରମ୍ପରା ଆଗରେ ସେ ସବୁ ଫିକା ପଡିଯାଏ ।

ପ୍ରତି ୨ ବର୍ଷକୁ ଥରେ ଦୋଳ ପୂର୍ଣ୍ଣିମା ଅବସରରେ ମାଉଳି ମାଆଙ୍କ ପୀଠରେ ପୋଢ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମାନସିକ ପୂରଣ ନାଁରେ ରକ୍ତ ରଂଜିତ ହୋଇଥାଏ ମାଆ ମାଉଳିଙ୍କ ପୀଠ । ଆଉ ନିଜ ଶରୀରକୁ ଆକ୍ଷାତ ହେଇ ମାଆଙ୍କ ପୂଜା କରିଥାନ୍ତି ଦିଶାରୀ । ମାଲକାନଗିରି ଜିଲ୍ଲାରେ ଆୟୋଜିତ ଏହି ପୂଜାରେ ପଡୋଶୀ ଛତିଶଗଡର ଆଦିବାସୀଙ୍କ ଭିଡ ଜମିଥାଏ । ମାଉଳିଙ୍କ ପୋଢ ଯାତ୍ରା ଭଳି ମାଲକାନଗିରି ଜିଲ୍ଲାର ପ୍ରତି ୨ ବର୍ଷରେ ଥରେ ବଡ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଦେବୀ ମୁତ୍ୟାଲୁଆମ୍ମାଙ୍କ ସହ କାନାମରାଜ, ବାଲାରାଜ ଓ ପୋତରାଜଙ୍କୁ ବଡ ଯାତ୍ରାରେ ପୂଜାର୍ଚ୍ଚନା କରାଯାଇଥାଏ ।

ତେବେ ମାଉଳି ମାଆଙ୍କ ପୋଢ ଯାତ୍ରାରେ ଆଗରୁ ହଜାର ହଜାର ସଂଖ୍ୟାରେ ବଳି ଦିଆଯାଉଥିଲା । ଯଦିଓ ସମୟକ୍ରମେ ବଳିର ମାତ୍ରା କମିଛି, ତଥାପି ଆଦିବାସୀଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ।