କନକ ବ୍ୟୁରୋ: ଜଙ୍ଗଲ ଗାଁରୁ ରାଜସ୍ୱ ଗ୍ରାମ୍ୟକୁ ପରିବର୍ତ୍ତନରେ ଜିଡିପିଏସ ସର୍ଭେକୁ ଆଦିବାସୀଙ୍କ ବିରୋଧ । ସୁନ୍ଦରଗଡ ଜିଲ୍ଲା ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଆଉ ଏଠାରେ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କୁ ସରକାର ଜଙ୍ଗଲ ଅଧିକାର ଆଇନ ଅନୁସାରେ, ଜମି ପଟ୍ଟା ପ୍ରଦାନ କରିବା ପରେ ଏବେ ଗୋଷ୍ଠୀଗତ ଜଙ୍ଗଲ ଅଧିକାରରେ ଜଙ୍ଗଲ ଗାଁ ଗୁଡିକୁ ରାଜସ୍ୱ ଗ୍ରାମରେ ପରିବର୍ତନ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ଜିଡିପିଏସ ଜରିଆରେ ସର୍ଭେ କରାଯାଉଛି । ଏହାକୁ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀମାନେ ସଂପୂର୍ଣ୍ଣ ଭାବେ ବିରୋଧ କରିଛନ୍ତି ।

Advertisment

ପୂର୍ବରୁ ପ୍ରଶାସନ ବସୁନ୍ଧରା ଯୋଜନା ମାଧ୍ୟମରେ ଦିଆଯାଉଥିବା ଜମି ପାଇଁ ଜିଡିପିଏସ ସର୍ଭେ କରିଥିଲା, ଆଜି ପର୍ଯ୍ୟନ୍ତ ହିତାଧିକାରୀମାନେ ଜମି ପାଇନାହାନ୍ତି, କେବଳ ପଟ୍ଟା ଧରି ବୁଲୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । ତେଣୁ ପୁଣି ଜଙ୍ଗଲରେ ଏହି ସର୍ଭେ କାହିଁକି କରାଯାଉଛି ବୋଲି ପ୍ରଶ୍ନ କରି ଆଦିବାସୀମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍ଥାନୀୟ ଆଠକୋଶିଆ ଲୋକ ସଙ୍ଗଠନ ନେତୃତ୍ୱରେ ଶତାଧିକ ଆଦିବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏହି ଦାବି ଜଣାଇଛନ୍ତି । ଜିଲ୍ଲାରେ ୭ଦିନ ମଧ୍ୟରେ ଏହି ଜିଡିପିଏସ ସର୍ଭେକୁ ବନ୍ଦ କରାନଯାଏ ତାହା ହେଲେ ଏହି ଆଦିବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।