ସୂର୍ଯ୍ୟମୁଖୀ ଫୁଟାଉଛି ଲାଞ୍ଜିଆ ସଉରା ସମ୍ପ୍ରଦାୟର ଲୋକଙ୍କ ମୁହଁରେ ହସ । ଜଙ୍ଗଲଜାତ ଦ୍ରବ୍ୟ ବଦଳରେ ସୂର୍ଯ୍ୟମୁଖୀ ଚାଷ କରି ସ୍ୱାବଲମ୍ବୀ ଆଦିବାସୀ ଜନଜାତି ।

159

କନକ ବ୍ୟୁରୋ: କାହିଁ କେଉଁ କାଳରୁ ଜଙ୍ଗଲର ଲଘୁଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନଜୀବିକା ନିର୍ବାହ କରୁଥିବା ଆଦିମ ଜନଜାତିଙ୍କ ରୋଜଗାର ମାଧ୍ୟମ ଏବେ ବଦଳିଛି । ଜଙ୍ଗଲଜାତ ପଦାର୍ଥ ନୁହେଁ ବରଂ ଏମାନଙ୍କ ଜୀବିକାର ପନ୍ଥା ପାଲଟିଛି ସୂର୍ଯ୍ୟମୁଖୀ ଚାଷ । ଏହି ଚାଷ କରି ନିଜେ ସ୍ୱାଭଲମ୍ବୀ ହୋଇପାରୁଛନ୍ତି ଏଠାକାର ଚାଷୀ । ଆଉ ଏହି ଆଦିବାସୀ ଜନଜାତି ଲାଞ୍ଜିଆ ସଉରାଙ୍କ ବିକାଶ ତଥା ଆର୍ଥିକ ଉନ୍ନତି ପାଇଁ ଅଂଟା ଭିଡିଛି ପୁଟାସିଂ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା ।

କ୍ଷେତରେ ହସୁଛି ସୂର୍ଯ୍ୟମୁଖୀ । ଆଉ ଏହି ସୂର୍ଯ୍ୟମୁଖୀ ଚାଷ କରି ହସୁଛି ଚାଷୀ । ପାହାଡରୁ ବୋହି ଯାଉଥିବା ଝରଣା ପାଣିକୁ ବ୍ୟବହାର କରି ଏହି ଚାଷ ହୋଇଛି । ରାୟଗଡା ଆବଡା ପଂଚାୟତ କୁଲୁସିଂ ଗାଁ । ଭୌଗଳିକ ସ୍ଥିତି ଓ ଅନୁକୂଳ ପାଣିପାଗ ଯୋଗୁଁ ଏଠାକାର ଜନଜାତି ଏବେ   ସୂର୍ଯ୍ୟମୁଖୀ ଚାଷ ପ୍ରତି ମନ ବଳାଉଛନ୍ତି । ଏଠାକାର ଲାଞ୍ଜିଆ ସୌରା ସମ୍ପ୍ରଦାୟର ଲୋକେ ଆଗରୁ ଜଙ୍ଗଲରେ ପୋଡୁଚାଷ ଓ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିୀର୍ବାହ କରୁଥିଲେ ମାତ୍ର ତୈଳବୀଜ ଏକ ଅର୍ଥକାରୀ ଫସଲ ହୋଇଥିବାରୁ ଏବେ ସୂର୍ଯ୍ୟମୁଖୀ ଚାଷ କରୁଛନ୍ତି ଏଠାକାର ବାସିନ୍ଦା ।

ଆଉ ଏମାନଙ୍କୁ ପ୍ରୋତ୍ସାହନର ହାତ ବଢାଇଛି ଲାଞ୍ଜିଆସୌରା ଉନ୍ନୟନ ସଂସ୍ଥା ଅଧିନସ୍ଥ ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ ସଂସ୍ଥା (ଓପିଲିପି) । ଓପିଲିପି ସଂସ୍ଥା ପକ୍ଷରୁ ଚାଷୀମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ ପଦ୍ଦତି ତାଲିମ ଦେବା ସହ ମାଗଣାରେ ବିହନ, ଜୈବିକ ସାର ଯୋଗାଇ ଦିଆଯାଉଛି । ସୂର୍ଯ୍ୟମୂଖୀ ଚାରା ଉତ୍ପତି ଠାରୁ ଆରମ୍ଭ କରି ଉତ୍ପାଦନ ଯାଇ ଏହି ଓପିଲିପିର କର୍ମକର୍ତା କ୍ଷେତ ପରିଦର୍ଶନ କରି ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦେଉଛନ୍ତି ।

ତେବେ ଏହି ଅଂଚଳର ଚାଷୀମାନେ ବହୁଳ ପରିମାଣରେ ସୂର୍ଯ୍ୟମୁଖୀ ଚାଷ କରିଥିବା ବେଳେ ଏଠାରେ ତୈଳ କାରାଖାନା ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉତ୍ପାଦିତ ସୂର୍ଯ୍ୟମୁଖୀ ପାହାଡ,ଡଙ୍ଗର ଦେଇ ଗୁଣପୁର ୩୦କିମି ଓ ଗଜପତି ଜିଲ୍ଲାର ଖାଣ୍ଡବା ଗ୍ରାମ ୪୫କିମି ଦୂରତ୍ୱ ତୈଳ ମିଲ ଉପରେ ନିର୍ଭର କରୁଛନ୍ତି । ତେଣୁ ଏଠାରେ ଏକ ତୈଳ କାରଖାନା ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ଚାଷୀ । ଅନ୍ୟପଟେ ଜନଜାତିଙ୍କ ବିକାଶ ପାଇଁ ଅଂଚଳରେ ପର୍ଯ୍ୟାପ୍ତ ପରିମାଣର ଭିତିିଭୂମି ରହିଛି । ସେମାନଙ୍କ ବିକାଶକୁ ଅଗ୍ରାଧିକାର ଦିଆଯିବା ସହ ସ୍ୱାବଲମ୍ବୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି  ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ କୃପାସିନ୍ଧୁ ବେହେରା ପ୍ରକାଶ କରିଛନ୍ତି । ଅନାବାଦି ଜମିରେ ପ୍ରଚୁର ପରିମାଣରେ ସୂର୍ଯ୍ୟମୁଖୀ ଚାଷ କରିବା ନେଇ ଆକୃଷ୍ଟ କରିବାରେ ଓପିଲିପି ସଂସ୍ଥାର ଉଦ୍ୟମ ବେଶ୍ ପ୍ରଶଂସନୀୟ ।