ଲାଲଗଡରେ ବିଏସଏଫ୍ ଜନ ସଂପର୍କ ଶିବିର: ଲୋକଙ୍କ ମନରୁ ହଟିବ ମାଓ ଭୟ, ବିକାଶ ପାଇଁ ଆଗେଇ ଆସିବେ ଲାଲଗଡ଼ବାସୀ ।

133

କନକ ବ୍ୟୁରୋ: ଦିନେ ଲାଲ ତାଣ୍ଡବରେ ପ୍ରକୋମ୍ପିତ ହେଉଥିବା ଅଂଚଳର ନିରୀହ ଆଦିବାସୀ ମୁହଁରେ ଫୁଟିଛି ହସ । ସୁରକ୍ଷାର ଆଶ୍ୱସ୍ତି ଦେଇ ଲୋକଙ୍କ ନିକଟତର ହେଉଛନ୍ତି ବିଏସଏଫ୍ ଯବାନ । ଲୋକଙ୍କ ମନରୁ ନକ୍ସଲ ଭୟ ଦୂର କରିବାକୁ ଅଂଟା ଭିଡିଛି ସୁରକ୍ଷା ବାହିନୀ । ବିକାଶ କାମରେ ସହଯୋଗ ଓ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇ ଉନ୍ନୟନ କାମକୁ ଆଗେଇ ନେବାକୁ ପ୍ରୟାସ ଆରମ୍ଭ ହୋଇଛି । ଲାଲଗଡରେ ଜନ ସମ୍ପର୍କ ଶିବିର କରି ଯବାନ ଓ ଲୋକଙ୍କ ମଧ୍ୟରେ ଥିବା ଦୂରତା ପୋଛି ଦେବାକୁ ଉଦ୍ୟମ କରାଯାଇଛି । ଦେଖନ୍ତୁ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଲାଲଗଡ କିଆଙ୍ଗରୁ ଏହି ରିପୋର୍ଟ ।

ଝୁମୁଛି ଲାଲଗଡ଼.. । ଝୁମୁଛନ୍ତି ଆଦିବାସୀ ।.. ନାଚଗୀତରେ ମସଗୁଲ ଅଂଚଳବାସୀ. ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଆଦିବାସୀ ମହିଳା, ସମସ୍ତେ ନାଚରେ ବିଭୋରିତ । ଏହି ଉତ୍ସବ କୌଣସି ପରମ୍ପରା କିମ୍ବା ଶୁଭଦିନ ପାଇଁ ନୁହେଁ ବରଂ ଲାଲଗଡରେ ବିଏସ୍ଏଫ୍ ଯବାନଙ୍କୁ ସାଥ୍ ଦେବା ପାଇଁ । ଉନ୍ନୟନ କାମରେ ସହଯୋଗ କରିବା ପାଇଁ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କିଆଙ୍ଗ ଠାରେ ଆୟୋଜିତ ଜନ ସମ୍ପର୍କ ଶିବିରରେ ପ୍ରଥମ ଥର ପାଇଁ ଆଦିବାସୀଙ୍କୁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ନୀରିହ ଆଦିବାସୀଙ୍କ ମନରୁ ମାଓ ଭୟ ଦୂର କରି ସେମାନଙ୍କ ନିକଟତର ହେବା ପାଇଁ ବିଏସଏଫ୍ ଯବାନ ଆୟୋଜନ କରିଥନ୍ତି ଏପରି ଜନ ସଂପର୍କ ଶିବିର ।

ଉନ୍ନୟନ କାମରେ ବାଧା ସୃଷ୍ଟି କରୁଥିବା ଲାଲ ସଂଗଠନକୁ ବାଦ ଦେଇ ରାଜ୍ୟ ସରକାରଙ୍କ ବିକାଶକୁ ବାଟ କଢାଇ ନେଉଥିବା ବିଏସଏଫ୍ ଯବାନଙ୍କୁ ସମର୍ଥନ କରୁଛନ୍ତି ଆଦିବାସୀ । ସାହାସ ଜୁଟାଇ ସୁରକ୍ଷାବାହିନୀଙ୍କ ସହ ହାତ ମିଳାଇ ଆଗକୁ ବଢିବେ ବୋଲି ଜନ ସମ୍ପର୍କରେ ପ୍ରତିଶ୍ରୃତି ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଆଉ ଯବାନ ଓ ଲୋକଙ୍କ ମଧ୍ୟରେ ସୁ-ସମ୍ପର୍କ ସ୍ଥାପନ କରିବାକୁ ବିଭିନ୍ନ ଜିନିଷ ପତ୍ର ଠାରୁ ଆରମ୍ଭ କରି ଘରକରଣ ସାମଗ୍ରୀ ବଂଟନ କରିଛି ବିଏସ୍ଏଫ୍ । ସବୁବେଳ ସୁରକ୍ଷା ଯୋଗାଇ ଦେଇ ମାଓ ପ୍ରବଣ ଅଂଚଳରୁ ନକ୍ସଲଙ୍କୁ ମୂଳୋତ୍ପାଟନ କରିବାକୁ ଯବାନମାନେ ପ୍ରସ୍ତୁତ ଥିବା କହିଛନ୍ତି ବିଏସଏଫ ଡିଆଇଜି ।

ନିରୀହ ଆଦିବାସୀଙ୍କ ମୁହଁରେ ଅସୁମାରୀ ଖୁସି । ଏହି ଖୁସି ହେଉଛି ସୁରକ୍ଷିତର ଖୁସି । ମାଓ ସଂଗଠନ ଦମନର ଖୁସି । ସେଥିପାଇଁ ତ ନୂଆ ଜୀବନ ସହିତ ବଂଚିବା ଓ ଉନ୍ନୟନ କାମରେ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ଲାଲଗଡର ନିରୀହ ଆଦିବାସୀ ।