କନକ ବ୍ୟୁରୋ : ମଧ୍ୟପ୍ରଦେଶ ସିଦ୍ଧି ଜିଲ୍ଲାରେ ଗତ ଜୁଲାଇ ମାସରେ ଆଦିବାସୀ ଯୁବକ ଉପରେ ହୋଇଥିବା ପରିଶ୍ରା କରିବା ମାମଲା ଏବେ ନୂଆ ମୋଡ ନେଇଛି । ପୀଡିତ ଆଦିବାସୀ ଯୁବକ ଦଶମତ ରାୱତ ଚନ୍ଦ୍ରଶେଖର ଆଜାଦଙ୍କ ସଂଗଠନ ଭୀମ୍ ଆର୍ମୀ ଓ ଆଜାଦ ସମାଜ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ଦଶମତ କହିଛନ୍ତି କି, ସରକାର ତାଙ୍କ ବାବଦରେ କୌଣସି ଖବର ନେଲେ ନାହିଁ । ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ତାଙ୍କ ଫୋନ ଉଠାଇଲେ ନାହିଁ । ବିରକ୍ତି ହୋଇ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

Advertisment

କହିରଖୁ କି, ଗତ ଜୁଲାଇ ମାସରେ ମଧ୍ୟପ୍ରଦେଶ ସିଦ୍ଧି ଜିଲ୍ଲାରେ ରହୁଥିବା ଦଶମତଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ମାମଲାକୁ ନେଇ ଶିବରାଜସିଂ ସରକାର ବ୍ୟାକଫୁଟକୁ ଆସିଯାଇଥିଲା । ଚାରିଆଡୁ ସମାଲୋଚନା ପରେ ଶିବାରାଜସିଂ ଦଶମତଙ୍କୁ ତାଙ୍କ ବାସଭବନକୁ ନିମନ୍ତ୍ରଣ କରିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ଦଶମତଙ୍କ ପାଦ ଧୋଇବା ସହ ତାଙ୍କୁ ସମ୍ମାନୀତ କରିଥିଲେ ।

କେବଳ ସେତିକି ନୁହେଁ ଶିବରାଜ ସିଂ ଦଶମତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ଯୋଗାଇ ଦେବା ସହ ୫ ଲକ୍ଷ ଟଙ୍କା ସହାୟତା କରିଥିଲେ । ଏହାସହ ପିଲାଙ୍କ ପାଠପଢା ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଦଶମତଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରି ଦଶମତ ଚନ୍ଦ୍ରଶେଖର ଆଜାଦଙ୍କ ଭୀମ ଆର୍ମୀ ଓ ଆଜାଦ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ହେଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏବେ ବି ୪ ଜଣ ପୋଲିସ କର୍ମୀ ଦଶମତଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।

ଏହାକୁ ନେଇ ଦଶମତ କହିଛନ୍ତି କି, ୪ ଜଣ ପୋଲିସ କର୍ମୀ ତାଙ୍କୁ ଘରେ ଜଗିଥିବାରୁ ତାଙ୍କୁ ଜେଲରେ ରହିବା ଭଳି ଅନୁଭବ ହେଉଛି । ଏତିକି ନୁହେଁ ସେ କହିଛନ୍ତି କି, ଏବେ ଧାର କରଜ କରି ପରିବାର ଚଳାଉଛନ୍ତି । ଏହି କ୍ରମରେ ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି ତରଫରୁ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଛି କି, ଯଦି ତାଙ୍କ ପ୍ରାର୍ଥୀ ବିଜୟୀ ହୁଏ ତେବେ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ।