ପାଠ ପଢିବା ବୟସରେ ହାତରେ ଧରିଛି ହଳ । ପରିବାରର ପେଟ ପୋଶିବା ଲାଗି ସଂଘର୍ଷ କରୁଛି ପାଠୁଆ ଝିଅ ।

460

କନକ ବ୍ୟୁରୋ: ପାଠ ପଢିବା ବୟସରେ ହାତରେ ହଳ ଧରିଛି ଆଦିବାସୀ ଝିଅ । ପରିବାରରେ ପେଟ ପୋଶିବା ଲାଗି ସଂଘର୍ଷ କରୁଛି ପାଠୁଆ ଝିଅ । ବାପାଙ୍କ ବିୟୋଗ ପରେ ଘର ର ମୁରବି ସାଜି ଭାଇ ଭଉଣୀ ଙ୍କ ସହ ଅସୁସ୍ଥ ମାଁ ଙ୍କ ବୋଝ ମୁଣ୍ଡେଇ ନିଜ ବହି ବସ୍ତାନି ରେ ଡୋରି ବାନ୍ଧିଛି ସେ । ମାଲାକନଗିରି ଜିଲ୍ଲା ର ଦୁର୍ଗମ ମାଟେରୁ ପଂଚାୟତ ରେ ଏଭଳି ଏକ ଶିକ୍ଷିତ ଆଦିବାସୀ ଝିଅ କୁ ନେଇ ଏବେ ଚାରି ଆଡେ ଚର୍ଚା । ଆସନ୍ତୁ ଭେଟିବା ସେହି ଶିକ୍ଷିତ ଯୁବତି ସୋମେ ମାଢିଙ୍କୁ ।

ହଳ ଧରି ବିଲରେ ଚାଷ କରୁଛନ୍ତି ଆଦିବାସୀ ଝିଅ । ବହି ବସ୍ତାନିର ବୋଝ ସ୍ଥାନରେ କାନ୍ଧରେ ରହିଛି ପରିବାରର ବୋଝ । ଆମେ କହୁଛୁ ଆଦିବାସୀ ଅଧ୍ୟୁଶିତ ମାଲାକନଗିରି ପଡିଆ ବ୍ଲକ ଦୁର୍ଗମ ତେଗପାଲି ଗାଁର ସୋମେ ମାଢିଙ୍କ କଥା । ବୟସ ମାତ୍ର ୧୯ ବର୍ଷ । ଏହି ପାଠ ପଢା ବୟସରେ ଜମି ହଳ କରିବା ଠାରୁ ଆରମ୍ଭ କରି ବିହନ ବୁଣିବା ଠାରୁ ଆରମ୍ଭ କରି ଧାନ ଅମଳ କରିବା ଯାଏ ସବୁ ଦାୟୀତ୍ୱ ସୋମେଙ୍କ ମୁଣ୍ଡରେ । କାରଣ ବାପା ୯ ବର୍ଷ ତଳୁ ଆରପାରିକୁ ଚାଲି ଯାଇଛନ୍ତି, ବହୁ କଷ୍ଟ କରି ମାଆ ତାଙ୍କୁ ଯୁକ୍ତ ୨ ଯାଏଁ ପଢାଇଛନ୍ତି । ହେଲେ ଏବେ ଆଉ ସମ୍ବଳ ନାହିଁ, ତେଣୁ ପଢା ବହିରେ ଡୋରି ବାନ୍ଧି ପରିବାରର ବୋଝ ମୁଣ୍ଡାଇଛନ୍ତି ସୋମେ ।

ବାପାଙ୍କ ଦେହାନ୍ତ ପରେ ମାଆ ଅସୁସ୍ଥ, ସାଥିରେ ଅଛନ୍ତି ସାନ ଭଉଣୀ ଓ ୮ ବର୍ଷର ଛୋଟ ଭାଇ । ତେବେ ଅର୍ଥ ଅଭାବରୁ ସାନ ଭଉଣୀ ପାଠ ପଢି ପାରିନଥିବା ବେଳେ ସାନ ଭାଇକୁ ପାଠ ପଢାଇବା ଲାଗି ନିଜେ ପଢା ବହିରେ ଡୋରି ବାନ୍ଧି ଦେଇଛନ୍ତି ସୋମା । ପରିବାର ଚଳାଇବା ସହ ଭାଇକୁ ପଢାଇବା ପାଇଁ ଚାଷ କରୁଛନ୍ତି, ବଳକା ସମୟରେ ଜଙ୍ଗଲରୁ ଟୋଲ ମହୁଳ ଗୋଟେଇ ବିକ୍ରି କରୁଛନ୍ତି ।

ସୋମେଙ୍କ ପରିବାର ପାଇଁ ସରକାରଙ୍କ ପକ୍ଷରୁ ଟଙ୍କିକିଆ ଚାଉଳ ଓ ୫୦୦ ଟଙ୍କା ବିଧବା ଭତା ମିଳୁଛି । ହେଲେ ସେତିକିରେ ଚଳି ହେଉନାହିଁ । ତେଣୁ ପକା ଘର ଖଣ୍ଡେ ଓ ପାଠ ପଢା ଲାଗି ସହାୟତା ମିଳିଲେ ନିଜେ ପଢି, ଭାଇ ଭଉଣୀଙ୍କୁ ମଧ୍ୟ ପଢାଇ ପାରନ୍ତେ ବୋଲି କୁହନ୍ତି ଏହି ସାହସୀ ଆଦିବାସୀ ଝିଅ ।