ବିଛଣାରେ ଅଟକିଛି ଆଦିବାସୀ ଯୁବତୀଙ୍କ ଜୀବନ । ହାତ-ଗୋଡ ଚାଲୁ ନଥିବାରୁ ରୋଗଶଯ୍ୟାରେ ସମାଧି ନେଇଛି ସବୁ ସ୍ୱପ୍ନ ।

100

କନକ ବ୍ୟୁରୋ : ବିଛଣାରେ ଅଟକି ଯାଇଛି ମୋ ଜୀବନ । ସରକାର ଚାହିଁଲେ ଭଲ ହୋଇ ଟିକେ ବୁଲା ବୁଲି କରିବି । ୧୨ ବର୍ଷ ଧରି ବିଛଣାରେ ପଡିବା ପରେ ସୁସ୍ଥ ହୋଇ ଘରୁ ବାହାରିବାକୁ ଆଶା ରଖିଛନ୍ତି ଜଣେ ଅସହାୟ ଆଦିବାସୀ ଯୁବତୀ । ସେପଟେ ସରକାରଙ୍କ ୧୨ ଶହ ଭତା ଟଙ୍କାରେ ଦିବ୍ୟାଙ୍ଗ ଭଉଣୀକୁ ନେଇ ପେଟ ପୋଷିବା କଷ୍ଟକର ହୋଇପଡିଛି । ଏପରି ସ୍ଥିତିରେ ନିଜ ଭାଗ୍ୟକୁ ଆଦରି ପଡିଛନ୍ତି ମାଲକାନଗିରି ଜିଲ୍ଲାର ୨ ଆଦିବାସୀ ଯୁବତୀ । ଦୁଇ ଭଉଣୀଙ୍କ କରୁଣ କାହାଣୀ ଜାଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ ।

ଚାଳ ଛପର କୁଡିଆରେ ବର୍ଷ ବର୍ଷ ଧରି ସଜ୍ୟାସାୟୀ ୨୨ ବର୍ଷୀୟ ଆଦିବାସୀ ଯୁବତୀ ବୃନ୍ଦା କୱାସୀ । ବିଛଣାରେ ବନ୍ଦି ହୋଇଯାଇଛି ବୃନ୍ଦାଙ୍କ ଭବିଷ୍ୟତ । ମାଲକାନଗିରି ରଙ୍ଗେଇ-ପୁସପାଲି ଗାଁର ଯୁବତୀଙ୍କ ଆଶା, ଆକାଂକ୍ଷା, ସ୍ୱପ୍ନକୁ ଅନ୍ଧାର କରିଦେଇଛି ଯନ୍ତ୍ରଣାର ଗ୍ରହଣ ।

ପଞ୍ଚମ ଶ୍ରେଣୀରେ ପାଠ ପଢିବା ବେଳେ ବୃନ୍ଦାଙ୍କ ଗୋଡ ହାତ ଫୁଲିଗଲା । ପରିବାର ଲୋକେ ବହୁ ଡାକ୍ତରଖାନା ନେଲେ ହେଲେ ଅର୍ଥାଭାବ ଯୋଗୁଁ ଚିକିତ୍ସା କରାଇପାରିଲେ ନାହିଁ । ତେବେ ୨୦୧୭ରେ ଜିଲ୍ଲା ପ୍ରଶାସନର ଉଦ୍ୟମରେ କଟକ ବଡ ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ଦୁଇ ଗୋଡ ହାତରେ ୪ଟି ଅସ୍ତ୍ରପୋଚାର ସହ ୧୬ ମାସ ଧରି ଚିକିତ୍ସା ଚାଲିଥିଲା । କରୋନା ଯୋଗୁଁ ଘରକୁ ଫେରି ଆସିବା ପରେ ଆଉ ଚିକିତ୍ସା ପାଇଁ ଯାଇପାରୁନାହାନ୍ତି ।

ବୃନ୍ଦା ରୋଗ ଶଯ୍ୟାରେ ପଡିଥିବା ବେଳେ ତାଙ୍କ ସାହାରା ପାଲଟିଛନ୍ତି ସାନ ଭଉଣୀ ରୁକୁଣା । ସେ ପୁଣି ଜନ୍ମରୁ ଭିନ୍ନକ୍ଷମ ଓ ମାନସିକ ଭାବେ ଦୁର୍ବଳ । ଦୁଇ ଭଉଣୀଙ୍କୁ ସରକାରୀ ଯୋଜନାରେ ଭତା ମିଳୁଛି । ୧୨ ଶହ ଟଙ୍କାର ଭତା ଓ ଟଙ୍କିକିଆ ଚାଉଳରେ ପୋଷି ହେଉଛନ୍ତି ଦୁଇ ଆଦିବାସୀ ଭଉଣୀ ବୃନ୍ଦା ଓ ରୁକୁଣା ।