କାର୍ପେଟ ତିଆରିରେ ଆଦିବାସୀ ଝିଅର କମାଲ । ପଲ୍ଲୀରୁ ଯାଇ ଦିଲ୍ଲୀରେ ହେଲେ ପୁରସ୍କୃତ

88

କନକ ବ୍ୟୁରୋ : କାର୍ପେଟ ତିଆରିରେ ଆଦିବାସୀ ଝିଅର କମାଲ । ପଲ୍ଲୀରୁ ଯାଇ ଦିଲ୍ଲୀରେ ପୁରସ୍କୃତ ହୋଇଛନ୍ତି ଗଜପତି ଜିଲ୍ଲା ଗୁବୁରିଗୁଡ଼ା ବଟସାହି ଗାଁର କୁମାରୀ ରଇତ । ଆନ୍ତର୍ଜାତିକ ହସ୍ତତନ୍ତ ଶିଳ୍ପ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୁମାରୀ ପୁରସ୍କାର ପାଇବା ସହ ୧ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇଛନ୍ତି । ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ପକ୍ଷରୁ ତିନିମାସିଆ ତାଲିମ ନେଇ ସେ ସରକାରୀ ପ୍ରୋତ୍ସାହନରେ କାର୍ପେଟ୍ ତିଆରି କେନ୍ଦ୍ର ଖୋଲିଥିଲେ । ତାଙ୍କ ହାତ ତିଆରି କାର୍ପେଟ୍ ଖୁବ୍ ସୁନ୍ଦର ହୋଇଥିବାରୁ ତାଙ୍କୁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀରେ ଆୟୋଜିତ ହସ୍ତତନ୍ତ ଶିଳ୍ପ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ମନୋନୀତ କରାଯାଇଥିଲା । ଏହି କାର୍ପେଟ କାମ ଯୋଗୁୁଁ ସେ ମାସିକ ୧୨ ହଜାର ଟଙ୍କା ପାଇଥିବା ବେଳେ ଆଗକୁ ଅନ୍ୟମାନଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଝିଅର ଏଭଳି ସଫଳତା ପାଇଁ ଖୁସିରେ କାନ୍ଦି ପକାଇଛନ୍ତି ତାଙ୍କ ମା’ ।

ମାତ୍ର ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି କୁମାରୀ । ତାଙ୍କ ବାପା ଗାଁରେ କୁଲି ମଜୁରି କଲେ ତାଙ୍କ ପରିବାର ଚଳେ । ଏବେ ଝିଅର ଏଭଳି ସଫଳତା ପାଇଁ ଖୁସି ପ୍ରକାଶ କରିଛନ୍ତି ତାଙ୍କ ପରିବାର ଓ ଗ୍ରାମବାସୀ । ଗତ ୯ତାରିଖରେ ଦିଲ୍ଲୀରେ ଆନ୍ତର୍ଜାତୀକ ହସ୍ତତନ୍ତ ଶିଳ୍ପ ପ୍ରଦର୍ଶନୀ କରାଯାଇଥିଲା । ଏଥିରେ ୫୬ଟି ଦେଶର ହସ୍ତତନ୍ତ ବୁଣାକାର ସାମିଲ ହୋଇଥିଲେ । ସେହି ପ୍ରଦର୍ଶନୀରେ ଓଡ଼ିଶା ପକ୍ଷରୁ କୁମାରୀ ପୁରସ୍କୃତ ହୋଇଛନ୍ତି ।

ଦିନେ ଚନ୍ଦ୍ରଗିରି ଅଂଚଳ କାର୍ପେଟ ତିଆରି ପାଇଁ ଖୁବ୍ ପରିଚିତ ଥିଲା । ତିବତୀୟ ମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା କାର୍ପେଟ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଯାଉଥିଲା । ସମୟକ୍ରମେ ଏହା ବିଲୁପ୍ତ ହେବାକୁ ବସିଥିବା ବେଳେ ଏବେ ଏହି କାମର ପୁନରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।