କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ଜନଜାତି ଭୋଟ୍ ବ୍ୟାଙ୍କକୁ ନିଜ ଅକ୍ତିଆରକୁ ଆଣିପାରିଥିଲା ଭାରତୀୟ ଜନତା ପାର୍ଟି । ସେହିଭଳି ଆଗକୁ ମଧ୍ୟ ଜନଜାତି ଭୋଟକୁ ନିଜ ସପକ୍ଷରେ ରଖିବା ପାଇଁ ଗୋଟିଚାଳନା ଆରମ୍ଭ କରିଛି ଦଳ। ନିର୍ବାଚନରେ ୩୩ଟି ଏସଟି ବିଧାୟକ ସିଟରୁ ୧୮ଟି ସିଟ ଜିତିଥିଲାବେଳେ ୫ଟି ସାଂସଦ ସିଟରୁ ୪ଟିରେ ଜିତିଥିଲା ବିଜେପି । କିନ୍ତୁ ଆଗକୁ ୩୩ ଏସଟି ବିଧାନସଭା ଓ ୫ ଲୋକସଭା ଆସନ ଜିତିବାକୁ କାର୍ଯ୍ୟ କରିବାକୁ ରଣନୀତି କରିଛନ୍ତି ମୁଖ୍ୟମନ୍ତ୍ରୀ।

  • ଶ୍ରୀକୃଷ୍ଣ ଭଳି ବିଶ୍ୱରୂପ ଦେଖାଅ : ଜୁଏଲ ଓରାମ
  • ବିଧାୟକ ସାଂସଦ ଜଗିବେ ନିର୍ବାଚନ ମଣ୍ଡଳୀ

ଜନଜାତି ସଂରକ୍ଷିତ ସିଟଗୁଡିକରେ ଜିତିଥିବା ବିଧାୟକ ଓ ସାଂସଦ ମାନେ ଗୋଟିଏ ଲେଖାଏଁ ନିର୍ବାଚନ ମଣ୍ଡଳୀ ଜଗିବେ । ଦଳକୁ ସଂଗଠିତ କରି ସବୁ ସିଟରେ କେମିତି ବିଜେପି ଜିତିବ ସେଥିପାଇଁ କାମ କରିବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସେହିଭଳି ସାଂସଦ ବିଧାୟକ ପଦ ପ୍ରତିଷ୍ଠା ବଢେଇବେ। କିନ୍ତୁ ସାଂସଦ ବିଧାୟକ ପାର୍ଟି ସଂଗଠନ ଓ ସମସ୍ତଙ୍କ କଥା ଶୁଣି କାମ କରିବାକୁ କହିଛନ୍ତି ଜୁଏଲ ।

ସୂଚନାଯୋଗ୍ୟ ଯେ, ରବିବାର ରାଜ୍ୟ ବିଜେପିର ଜନଜାତି ମୋର୍ଚ୍ଚା ପକ୍ଷରୁ ପାର୍ଟିର ନବ ନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ମନ୍ତ୍ରୀମଣ୍ଡଳର ତିନି ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ।