ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ବୋଲରଙ୍କ ଚେତାବନୀ । ପାକିସ୍ତାନର ସାହିନ ଆଫ୍ରିଦି ଯାହା କରିଥିଲେ ମୁଁ ମଧ୍ୟ ସେୟା କରିବି । 

580

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ରବିବାର ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଭାରତ । ଏହି ମ୍ୟାଚ୍ ଜିତି ସେମିଫାଇନାଲ ରେସରେ ରହିବାକୁ ଚାହିିଁବେ  ଉଭୟ ଦଳ । କାରଣ ଉଭୟ ଦଳ ପାକିସ୍ତାନ ଠାରୁ ନିଜର ପ୍ରଥମ ମ୍ୟାଚ୍ ହାରି ସାରିଛନ୍ତି । ତେବେ ଏହି ହାଇଭୋଲଟେଜ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଚେତାବନୀ ଦେଇଛନ୍ତି ନ୍ୟୁଜିଲାଣ୍ଡର ବୋଲର । ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଭାରତୀୟ ଖେଳାଳୀଙ୍କୁ ଚେତାବନୀ ଦେବା ସହ କହିଛନ୍ତି, ପାକିସ୍ତାନର ସାହିନ ଆଫ୍ରିଦି ଯେଉଁଭଳି ବୋଲିଂ କରି ଟିମ୍ ଇଣ୍ଡିଆକୁ ଫଶାଇଥିଲେ ଠିକ୍ ସେହିଭଳି ବୋଲିଂ କରି ଭାରତର ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ କରିବି ବୋଲି ଆଶାବାଦୀ ଅଛନ୍ତି ବୋଲ୍ଟ ।

ଟ୍ରେଣ୍ଟ ବୋଲ୍ଟ କହିଛନ୍ତି, ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନର ସାହିନ ଆଫ୍ରିଦି ଯେଉଁଭଳି ବୋଲିଂ କରିଥିଲେ ତାହା ବାସ୍ତବରେ ବେଶ ପ୍ରଂଶସାଯୋଗ୍ୟ ଥିଲା । ଜଣେ ବାମହାତୀ ଦ୍ରୁତ ବୋଲର ଭାବେ ଏହା ବେଶ ଭଲ ଅନୁଭୂତି ଥିଲା । ଯଦି ସେହିଭଳି ସ୍ୱିଙ୍ଗ୍ ମିଳେ ତେବେ ଭାରତ ବିପକ୍ଷରେ ସେହିଭଳି ପ୍ରଦର୍ଶନ କରିବି । କାରଣ ଟିମ୍ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟସମ୍ୟାନ ବେଶ ଶକ୍ତିଶାଳୀ, ଭାରତ ପାଖରେ ଲମ୍ବା ବ୍ୟାଟିଂ ଅର୍ଡର ରହିଛି । ତେଣୁ ପ୍ରଥମରୁ ହିଁ ଟପ୍ ଅର୍ଡର ବ୍ୟାଟସମ୍ୟାନଙ୍କୁ ଆଉଟ କରିବା ଆମର ପ୍ରାଥମିକତା ରହିବ ।

ଏହାଛଡା ବୋଲ୍ଟ କହିଛନ୍ତି, ଟି-୨୦ ବିଶ୍ୱକପରେ ଆମର ଆରମ୍ଭ ଏତେଟା ଭଲ ହୋଇନାହିଁ । ତେଣୁ ଭାରତ ବିପକ୍ଷରେ ମ୍ୟାଚ୍ ଜିତିବା ପାଇଁ ଆମ୍ ଟିମ୍ ମୈଦାନକୁ ଓହ୍ଲାଇବ । ଏହା ସବୁଠୁ ବଡ ଚ୍ୟାଲେଞ୍ଜ ହେବ, ଏହି ମ୍ୟାଚକୁ ଅପେକ୍ଷା କରିବାକୁ ପଡିବ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ବିଶ୍ୱକପର ରେକର୍ଡ ଭାରତ ସପକ୍ଷରେ ଏତେଟା ଭଲ ନାହିଁ । କିଛି ଦିନ ପୂର୍ବେ ଟେଷ୍ଟ ଚାମ୍ପିୟନସିପରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ପରାଜିତ ହୋଇଥିବା ବେଳେ ବିଶ୍ୱକପ ସେମିଫାଇନାଲରେ ଭାରତକୁ ମାତ୍ ଦେଇଥିଲା ନ୍ୟୁଜିଲାଣ୍ଡ । ଏହାବାଦ୍ ଟି-୨୦ ବିଶ୍ୱକପରେ ଏଯାବତ ଭାରତ ବିପକ୍ଷରେ ମ୍ୟାଚ୍ ହାରି ନାହିଁ ନ୍ୟୁଜିଲାଣ୍ଡ । ତେଣୁ ରେକର୍ଡକୁ ଭୁଲି ଭାରତକୁ ଆଗକୁ ବଢିବାକୁ ପଡିବ ଓ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବିଜୟୀ ହୋଇ ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ରେସରେ ରହିବାକୁ ଚାହିଁବ ବିରାଟ ବାହିନୀ ।