ପ୍ରକୃତି ପ୍ରେମରେ ପିପିଲି ଟ୍ରି ମ୍ୟାନ୍ । ନିଜ ଖର୍ଚ୍ଚରେ ଲଗାଇଲେଣି ହଜାରେରୁ ଅଧିକ ଗଛ । ଯୁବଗୋଷ୍ଠୀଙ୍କୁ ଦେଉଛନ୍ତି ଫିଟନେସ୍ ବାର୍ତ୍ତା ।

97

କନକ ବ୍ୟୁରୋ: ପୁରୀ ଜିଲ୍ଲା ପିପିଲି ବୋଲକଣା ଗାଁର ବିଶ୍ୱଜିତ୍ ପରିଡା ।ସକାଳ ହେଲେ ସାଇକେଲ, ଫାଉଡା ଆଉ ଗଛ ଚାରା ନେଇ ବାହାରିଯାନ୍ତି ବିଶ୍ୱିଜତ୍ । ଯେଉଁଠି ଖାଲି ଜାଗା ଦେଖନ୍ତି ଚାରା ଲଗାନ୍ତି । ପ୍ରଥମେ ପ୍ରଥମେ ଲୋକେ ତାଙ୍କୁ ଥଟ୍ଟାଟାପରା କରୁଥିଲେ ବି ଏବେ କିନ୍ତୁ ତାଙ୍କ କାମକୁ ବାହାବା କରୁଛନ୍ତି । ପ୍ରକୃତି ମାନିଆଁ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ନିଜ ସହ ଆଉ ଅନ୍ୟକୁ ଏକ ସୁସ୍ଥ ଜୀବନ ଭେଟି ଦେବାକୁ ତାଙ୍କର ଝୁଙ୍କ ତାଙ୍କୁ ଦେଇଛି ପିପିଲିର ‘ଟ୍ରି ମ୍ୟାନ’ ମାନ୍ୟତା ।

ପ୍ରକୃତି ବଂଚିଲେ ଆମେ ବଚିଂବା । ପ୍ରକୃତି ବିନା ମଣିଷର ସ୍ଥିତି ଅସମ୍ଭବ । ଆଜିକା ଅର୍ଥ ସର୍ବସ୍ୱ , ବ୍ୟସ୍ତ ସମାଜରେ ପ୍ରକୃତିକୁ ଦେଖିବା, ବୁଝିବାକୁ କାହାରି ପାଖରେ ସମୟ ନାହିଁ ।କିଛି ବ୍ୟକ୍ତି ଏହାର ମର୍ମ ବୁଝିପାରିଲେ ବି ପ୍ରକୃତି ପାଇଁ କିଛି କରିବାକୁ ଏମାନଙ୍କର ତର ନଥାଏ । କହିବାକୁ ଗଲେ ହାତ ଗଣତି ଲୋକ ପ୍ରକୃତି ପାଇଁ ବ୍ୟସ୍ତ ।ଏଇ କେତେଜଣଙ୍କ ଭିତରେ ଜଣେ ବୋଲକଣା ଗାଁର ବିଶ୍ୱଜିତ୍ ପରିଡା ।

ଯେଉଁ ପ୍ରକୃତି ଜୀବନ ଦେଇଛି ତା ପାଇଁ କିଛି କରିବାର ମନୋଭାବ ହିଁ ତାଙ୍କୁ ବାଟ କଢେଇ ନେଇଛି । ପ୍ରଥମେ ନିଜ ବଗିଚାରେ ଗଛ ଲଗାଇବା ଆରମ୍ଭ କରିଥିଲେ । ହେଲେ ତା ପରେ ଯୁଆଡେ ତାଙ୍କ ଆଖିରେ ଖାଲି ଜାଗା ପଡିଲା ସେଠି ଚାରା ରୋପଣ କଲେ । ବିନା କାହାରି ସାହାଯ୍ୟରେ ନିଜ ଖର୍ଚ୍ଚରେ ହଜାରେରୁ ଅଧିକ ଗଛ ଲଗାଇ ସାରିଲେଣି ବିଶ୍ୱଜିତ୍ । ଏଥିପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ମାନପତ୍ର । ହେଲେ ଏସବୁରେ ସନ୍ତୁଷ୍ଟ ହୋଇନଯାଇ ଜୀବନ ଥିବାଯାଏଁ ଏମିତି ଗଛ ଲଗାଇଚାଲିଥିବେ ବୋଲି କହିଛନ୍ତି ବିଶ୍ୱଜିତ୍ । ଜାନବାହାନରୁ ନିର୍ଗତ ଧୂଆଁ ଯୋଗୁଁ ବିଶ୍ୱତାପମାନ ବୃଦ୍ଧ ହେଉଥିବାରୁ ଗଛ ଲଗାଇବା ସହ ଗାଡି ବଦଳରେ ସାଇକେଲ ଚଳାଇବାକୁ ଯୁବ ଗୋଷ୍ଠୀଙ୍କୁ ଦେଉଛନ୍ତି ପ୍ରୋତ୍ସାହନ ।

ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ବିଶ୍ୱଜିତ୍ ଏବେ ନିଜକୁ ପ୍ରକୃତି ମିଶନରେ ନିଜକୁ ହଜାଇଦେଇଛନ୍ତି । ଲୋକ ଆଦୃତି ମିଳିବା ପରେ ସେଭ୍ ଟ୍ରି ଆର୍ଥ ଫାଉଣ୍ଡେସନ୍ ନାମରେ ଲୋକଙ୍କୁ ପ୍ରକୃତି ବାର୍ତ୍ତା ଦେଇ ଗଛ ଲଗାଇବା ଉପରେ ବୁଝାଉଛନ୍ତି । ତାଙ୍କର ଏହି ପ୍ରଚେଷ୍ଟାରେ ଅନୁପ୍ରାଣିତ ହୋଇ ଗାଁର କିଛି ଯୁବକ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।ଚାରା ରୋପଣ ନାଁରେ କୋଟି କୋଟି ଟଙ୍କା ଘୋଟାଲା ହେଉଛି । ଏପରି ସ୍ଥଳେ ବିଶ୍ୱଜିତ୍ ଓ ତାଙ୍କ ଭଳି କିଛି ପ୍ରକୃତି ପ୍ରେମୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଗ୍ରିନ୍ ରେଭୋଲ୍ୟୁସନ୍କୁ ସଫଳ କରିବା ଉପରେ ସରକାର ବିଚାର କରିବା ଉଚିତ ମନେହୁଏ ।