ପେଶାରେ ଶିକ୍ଷକ, ନିଶା ତାଙ୍କର ଜଙ୍ଗଲ ସୃଷ୍ଟି କରିବା । ପରିବେଶ ପ୍ରେମରେ ଦୁର୍ଗମ ଇଲାକାର ରାଜେନ୍ଦ୍ର ସାର୍ ।

57

କନକ ବ୍ୟୁରୋ: ଏ ଦୃଶ୍ୟକୁ ଦେଖୁଛନ୍ତି ତ ? ସବୁଜ ପାହାଡ, ନୀଳ ଆକାଶ ଆଉ ପାହାଡର ପାଦଦେଶରେ ପାଠଶାଳା । ଆଗରେ ଡେଙ୍ଗା ଡେଙ୍ଗା ଗଛ, ଘାସର ମଖମଲ ଗାଲିଚା । ଲାଗୁଛି ଯେମିତି ଏହା ସ୍କୁଲ ନୁହେଁ ବରଂ କେଉଁ ସହରର ସବୁଜ ପାର୍କ । ହଁ, ଆଜ୍ଞା ପାର୍କ ଭଳି ଦିଶୁଛି ସତ କିନ୍ତୁ ଏହା ହେଉଛି ଦୁର୍ଗମ ଅଞ୍ଚଳର ସବୁଠୁ ଆକର୍ଷଣୀୟ ସ୍କୁଲ । ଯାହାକୁ ନିଜ ହାତରେ ତିଆରି କରିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ । ଏଠି ଘାସଠୁ ଗଛ, ମାଟିଠୁ ପାଣି ସବୁଥିରେ ଲାଗିଛି ଶିକ୍ଷକମାନଙ୍କର ପରିଶ୍ରମ ।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ସରକାରୀ ସ୍କୁଲର ପରିବେଶ ଏବେ ସମସ୍ତଙ୍କୁ ମନମୁଗ୍ଧ କରୁଥିବା ବେଳେ ସ୍କୁଲର ପ୍ରଧାନଶିକ୍ଷକ ଘରଦ୍ୱାର ଭୁଲି ଉକ୍ତ ଅଞ୍ଚଳକୁ ସୌନ୍ଦର୍ଯ୍ୟକରଣ କରିବାରେ ନିଜକୁ ବ୍ୟସ୍ତ ରଖିଛନ୍ତି । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୨୦ ବର୍ଷ ହେବ ପ୍ରକୃତି, ପରିବେଶ ପ୍ରତି ନିଜକୁ ସମର୍ପି ଦେଇଛନ୍ତି । ଏମିତି କି ପରିବେଶ ପ୍ରେମରେ ପଡି ନିଜ ଘର ଗଞ୍ଜାମକୁ ବି ସେ ଛୁଟି ଦିନ ମାନଙ୍କରେ ନଆସି । ସେହି ସ୍କୁଲର ରକ୍ଷଣାବେକ୍ଷଣ କାମରେ ଲାଗିଥାନ୍ତି ।

ଖାଲି ସ୍କୁଲକୁ ସୁନ୍ଦର କରିବା ନୁହେଁ ବରଂ ଜଙ୍ଗଲ ସୃଷ୍ଟି କରିବାରେ ବି ସେ ସିଦ୍ଧହସ୍ତ । ପେଶା ଶିକ୍ଷକ ହେଲେ ନିଶା ତାଙ୍କର ଜଙ୍ଗଲ ସୃଷ୍ଟି କରିବା । ପ୍ରତିବର୍ଷ ଭିନ୍ନ ଭିନ୍ନ କିସମର ୨ ହଜାରରୁ ୪ ହଜାର ଚାରା ନିଜେ ପ୍ରସ୍ତୁତ କରନ୍ତି । ଆଉ ସେସବୁକୁ ବିଭିନ୍ନ ସ୍ଥାନରେ ଲଗାନ୍ତି । ଖାଲି ସ୍ଥାନ ହେଉ କି ଖାଲି ପଡିଆ ବୃକ୍ଷରୋପଣରେ ନିଜକୁ ବ୍ରତି ରଖିଥିବା ରାଜେନ୍ଦ୍ର ସାର ଜଙ୍ଗଲ ସୁରକ୍ଷାର ସଙ୍କଳ୍ପ ନେଇଛନ୍ତି ।

ବର୍ଷା ଦିନ ଆସିଲେ ରାଜେନ୍ଦ୍ର ସାର ଆରମ୍ଭ କରନ୍ତି ବୃକ୍ଷରୋପଣ ଅଭିଯାନ । ଯେଉଁଥିରେ ତାଙ୍କୁ ସହଯୋଗ କରନ୍ତି ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକ । ସ୍ଥାନୀୟ ଲୋକଙ୍କୁ ମାଗଣାରେ ବୃକ୍ଷଦାନ କରି ପରିବେଶ ପ୍ରତି ସଚେତନ କରାନ୍ତି । ତେବେ ରାଜେନ୍ଦ୍ର ସାରଙ୍କ ଏହି ନିଆରା ଉଦ୍ୟମ ଓ ପ୍ରକୃତି ପ୍ରେମ ପାଇଁ ତାଙ୍କୁ ୨୦୦୯ରେ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକୃତି ମିତ୍ର ପୁରସ୍କାର ମିଳିଥିବା ବେଳେ ୨୦୧୧ରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ମିଳିଛି ପ୍ରକୃତି ବନ୍ଧୁ ପୁରସ୍କାର । ତେବେ ରାଜେନ୍ଦ୍ର ସାରଙ୍କ ଏ ପ୍ରୟାସ ସମ୍ବାଦ ଡିଜିଟାଲର ପୁନଶ୍ଚ ପୃଥିବୀ ଅଭିଯାନକୁ ସଫଳ କରିବାରେ ସହାୟ ହେବ ନିଶ୍ଚୟ । ତେଣୁ ଆସନ୍ତୁ ଜୀବନ ପାଇଁ ଲଗାଇବା ଗଛ, ପରିବେଶର ନେବା ଯତ୍ନ ।