୫ ହଜାର ଗଛ ଲଗାଇଛନ୍ତି ବୃକ୍ଷବନ୍ଧୁ ଗୋପାଳକୃଷ୍ଣ। ଦଶ ବର୍ଷ ଧରି ପରିବେଶ ସୁରକ୍ଷାର ବାଣ୍ଟୁଛନ୍ତି ବାର୍ତ୍ତା।

55

କନକ ବ୍ୟୁରୋ: ପୃଥିବୀପୃଷ୍ଠରେ ଦିନକୁ ଦିନ ବିଭିନ୍ନ ପରିବର୍ତ୍ତନ ଦେଖାଦେଉଛି । ଜଳବାୟୁରେ ପରିବର୍ତ୍ତନ ଯୋଗୁ ଅନେକ ସମସ୍ୟାର ସାମ୍ନାକରୁଛି ମାନବ ସମାଜ । କେତେବେଳେ ତାପମାତ୍ରା ବୃଦ୍ଧି, ଆଉ କେତେବେଳେ ଅତ୍ୟଧିକ ବୃଷ୍ଟିପାତ ତ କେତେବେଳେ କମ ବୃଷ୍ଟିପାତ, ଜଙ୍ଗଲ ନଷ୍ଟ ପ୍ରକୃତିର ସନ୍ତୁଳନକୁ ବିଗାଡିବାରେ ଲାଗିଛି । ସେହିଭଳି ଗଛ ସଂଖ୍ୟା ହ୍ରାସ ବିଶେଷ କରି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆମ ରାଜ୍ୟର ଅନେକ ସ୍ଥାନରେ ମଧ୍ୟ ଏଭଳି ସ୍ଥିତି ପୂର୍ବରୁ ଦେଖାଦେଇଛି । ଜଙ୍ଗଲ ନଷ୍ଟ ହେବା ପରେ ତାପମାତ୍ରା ବୃଦ୍ଧି ହୋଇଚାଲିଛି । ଗଛ ସଂଖ୍ୟା ହ୍ରାସ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ତେବେ ଏହି ଗଛକୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି ଗୋପାଳକୃଷ୍ଣ । ବାଲେଶ୍ୱର ଜିଲ୍ଲା ବସ୍ତାବ୍ଲକ କୁଳିଦା ଗାଁର ଗୋପାଳକୃଷ୍ଣ ବେହେରା । ପେଶାରେ ଜଣେ ଗ୍ରାମରକ୍ଷୀ, ହେଲେ ନିଶା ତାଙ୍କର ଗଛ ଲଗାଇବା । ଗଛକୁ ଯତ୍ନ ନେବାରେ ତାଙ୍କର ଅନେକ ସମୟ ଅତିବାହିତ ହେଉଛି । ଟିକିଏ ଫୁରସତ ମିଳିବା ମାତ୍ରେ ସେ କୋଡି ,କୋଦାଳ ଧରି ନଇପଠାରେ ପହଞ୍ଚିଯାଇଥାନ୍ତି । ସେଠାରେ ଗଛ ନଥିବା ସ୍ଥାନରେ ଗଛ ଲଗାଇଥାନ୍ତି । ଏହା ସହ ରାସ୍ତା ପାଶ୍ୱର୍, ବାଡି ବଗିଚାରେ ବିଭିନ୍ନ ପ୍ରକାର ଗଛ, ଔଷଧୀୟ ବୃକ୍ଷ ଲଗାଇଚାଲିଛନ୍ତି । ଏବେ ସୁଦ୍ଧା ସେ ୫ ହଜାରରୁ ଅଧିକ ଗଛ ଲଗାଇସାରିଛନ୍ତି ।

ଆମ୍ବ, ପଣସ, ବଟ, ଅଶ୍ୱଥ, ବଉଳ, ତାଳ ଭଳି ଗଛ ଲଗାଇଛନ୍ତି ଗୋପାଳକୃଷ୍ଣ । ସ୍ଥାନୀୟ ଅଞ୍ଚଳରେ ସେ ବୃକ୍ଷବନ୍ଧୁ ଭାବେ ପରିଚିତ ହୋଇଛନ୍ତି । ବର୍ତ୍ତମାନ ଯେଉଁଭଳି କଂକ୍ରିଟ ଜଙ୍ଗଲ ସୃଷ୍ଟି ହୋଇଚାଲିଛି ସେହି ସମୟରେ ତାଙ୍କର ଏ ଉଦ୍ୟମକୁ ଅନେକ ପ୍ରଶଂସା କରିଛନ୍ତି । ଗଛ ନଥିବା କାରଣରୁ ଅମ୍ଳଜାନ ମିଳିପାରୁନାହିଁ, କିନ୍ତୁ ଗୋପାଳକୃଷ୍ଣ ଲଗାଇଥିବା ଗଛ ବର୍ତ୍ତମାନ ଏହାକୁ ସୃଷ୍ଟି କରିବାରେ ବେସ ସହାୟକ ହୋଇପାରୁଛି । ଗତ ୧୦ବର୍ଷ ଧରି ସେ ଏହିଭଳି ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହାକୁ ଆଗେଇନେବେ ବୋଲି କହିଛନ୍ତି । ଗ୍ରାମବାସୀ ମଧ୍ୟ ତାଙ୍କର ଏହି ପ୍ରୟାସକୁ ସମର୍ଥନ କରିଛନ୍ତି ।

ଗଛ ସଂଖ୍ୟା ହ୍ରାସ ପୃଥିବୀରେ ପରିବର୍ତ୍ତନ ଆଣୁଥିବା ବେଳେ ଗୋପାଳକୃଷ୍ଣ ଏହି ଉଦ୍ୟମ ଅନେକ ଜଣଙ୍କ ପାଇଁ ଉଦାହରଣ । ତେବେ ଆପଣ ମଧ୍ୟ ଗୋପାଳକୃଷ୍ଣଙ୍କ ଭଳି ଗଛ ଲଗାନ୍ତୁ । ଏହା କରିବା ଦ୍ୱାରା ଆମେ ଆମ ପୁରୁଣା ପୃଥିବୀକୁ ଫେରାଇ ଆଣିପାରିବା । ତେବେ ଆସନ୍ତୁ ପୁନଶ୍ଚ ପୃଥିବୀ ଗଢିବାର ସଙ୍କଳ୍ପ ନେବା ।