ଶିଳ୍ପାୟନ ନାଁରେ ବେଧଡକ ଚାଲିଛି ଗଛ କଟା । ମାଟିରେ ପଡିଛି ଶାଳ, ଶାଗୁଆନ ପରି ମୂଲ୍ୟବାନ ଗଛ, ଜଙ୍ଗଲରୁ ଗଛ କାଟି ପଦା କରିଦେଉଛି ଠିକା କମ୍ପାନୀ ।

164

କନକ ବ୍ୟୁରୋ : ଶିଳ୍ପାୟନ ପାଇଁ ବଳି ପଡିଛି ଶହ ଶହ ଗଛ । ବହୁ ମୂଲ୍ୟବାନ ଗଛ କାଟି ଜଙ୍ଗଲ ସଫା କରି ଦିଆଯାଇଛି । ରେଳଲାଇନ୍ କାମ ପାଇଁ ସୁନ୍ଦରଗଡ ହେମଗିରି ଫରେଷ୍ଟ ରେଂଜର କଳାମେଘା ଅଂଚଳରେ ଗଛ କାଟି, ମାଟି ଓ ମୋରମ ଉଠାଇନେଉଛି ଠିକାସଂସ୍ଥା । ବଡ କଥା ହେଉଛି, ଗଛ କାଟିବା ପାଇଁ ଠିକା ସଂସ୍ଥାକୁ ରାଜ୍ୟ ରାଜସ୍ୱ ବିଭାଗ ଓ ବନ ବିଭାଗ ପକ୍ଷରୁ ଅନୁମତି ଦିଆଯାଇନି ।

ମାଟିରେ ଶୋଇ ରହିଛି ଶହ ଶହ ଗଛ । ଶାଳ, ପିଆଶାଳ, ଶାଗୁଆନ ଭଳି ମୂଲ୍ୟବାନ ଗଛ ବି ବଳି ପଡିଛି । ମାତ୍ର କିଛି ଘଂଟା ମଧ୍ୟରେ ଖାଲି ହୋଇଯାଇଛି ଶହ ଶହ ବର୍ଷର ବିଶାଳକାୟ ଗଛ । ଦଶନ୍ଧି ଦଶନ୍ଧି ଧରି ଥିବା ଜଙ୍ଗଲ, ପଦା ପଡିଗଲାଣି ।

ଶିଳ୍ପାୟନ ନାଁରେ ଗଛ ବଳି । ସଫା ହୋଇଗଲା ୫ ଏକର ଜଙ୍ଗଲ । ସୁନ୍ଦରଗଡ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର କଳାମେଘା ଅଚଂଳ । କିଛି ଦିନ ପୂର୍ବରୁ ଏହି ଅଂଚଳ ସବୁଜ ଜଙ୍ଗଲରେ ଭରପୁର ଥିଲା । ହେଲେ ଏବେ ମାଟିରେ ମିଶିଯାଇଛି ଶହ ଶହ ଛୋଟ ବଡ ଗଛ । ପାଖାପାଖି ୫ ଏକର ଜଙ୍ଗଲକୁ ସମ୍ପୂର୍ଣ୍ଣ ଭାବେ କାଟି ସଫା କରିଦିଆଯାଇଛି । ବେଧଡକ ଭାବେ ଆହୁରି ଗଛ କଟା ଚାଲିଛି । ସ୍ଥାନୀୟ ଅଂଚଳରୁ ଗଛ କାଟି ମୋରମ ଓ ମାଟି ଉଠାଯାଉଛି । ସବୁଠାରୁ ବଡ କଥା ହେଲା, ଗଛ କାଟିବା ପାଇଁ ଘରୋଇ ଠିକା କମ୍ପାନୀକୁ ରାଜସ୍ୱ ବିଭାଗ ଓ ବନ ବିଭାଗ ପକ୍ଷରୁ କୌଣସି ଅନୁମତି ମିଳିନାହିଁ ।

ଏନଟିପିସିର ଡୁଲିଙ୍ଗା କୋଇଲା ଖଣି ପ୍ରକଳ୍ପ ଠାରୁ ଦର୍ଲିପାଲିରେ ଥିବା ଏନଟିପିସି ସୁପର ଥର୍ମାଲ ପାୱାର ପ୍ଲାଂଟ୍ ଯାଏ, କୋଇଲା ପରିବହନ ପାଇଁ ରେଳଲାଇନ୍ ବିଛା ଚାଲିଛି । ଏହି କାମ ନେଇଛି ଠିକା ସଂସ୍ଥା ଆରକେଡି । ରେଳଲାଇନ୍ କାମ ପାଇଁ ଠିକା ସଂସ୍ଥା କଳାମେଘା ଅଂଚଳ ଜଙ୍ଗଲରୁ ଦୀର୍ଘଦିନ ହେଲା ଗଛ କାଟିବା ସହ ମାଟି ଓ ମୋରମ ଉଠାଇ ଚାଲିଛନ୍ତି । ବାରମ୍ବାର ଅଭିଯୋଗ ହେଉଛି, ହେଲେ ରୋକିବାକୁ ଯେମିତି କେହି ନାହାନ୍ତି । ଅନ୍ୟପଟେ ଶହ ଶହ ଗଛକାଟିବା ଅଭିଯୋଗକୁ ଠିକା ସଂସ୍ଥା ରୋକଠୋକ୍ ମନା କରୁଥିବା ବେଳେ ଘଟଣା ନେଇ ଡିଏଫଓ ଓ ତହସିଲଦାରଙ୍କୁ ରିପୋର୍ଟ ମାଗିଛନ୍ତି ଉପଜିଲ୍ଲାପାଳ ।

ସବୁଠାରୁ ବଡ କଥା ହେଉଛି ସ୍ଥାନୀୟ ଅଂଚଳରେ ପୂର୍ବରୁ ମଧ୍ୟ ଏଲ ଆଣ୍ଡ ଟି କମ୍ପାନୀ ବିରୋଧରେ ଗଛ କାଟିବା ଏବଂ ମାଟି ଓ ମୋରମ ଉଠାଣ ନେଇ ଅଭିଯୋଗ ଆସିଥିଲା । ଏବେ ସମାନ ଅଭିଯୋଗ ଆସିଛି ଠିକା ସଂସ୍ଥା ଆରକେଡି ବିରୋଧରେ । ତେବେ ଏଠି ପ୍ରଶ୍ନ ଉଠୁଛି, ଅନୁମତି ନଥାଇ ବି କେମିତି ଗଛ କାଟୁଛି ଠିକାସଂସ୍ଥା ? ବନ ବିଭାଗ ଓ ରାଜସ୍ୱ ବିଭାଗ କରୁଛି କଣ ? ଶହ ଶହ ଗଛ ବଳି ପାଇଁ ଦାୟୀ କିଏ ରହିବ ?