ଅଣସର ଘରେ ଜରରେ ଶ୍ରୀଜିଉ । ଉପଚାର ଲାଗି : ‘ଫୁଲୁରି ତେଲ’ ଓ ‘ଦଶମୂଳ ମୋଦକ’ ହେବ ଲାଗି

ଜଗା ଦେହରେ ଲାଗିବ ଫୁଲୁରୀ ତେଲ

225

କନକ ବ୍ୟୁରୋ : ମାନବୀୟ ଲୀଳାରେ ଅଣସର ଠାକୁରମାନଙ୍କୁ ଯେପରି ଜର ହୁଏ, ସେହିପରି ଜରର ଉପଚାର ମଧ୍ୟ କରାଯାଏ । ଏଥିପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । “ଫୁଲୁରି ତେଲ’ର ପ୍ରସ୍ତୁତି ବିଧି ସ୍ୱତନ୍ତ୍ର । ଏହା ଏକ ପ୍ରକାରର ସୁବାସିତ ତେଲ । ଏହା ଘଣାପେଡ଼ା ରାଶି ତେଲରୁ ପ୍ରସ୍ତୁତ ହୋଇଥାଏ । ବେଣା ଚେର ଓ କୃଷ୍ଣଭୋଗ ଧାନ ସହିତ ମାଳତୀ, କିଆ, କେତକୀ ଓ ବଉଳ ଫୁଲ ପଡ଼ି ପ୍ରାକୃତିକ ପଦ୍ଧତିରେ ଏହାକୁ ପ୍ରସ୍ତୁତ କରାଯାଏ । ଏଥିପାଇଁ ପାଞ୍ଚସେର ରାଶି ତେଲ ଲାଗିଥାଏ । ତେଲ ଓ ଫୁଲ ଏହାର ମୁଖ୍ୟ ଉପାଦାନ ହୋଇଥିବାରୁ ଏହାକୁ “ଫୁଲୁରି ତେଲ’ କୁହାଯାଏ । ନବକଳେବର ବର୍ଷରେ ଏହି ତେଲର ପରିମାଣ ଦୁଇଗୁଣ ହୋଇଥାଏ ।

ମୁହଁ ବନ୍ଦ ମାଟିପାତ୍ରରେ ଏସବୁକୁ ରଖି ମାଟି ତଳେ ପୋତି ଦିଆଯାଏ । ପୂରା ବର୍ଷଟିଏ ମାଟି ଭିତରେ ରହିବା ପରେ ତାହାକୁ ବାହାର କରି, ଛାଣି “ଫୁଲୁରିଲାଗି’ ନୀତି ପାଇଁ ଶ୍ରୀମନ୍ଦିରକୁ ପଠାଯାଏ । ଆଷାଢ଼ କୃଷ୍ଣ ପଞ୍ଚମୀ ବା “ଅଣସର ପଞ୍ଚମୀ’ ଦିନ ଏହି ନୀତି ହୁଏ । ଓଡ଼ିଆ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ଓଡ଼ିଆ ମଠ ଏହା ଯୋଗାଇ ଥାଆନ୍ତି । ଏହି ତେଲକୁ ଶ୍ରୀଅଙ୍ଗରେ ମାଲିସ୍ କଲେ, ଜ୍ୱରଜନିତ ଦେହ ଦରଜର ଉପଶମ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଅଣସର ପଞ୍ଚମୀର ଏହି ଫୁଲୁରିଲାଗି ପରେ, ଏକାଦଶୀ ଦିନ ‘ଦଶମୂଳ ମୋଦକ’ ଲାଗି ହୁଏ । ଏହି ମୋଦକ ଖାଇବା ପରେ ଠାକୁରମାନେ ସୁସ୍ଥ ହୁଅନ୍ତି ବୋଲି ବିଶ୍ୱାସ ଅଛି । ଏଥିପାଇଁ ଶ୍ରୀମନ୍ଦିରରେ “ବୈଦ୍ୟ ସେବା’ର ବ୍ୟବସ୍ଥା ରହିଛି । ଏହା ଅନୁସାରେ, ବୈଦ୍ୟ ସେବକ ବର୍ଷକେ ଥରେ, ଅଣସର (ବା ନବକଳେବରର ମହାଅଣସର) ବେଳେ, ନିଜ ଘରେ ଏହି ମୋଦକ ପ୍ରସ୍ତୁତ କରି ଯୋଗାଇଥାଆନ୍ତି । ଦଶମୀ ଦିନ ଶୁଦ୍ଧପୂତ ଭାବରେ ଏହାକୁ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ଦିଅନ୍ତି ଏବଂ ଏକାଦଶୀ ଦିନ, ଅଣସର ଘରେ ଏହା ଠାକୁରମାନଙ୍କୁ ଲାଗି କରାଯାଏ ।

ଏହି ଦଶମୂଳ ମୋଦକ ସଂପୂର୍ଣ୍ଣ ଭାବରେ ଆୟୁର୍ବେଦୀୟ ପଦ୍ଧତିରେ ପ୍ରସ୍ତୁତ ହୋଇଥାଏ । ଏଥିପାଇଁ ଦଶଟି ବୃକ୍ଷର ଚେର, ମୂଳ ଓ ପତ୍ର ଆଦି ଆବଶ୍ୟକ ହୁଏ । ସେହି ଦଶଟିଦ୍ରବ୍ୟ ହେଉଛି- ବେଲ, ଗମ୍ଭାରୀ, ଅଙ୍କରାନ୍ତି, ଜଟାମାଂସୀ, ଫଣଫଣା, ଆଗବଥୁ, ଗୋଖରା, କୃଷ୍ଣପର୍ଣ୍ଣି (ପ୍ଲଶୀପର୍ଣ୍ଣି), ଶାଳପର୍ଣ୍ଣି ଓ ଲବିଂକୋଳି ।

ବୈଦ୍ୟ ସେବକଙ୍କ ଘରେ ‘ଦଶମୂଳ ମୋଦକ’ ପ୍ରସ୍ତୁତି

ଦ୍ରବ୍ୟଗୁଣ ଅନୁସାରେ “ବେଲ’ ଜ୍ୱର, କାଶ ଓ ସର୍ଦ୍ଦିରୋଗର ଉପଶମ ସହିତ ଅରୁଚି ଦୂର କରେ । ଏହା ବ୍ୟତୀତ ପାକସ୍ଥଳୀର ରୋଗ ନିବାରଣ ଓ ଜୀର୍ଣ୍ଣଶକ୍ତି ବୃଦ୍ଧିର କ୍ଷମତା ମଧ୍ୟ ସେଥିରେ ରହିଛି । “ଗମ୍ଭାରୀ’ ଆମଶୂଳ ଦୂରକାରୀ । ଶୋଷକ୍ଷୟ ଓ ଜ୍ୱରର ନିଦାନ ଗୁଣ ମଧ୍ୟ ଏଥିରେ ଅଛି । “ଅଙ୍କରାନ୍ତି’ କାଶ, ଚକ୍ଷୁରୋଗ ଓ ଶ୍ୱାସରୋଗ ନିବାରକ । “ଜଟାମାଂସୀ’ କାଶ, ଶ୍ୱାସକଷ୍ଟ ଓ ଉନ୍ମାଦ ଅପନୋଦନ କରିଥାଏ । “ଫଣଫଣା’ ଅତିସାର ଓ ସନ୍ନିପାତ ଜ୍ୱର ନିବାରଣ ସହିତ କଫରୋଗର ନିରାକରଣ କରେ । “ଆଗବଥୁ’ ଥଣ୍ଡାଜ୍ୱର, ଯକୃତରୋଗ, ପାକସ୍ଥଳୀର ସମସ୍ୟା ଓ ଆଣ୍ଠୁଗଣ୍ଠି ବାତରେ ଉପକାରୀ ହୋଇଥାଏ ।

“ଗୋଖରା’ ମୁଖ ଦୁର୍ଗନ୍ଧ ନାଶ କରିବା ସହିତ କଟିଶୂଳ ଦୂର କରେ । “କୃଷ୍ଣପର୍ଣ୍ଣି’ କଫଜନିତ ରୋଗ ଓ ନେତ୍ରରୋଗରେ ସୁଫଳ ପ୍ରଦାନ କରେ । “ଶାଳପର୍ଣ୍ଣି’ ଜ୍ୱର, ଶ୍ୱାସ ଓ ଅତିସାର ରୋଗରେ ଉପକାରୀ ହୋଇଥାଏ ଏବଂ “ଲବିଂକୋଳି’ ଶ୍ୱାସ ଓ କାଶ ରୋଗ ଅପନୋଦନ କରିଥାଏ ।

ବଡ଼ଓଡ଼ିଆ ମଠ ପକ୍ଷରୁ ଶ୍ରୀମନ୍ଦିରକୁ ଯାଉଛି ‘ଫୁଲୁରି ତେଲ’

ଏହି ଦଶଟି ପ୍ରାକୃତିକ ଔଷଧୀୟ ସାମଗ୍ରୀକୁ ଖରାରେ ଶୁଖାଇ, ସମପରିମାଣରେ ମିଶାଇ ଗୁଣ୍ଡକରି, ନୂଆ ସଫା କନାରେ ଛାଣି ଏବଂ ଚିନି ଓ ଖୁଆରେ ପାଗ କରି ବୈଦ୍ୟ ସେବକ ଓ ତାଙ୍କର ପରିବାର ଦଶମୂଳ ମୋଦକ ପ୍ରସ୍ତୁତ କରନ୍ତି । ତାହାକୁ ଛୋଟଛୋଟ ଲଡ଼ୁପରି କରାଯାଇ, ତିନିଟି କୁଡ଼ୁଆରେ ସମ ପରିମାଣରେ ରଖି, ବୈଦ୍ୟ ସେବକ ଦଶମୀ ଦିନ ଶ୍ରୀମନ୍ଦିରର ଗାରଦ ଘରେ ଦିଅନ୍ତି । ଏକାଦଶୀ ଦିନ ତାହା ପ୍ରଭୁଙ୍କୁ ଲାଗି ହେବା ପରେ ସେମାନେ ଜ୍ୱରମୁକ୍ତ ହୋଇ ଶୀଘ୍ର ସୁସ୍ଥ ହୁଅନ୍ତି ।